୫ବର୍ଷରେ ୧୦୦ଟି ସହରରେ ପ୍ରଦୂଷଣ ସ୍ତର କମ୍‍ କରିବାକୁ ସରକାର ନେଉଛନ୍ତି ପଦକ୍ଷେପ

ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ପ୍ୟାରିସ୍‍ ରାଜିନାମାରେ ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ଭାରତ ଠିକ୍‍ ଦିଗରେ ଅଗ୍ରସର ହେଉଛି। ଲୋକସଭାରେ ଆଜି ପ୍ରଶ୍ନକାଳ ସମୟରେ କିଛି ଅତିରିକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଜାତୀୟ କ୍ରିୟାନୁଷ୍ଠାନ ଯୋଜନାର କାର୍ଯ୍ୟକାରିତା ଓ ଏ ଦିଗରେ ନିଆଯାଇଥିବା ଅନ୍ୟ ପଦକ୍ଷେପଗୁଡ଼ିକ ଯୋଗୁଁ ୨୦୦୫ରୁ ୨୦୧୬ ମଧ୍ୟରେ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ୨୪ ପ୍ରତିଶତ ହ୍ରାସ ପାଇଛି।

ସେ କହିଛନ୍ତି, ଭାରତରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି ଓ ଦେଶର ମୋଟ୍‍ ଭୌଗୋଳିକ ଅଞ୍ଚଳର ଏହା ୨୪.୫୬ ପ୍ରତିଶତରେ ପହଞ୍ଚିଛି। ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ସଂକ୍ରାନ୍ତ ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ପରିମାଣ ହ୍ରାସ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଓ ଜାତୀୟ ପ୍ରଦୂଷଣ ମୁକ୍ତ ବାୟୁମଣ୍ଡଳ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ୫ବର୍ଷ ଭିତରେ ଦେଶର ୧୦୦ଟି ସହରରେ ପ୍ରଦୂଷଣ ସ୍ତର କମ୍‍ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତବର୍ଷ ବଜେଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଣ୍ଟନ କରାଯାଇ ନଥିବା ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ଜାବଡେକର କହିଛନ୍ତି ଭାରତର ନେଟ୍‍ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ବିଶ୍ୱର ଉନ୍ନତ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‍ ରହିଛି।

Comments are closed.