ବେଗୁନିଆରେ ପଥର ମାଫିଆଙ୍କ ଦୌରାତ୍ମ୍ୟ, ଜନସାଧାରଣ ଅତିଷ୍ଠ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅଂଚଳରେ ଥିବା ବିଭିନ୍ନ ବେଆଇନ ପଥର ଖଣିରୁ ଦିନକୁ ଦିନ ବେଆଇନ ମଙ୍କଡ଼ା ପଥର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ପଥର ମାଫିଆ ମାନଙ୍କ ଦୌରାତ୍ମ୍ୟରେ ଜନସାଧାରଣ ଅତିଷ୍ଠ ହୋଇପଡିଲେଣି । ପ୍ରଶାସନ ତରଫରୁ ଚଢ଼ଉ ଠିକ ଭାବରେ ହେଉନଥିବା ଅଭିଯୋଗ ହେଉଛି । ପଥର ଖଣି ଉପରେ ଉପଯୁକ୍ତ ସମୟରେ ଚଢ଼ଉ କରା ନଯାଇ ଲୋକଦେଖାଣିଆକୁ ରାସ୍ତାରେ ଯାଉଥିବା ପଥର ଗାଡିକୁ ପ୍ରଶାସନ ଜବତ କରି ବାହାବା ନେଉଛି । ଫଳରେ ପଥର ମାଫିଆ ମାନେ ଉଗ୍ର ହୋଇ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।  ଯାହାର ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ବୋଲଗଡ଼ ତହସିଲଦାର ଧୋବେଇ ନାୟକଙ୍କ କ୍ଷେତ୍ରରେ । ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧିନସ୍ଥ ଗୋପାଳପୁର ପଂଚାୟତ ର ନାରାୟଣୀପଡା ଠାରେ ଏକ ସରକାରୀ ଜମିରୁ ମାଫିଆ ମାନେ ଦୁଇଟି ଟ୍ରାକ୍ଟରରେ ମୋରମ ଉତ୍ତୋଳନ କରୁଥିବା ବେଳେ ତହସିଲଦାର ଜବତ କରିବା ଯୋଗୁ ମାଫିଆ ମାନଙ୍କ ଆକ୍ରମଣର ଶିକାର ହୋଇଥିଲେ । ବେଗୁନିଆ ଥାନାରେ ତହସିଲଦାର ଅଭିଯୋଗ କରିବା ପରେ ପୁଲିସ ଜଣକୁ ଗିରଫ କରିବା ସହିତ ଦୁଇଟି ଟ୍ରାକ୍ଟର ଏବଂ ଏକ ଜେସିବି ଜବତ କରିଥିବାବେଳେ ଅନ୍ୟ ଜଣେ ମାଫିଆ ଏବେବି ଫେରାର ରହିଛି । କିଛି ଅସାଧୁ କର୍ମଚାରୀ ଏବଂ ଖଣି ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟସରକାର ସମ୍ପୃକ୍ତ ତାହାସିଲରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି । ତେବେ ବିଭିନ୍ନ ସମୟରେ ସରକାରଙ୍କ ଚାପ ଯୋଗୁଁ ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ ଭାବେ ଚଢ଼ଉ କରାଯାଉଛି । କିନ୍ତୁ ଉକ୍ତ ତହସିଲ ଅଧୀନରେ ମଙ୍କଡ଼ା ପଥର ଚୋରା ଚାଲାଣ ଯଥା ପୂର୍ବାଂ ତଥା ପରଂ ରହିଛି । ଏହି ତହସିଲ ଅଧୀନରେ ବ୍ୟାପକ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖଣି ରହିଛି । ସରକାର ଏଥିରୁ ପାଉଥିବା ରାଜସ୍ବ ତୁଳନାରେ ମାଫିଆ ମାନେ କୋଟି କୋଟି ଟଙ୍କା ହଡପ କରୁଥିବାର ଅଭିଯୋଗ ହେଉଛି । ବହୁ ବେଆଇନ ପଥର ଖଣିରୁ ମାଫିଆ ମାନେ ଦିନ ଦ୍ବିପ୍ରହରେ ପଥର କାଟି ପୋଖରୀ ଭଳି ଖାଲ ସୃଷ୍ଟି କରୁଛନ୍ତି । ସରକାରୀ ନିୟମ ଅନୁସାରେ ସେଗୁଡିକ ପୋତିବା ପାଇଁ ଥିବାବେଳେ ସେଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି । ଫଳରେ ଏହିସବୁ ଖାଲ ଗୁଡିକ ଜୀବ ଜନ୍ତୁ ଏବଂ ମଣିଷ ସମାଜ ପାଇଁ ବିପଦ ସୃଷ୍ଟି କରୁଥିବାବେଳେ ଅନେକ ଏଥିରେ ପଡି ମୃତ୍ୟୁ ବରଣ କରୁଛନ୍ତି । ଏଥି ପ୍ରତି କିନ୍ତୁ ପ୍ରଶାସନର ନଜର ନଥିବା ପରି ମନେହୁଏ । ଜନସାଧାରଣ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ସେଥିପ୍ରତି ନଜର ନଦେବା ଅତ୍ୟନ୍ତ ପରିତାପର ବିଷୟ । କୃଷି ବିଭାଗ ତରଫରୁ ପାୱାର ଟିଲର ସବସିଡରେ ନେଇ ପଥରକଟା ଚାଲିଥିବାବେଳେ ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ,ବରଂ କୃଷି ବିଭାଗ ତରଫରୁ କୃଷକ ମାନଙ୍କ ନାମରେ ପାୱାରଟିଲର ଦିଆ ନଯାଇ ପଥର ମାଫିଆ ମାନେ କୃଷି କାର୍ଯ୍ୟ କରିବା ପାଇଁ ଦେଖାଇ ପାୱାରଟିଲର ନେଇ ପଥର ଖୋଳା କାର୍ଯ୍ୟରେ ଲଗାଉଛନ୍ତି । ପାୱାରଟିଲର ନେଇ ଯେଉଁମାନେ ପଥର ଖୋଳା କାର୍ଯ୍ୟରେ ଲଗାଉଛନ୍ତି ସେମାନଙ୍କ ସବ୍‌ସିଡ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି । ପଥର ବୋଝେଇ ଗକ୍ଷଡ଼ିଗୁଡିକରୁ ଜୋରିମାନା ଆଦାୟ କରା ନ ଯାଇ ସେମାନଙ୍କ ନାମରେ କେଶ କରାଗଲେ ଚୋରାଚାଲାଣକୁ ରୋକା ଯାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ମାଫିଆ ମାନେ ପଥରଖଣିରୁ ବାହାରୁଥିବା ମାଟି ଗୁଡିକ ରାସ୍ତା କଡରେ ଜମା କରୁଥିବା ଯୋଗୁଁ ଜନସାଧାରଣ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Comments are closed.