ଏସ୍‌ଟିଏଫ୍ ହାତରେ ୫ଜଣିଆ ବ୍ରାଉନ୍‌ସୁଗର ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ବ୍ରାଉନ୍‌ସୁଗର କାରବାର କରୁଥିବା ଆଉ ଏକ ବଡ଼ ଗ୍ୟାଙ୍ଗର ପର୍ଦାଫାସ୍‌ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। ଭୁବନେଶ୍ବର ଓ ବାଲେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ କରି ଏହି ବ୍ରାଉନ୍‌ସୁଗର ଗ୍ୟାଙ୍ଗର ୫ ଜଣଙ୍କୁ ଏସ୍‌ଟିଏଫ୍ ଗିରଫ କରିଛି। ସେମାନଙ୍କୁ ସୋମବାର ସ୍ଥାନୀୟ ଜିଲା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ। ସେମାନଙ୍କଠାରୁ ୩୨୪ ଗ୍ରାମ୍‌ ବ୍ରାଉନ୍‌ସୁୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ସେମାନଙ୍କଠାରୁ ଗୋଟିଏ ମାରୁତି କାର, ୪ଟି ବାଇକ୍‌(ଗୋଟିଏ କେଟିଏମ୍‌) ଏବଂ ନଗଦ ୧,୮୪,୦୦୦ ଟଙ୍କା ମିଳିଛି।

ରାଜଧାନୀରେ ବିକ୍ରି କରିବା ଲାଗି ଏତେ ପରିମାଣର ବ୍ରାଉନ୍‌ସୁଗର ଆଣୁଥିବା ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ବାଲେଶ୍ବର ଗଳାପୋଲର ସେକ୍‌ ଫକିରକୁ ଗିରଫ କରିଛି। ତାହାର ଅନ୍ୟ ସହଯୋଗୀମାନେ ହେଲେ ଶିଖରଚଣ୍ଡି ବସ୍ତିର ସେକ୍‌ ସଗବା ଓରଫ ରାୟ, ବାଲେଶ୍ବର ଗୋପାଳ ଗାଁର ତନ୍ମୟ ସାହୁ, ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ଅରଡବଜାରର ମହମ୍ମଦ ସୋହେଲ୍‌ ଓ ସେକ୍‌ ହାଇବୁଲ୍‌। ଗତ କିଛି ମାସ ମଧ୍ୟରେ ରାଜଧାନୀରେ ଏତେ ପରିମାଣର ବ୍ରାଉନ୍‌ସୁଗର ଜବତ ହେବା ଘଟଣା ପ୍ରଥମ ବୋଲି ଜଣାପଡିଛି। ବ୍ରାଉନ୍‌ ସୁଗର ଜବତ ହେବା ପରେ ଏହି ଗ୍ୟାଙ୍ଗର ଆନ୍ତର୍ଜାତିକ ନିଶା କାରବାର ବଜାର ସହିତ ସମ୍ପର୍କ ଥିବା ନେଇ ଏସ୍‌ଟିଏଫ୍‌ର ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏନେଇ ଏସ୍‌ଟିଏଫ୍ ପକ୍ଷରୁ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବ ବୋଲି ଡିଆଇଜି ଶ୍ରୀ ପଙ୍କଜ ସୂଚନା ଦେଇଛନ୍ତି।
ଗତ ଜାନୁଆରୀ ୬ରୁ ୧୫ ପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ପକ୍ଷରୁ ସାରା ରାଜ୍ୟରେ ଏକ ବ୍ରାଉନ୍‌ସୁଗର ଧରପଗଡ଼ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଗତ ୧୧ ଦିନରେ ଏସ୍‌ଟିଏଫ୍ ବାଲେଶ୍ବର, ଅନୁଗୋଳ, ଖୋର୍ଦ୍ଧା, ପିପିଲି, ଢ଼େଙ୍କାନାଳ ଓ ଭୁବନେଶ୍ବରରୁ ୫ଟି ମାମଲା ରୁଜୁ କରିଛି। ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏସ୍‌ଟିଏଫ୍ ୯୩ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିବା ସହିତ ୯ ଲକ୍ଷ ଟଙ୍କା, ୩ଟି ବାଇକ୍‌, ​‌ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି। ବାଲେଶ୍ବର, ପଶ୍ଚିମବଙ୍ଗର ମେଦିନାପୁର, ମୁର୍ସିଦାବାଦ ଏବଂ କଲକାତା ଅଞ୍ଚଳରୁ ବ୍ରାଉନ୍‌ ସୁଗର ଆଣି ଏହି ବ୍ୟବସାୟୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାହୁଲ୍ ପିଆର ଓ ପ୍ରଶାନ୍ତ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

କେମିତି ହେଉଥିଲା ବେପାର

ଏସ୍‌ଟିଏଫ୍‌ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବ୍ରାଇନ୍‌ସୁଗର କାରବାରର ମାଷ୍ଟରମାଇଣ୍ଡ୍‌ ସେକ୍‌ ଫକିର। ଗତବର୍ଷ ବାଲେଶ୍ବରରୁ ବ୍ରାଉନ୍‌ସୁଗର କାରବାରର ସମ୍ରାଟ କୁହାଯାଉଥିବା ସେକ୍‌ ରାଜାକୁ ଧରିବା ପରେ ତାହାର ବିଦେଶ ସମ୍ପର୍କ ପଦାକୁ ଆସିଥିଲା। ସେ ବିଦେଶ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ବିମାନବନ୍ଦରରୁ ଏସ୍‌ଟିଏଫ୍‌ ଗିରଫ କରିଥିଲା। ରାଜାର ପ୍ରା​‌ୟ ଦେଢ଼ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବାକୁ କୋର୍ଟରେ ଆବେଦନ କରାଯାଇଛି। ସେହିପରି ରାଜା ଭଳି ରାଜ୍ୟ​‌େ​‌ର ବ୍ରାଉନ୍‌ସୁଗର କାରବାରରେ ଫକିରର ଲମ୍ବା ହାତ ରହିଛି। ଆନ୍ତର୍ଜାତିକ ବଜାରରୁ ବ୍ରାଉନ୍‌ସୁଗର ଆଣି ଫକିର ବିଭିନ୍ନ ଛୋଟ ବେପାରୀଙ୍କୁ ଯୋଗାଇଥାଏ। ରାଜଧାନୀକୁ ତନ୍ମୟ ନାମକ ଜଣେ ଯୁବକ ମାଧ୍ୟମରେ ଯୋଗାଯୋଗ କରାଯାଇ ବ୍ରାଉନ୍‌ସୁଗର ପଠାଉଥିଲା। ସେହିପରି ସୋହେଲ ଓ ହାଇବୁଲ୍‌ ବ୍ରାଉନ୍‌ସୁଗର ଆଣି ରାଜଧାନୀରେ ବିଭିନ୍ନ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଥାଆନ୍ତି।

Comments are closed.