ପୁଣି ଫେରିଲା ପୁଞ୍ଜି ବଜାରରେ ଚମକ; ଦୁଇଦିନ ପରେ ୪୭୦୦୦ ପଏଣ୍ଟ ନିକଟତର ସେନସେକ୍ସ

ମୁମ୍ବାଇ: ଦୁଇଦିନ ପରେ ପୁଣି ଥରେ ଫେରିଛି ପୁଞ୍ଜି ବଜାରରେ ଚମକ । ଗତ ସୋମବାର ପାଖାପାଖି ୧୪୦୦ ପଏଣ୍ଟ ହ୍ରାସ ପରେ ପୁଞ୍ଜି ବଜାରରେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା, ଗତ ୩ ଦିନ ମଧ୍ୟରେ ତାହା ଅନେକାଂଶରେ ଭରଣା ହୋଇଛି । ପୁଣି ଥରେ ସେନସେକ୍ସ ୪୭୦୦୦ ପଏଣ୍ଟ ନିକଟତର ହୋଇଛି । ଗୁରୁବାର ସେନସେକ୍ସ ୪୬୯୭୩.୫୪ ପଏଣ୍ଟରେ ବନ୍ଦ ହୋଇଛି । ଗୋଟିଏ ଦିନରେ ଏଥିରେ ୫୨୯.୩୬ ପଏଣ୍ଟ ବା ୧.୧୪% ବୃଦ୍ଧି ଘଟିଛି । ସେହିପରି ନିଫ୍ଟି ମଧ୍ୟ ୧୪୮.୧୫ ପଏଣ୍ଟ ବୃଦ୍ଧି ପାଇ ୧୩୭୪୯.୨୫ ପଏଣ୍ଟରେ ବନ୍ଦ ହୋଇଥିବା ସୂଚନା ମିଳିଛି । ବ୍ୟାଙ୍କିଙ୍ଗ, ଫାଇନାନ୍ସ ଏବଂ ଫାର୍ମା ସେକ୍ଟରରେ କମ୍ପାନୀର ସେୟାରରେ ବିକ୍ରି ବୃଦ୍ଧି ଯୋଗୁଁ ସେନସେକ୍ସ ସଫଳତା ସହ ଦିନ ଶେଷ କରିଛି ।

ଗୁୁରୁବାର ଏକ୍ସିସ ବ୍ୟାଙ୍କ,  ସନ୍ ଫାର୍ମା, ଓଏନଜିସି, ରିଲାଏନ୍ସ, ଏଚଡ଼ିଏଫସି ବ୍ୟାଙ୍କ ବେଶ୍ ଲାଭ କରିଛନ୍ତି । ଏହି କମ୍ପାନୀଗୁଡ଼ିକର ସେୟାର ହାରାହାରି ୨.୫୫ ବୃଦ୍ଧି ଘଟିଛି । ଏହାବ୍ୟତୀତ  ଆଇସିଆଇସିଆଇ ବ୍ୟାଙ୍କ, ଭାରତୀ ଏୟାରଟେଲ, ବଜାଜ ଫାଇନାନ୍ସ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ବଜାଜ ଅଟୋ, ଏସବିଆଇ, ଏନଟିପିସି, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ, ଟାଇଟନ, ଆଇଟିସି, ଏସୀୟ ପେଣ୍ଟ, ଅଲଟ୍ରାଟେକ୍ ସିମେଣ୍ଟ, ପାୱାରଗ୍ରିଡ୍ ଏବଂ ଟିସିଏସ୍ ସେୟାର ମୂଲ୍ୟ ବୃଦ୍ଧି ଘଟିଛି ।

ଅନ୍ୟପକ୍ଷରେ ଇନଫୋସିସ୍ ସେୟାର ସର୍ବାଧିକ ୧.୩୨ ପ୍ରତିଶତ ହ୍ରାସ ପାଇଛି।  ନେଷ୍ଟଲେ ଇଣ୍ଡିଆ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଟେକ୍ ମହିନ୍ଦ୍ରା, ଡ଼କ୍ଟର ରେଡ଼୍ଡ଼ୀ, ଏଚସିଏଲ ଟେକ୍, ବଜାଜ ଫିଞ୍ଜର୍ଭ, ଲାରସେନ୍ ଆଣ୍ଡ ଟୁବ୍ରୋ, ମହିନ୍ଦ୍ରା ଏବଂ ମହିନ୍ଦ୍ରା ଏବଂ ମାରୁତିଙ୍କ ଅଂଶଧନ ହ୍ରାସ ପାଇଛି । ଅନ୍ୟପକ୍ଷରେ ଏସୀୟ ବଜାରରେ ସିଓଲ, ହଂକଂ, ଟୋକିଓ ଷ୍ଟକ୍ ମାର୍କେଟ ମଧ୍ୟ ଆଜି ଭଲ ପ୍ରଦର୍ଶନ କରିଛି ମାତ୍ର ସାଂଘାଇ ସେୟାର ବଜାର ପୂର୍ବାପେକ୍ଷା ହ୍ରାସ ପାଇଛି।  କରୋନା ଭୟ ସତ୍ବେ ୟୁରୋପୀୟ ସେୟାର ବଜାର ମଧ୍ୟ ଆଜି ସକାରାତ୍ମକ ପ୍ରଦର୍ଶନ ସହ ବନ୍ଦ ହୋଇଛି ।

Comments are closed.