ଶକ୍ତିହୀନ ବିଡ଼ିଏ : ଡ୍ରେନ ଉପରେ ମାର୍କେଟ କଂପ୍ଲେକ୍ସ, ଏନ୍‌ଫୋର୍ସମେଣ୍ଟ ଅଫିସର ପଦ ଖାଲି

ବ୍ରହ୍ମପୁର : ରାସ୍ତା ହେଉ କି ଡ୍ରେନ୍‌, କିମ୍ବା ସରକାରୀ ଜମି, ବ୍ରହ୍ମପୁର ସହରରେ ବେଆଇନ୍‌ ନିର୍ମାଣ ବଢ଼ି ଚାଲିଛି । ବେଆଇନ ନିର୍ମାଣ ବିରୋଧରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ପଦକ୍ଷେପ ନେବା କଥା । କିନ୍ତୁ ଅସାଧୁ ନିର୍ମାଣକାରୀଙ୍କ ଆଗରେ ଶକ୍ତିହୀନ ବିଡିଏ । ଦୀର୍ଘବର୍ଷ ହେଲା ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ପଦ ଖାଲି ପଡ଼ିଛି । କିଏ କିଛିଦିନ ପାଇଁ ଅସ୍ଥାୟୀ ଭାବେ ଏହି ଦାୟିତ୍ବ ସମ୍ଭାଳୁଛନ୍ତି । ହେଲେ ସ୍ଥାୟୀ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ନିଯୁକ୍ତି ଦିଆଯାଉନି । ଫଳରେ ବେଆଇନ୍‌ ନିର୍ମାଣ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନି । ଏବେ କେବଳ ମୁଖ୍ୟ ରାସ୍ତା କି ବଜାର ନୁହଁ, ଗଳିକନ୍ଦିରେ ମଧ୍ୟ ବେଆଇନ୍‌ ନିର୍ମାଣ ତୀବ୍ର ଭାବେ ମାଡ଼ି ଚାଲିଛି ।
ଓଡ଼ିଶା ଉନ୍ନୟନ ଆଇନ୍‌-୧୯୮୨ରେ ଏନ୍‌ଫୋର୍ସମେଣ୍ଟ ବାବଦରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଏହି ଆଇନ୍‌ର ଧାରା ୯୨(୧)ରେ କୁହାଯାଇଛି ଯେ, ଉନ୍ନୟନ କର୍ତ୍ତୃପକ୍ଷଗୁଡିକ ଜଣେ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ଙ୍କୁ ନିଯୁକ୍ତି ଦିଆଯିବ । ବେଆଇନ୍‌ ନିର୍ମାଣକୁ ଉଚ୍ଛେଦ କରିବା ଏବଂ ନିର୍ମାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମସ୍ତ କ୍ଷମତା ଆଇନ୍‌ର ଏହି ଧାରାରେ ସ୍ପଷ୍ଟ କରାଯାଇଛି । ଆଇନ୍‌ର ଧାରା ୯୦, ୯୧ ଏବଂ ୯୨ରେ କୁହାଯାଇଛି ଯେ, ବେଆଇନ୍‌ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଯେଉଁମାନେ ଏହାକୁ ଉଲ୍ଲଂଘନ କରିଛନ୍ତି, ସେମାନଙ୍କୁ ୬ମାସ ପର୍ଯ୍ୟନ୍ତ ଜେଲ୍‌ କିମ୍ବା କିମ୍ବା ୧୦ ହଜାର ଟଙ୍କାର ଜୋରିମାନା ସଂଗ୍ରହ କରାଯିବ । ବେଆଇନ୍‌ ନିର୍ମାଣକୁ ଉଚ୍ଛେଦ କରିବାର କ୍ଷମତା ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି । ଏଥିସହ ଏହି ତିନିଟି ଧାରାରେ ବେଆଇନ୍‌ ନିର୍ମାଣ ବିରୋଧରେ କ’ଣ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, ସେନେଇ ଉଲ୍ଲେଖ ରହିଛି । ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଏହି ଆଇନ୍‌ ଅଧିନରେ ଚାଲୁଛି । କିନ୍ତୁ ଆଇନ୍‌ କାର୍ଯ୍ୟକାରୀ ହେଉନାହିଁ । ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ବ୍ରହ୍ମପୁରରେ କେହି ଅଧିକାରୀ ନାହାନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ୨୦୦୩ ମସିହାରେ ସରୋଜ ବିଶ୍ବାଳ ନାମରେ ଜଣେ ଅଧିକାରୀ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ଦାୟିତ୍ବରେ ଥିଲେ । ସେ ଏଠାରୁ ବଦଳି ହେବା ପରେ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ଭାବେ ପ୍ରଦୀପ ମିଶ୍ର ୨ବର୍ଷ ଏବଂ ଅନାମ ପାତ୍ର ଆଉ ୨ବର୍ଷ ଏହି ପଦରେ ରହିଥିଲେ । କିନ୍ତୁ ତାଙ୍କ ବଦଳି ପରେ ଆଉ କାହାକୁ ନିଯୁକ୍ତି ଦିଆଯାଇ ନ ଥିଲା । ପ୍ରାୟ ୬ ବର୍ଷ ଯାଏଁ ଏହି ପଦ ଖାଲି ପଡ଼ିଲା । ୨୦୧୩ ମସିହା ପୂଜା ମିଶ୍ର ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ଭାବେ ନିଯୁକ୍ତି ପାଇଥିଲେ। ହେଲେ ସେ ମାତ୍ର ଗୋଟିଏ ବର୍ଷ ଭିତରେ ଏଠାରୁ ବଦଳି ହୋଇଗଲେ । ବର୍ତ୍ତମାନ ଏହାରି ଭିତରେ ୬ ବର୍ଷରୁ ଅଧିକ ସମୟ ବିତିଗଲାଣି । ତଥାପି ଆଉ କୌଣସି ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତି ମିଳିନି। ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏହି ପଦପୂରଣ ଦିଗରେ ବିଶେଷ ଆଗ୍ରହ ପ୍ରକାଶ ପାଉନି । ସଚିବମାନେ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ଭାବେ ଅତିରିକ୍ତ ଦାୟିତ୍ବରେ ରହୁଛନ୍ତି । ଜଣେ ଅଧିକାରୀ ଦୁଇଟି ପଦ ସମ୍ଭାଳୁଛନ୍ତି । କାର୍ଯ୍ୟ ବୋଝ ଯୋଗୁ ସେମାନେ ବେଆଇନ୍‌ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେଉଛନ୍ତି ।
ସରକାରଙ୍କ ଏଭଳି ଅବହେଳା ଏବେ ବ୍ରହ୍ମପୁର ସହରରେ କେତେକ ବେଆଇନ୍‌ ନିର୍ମାଣକାରୀଙ୍କ ସାହାସ ବଢ଼ାଇଛି । ବିଡିଏଙ୍କ ବିନା ଅନୁମତିରେ ସହର ସାରା ଏବେ ମାର୍କେଟ୍‌ କମ୍ପେ୍ଲକ୍ସ, ଦୋକାନ ଘର ଏବଂ କୋଠା ନିର୍ମାଣ ଚାଲିଛି । ଯାଞ୍ଚ କରିବା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେହି ଅଧିକାରୀ ନାହାନ୍ତି । ପାର୍କିଂ ପାଇଁ ଗୋଟିଏ ଇଞ୍ଚ୍‌ ଜାଗା ନ ଥିଲେ ମଧ୍ୟ ବଡ଼ ବଡ଼ ମାର୍କେଟ୍‌ କମ୍ପେ୍ଲକ୍ସ ନିର୍ମାଣ ଚାଲୁଛି । ହୋଟେଲ୍‌ ଏବଂ ଅନ୍ୟାନ୍ୟ ଦୋକାନ ବେଆଇନ୍‌ ଭାବେ ନିର୍ମାଣ କରାଯାଉଛି । ଡ୍ରେନ୍‌ ଉପରେ ଦୋକାନ ରହୁଥିବା ଯୋଗୁ ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ମୋଟର ପାର୍କିଂ କରୁଛନ୍ତି । ଯଦ୍ବାରା ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏନେଇ ସଚିବ ସମ୍ବିତ ରାଉତଙ୍କ ସହ ଯୋଗାଯୋଗ କରାଯାଇଥିଲା । ତାଙ୍କ କହିବାନୁଯାୟୀ, ସେ ସଚିବ ସହ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ଭାବେ ଦୁଇଟି ଦାୟିତ୍ବରେ ରହିଛନ୍ତି । ତେବେ ଖାଲି ପଦ ପୂରଣ ଦିଗରେ କ’ଣ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ ।

Comments are closed.