ସରକାର ସଜାଗ, ବନାଗ୍ନି ପ୍ରଶମନ ଉଦ୍ୟମ ଜାରି

– ରାଜ୍ୟର ୨୬୮ ସ୍ଥାନରେ ଲାଗିଛି ନିଆଁ
– ବନ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ
– ଆଜି ପହଞ୍ଚିବ କେନ୍ଦ୍ରୀୟ ଟିମ
– ଶିମିଳିପାଳରେ ୨୪ଟି ସ୍ଥାନ ଜଳୁଛି
– ଆଉ ୮ ଓଡ୍ରାଫ ଟିମ ନିୟୋଜିତ

ଭୁବନେଶ୍ବର/ନୂଆଦିଲ୍ଲୀ: ଜୈବମଣ୍ଡଳ ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଆୟତ୍ତ କରିବାକୁ ବିଳମ୍ବରେ ହେଲେ ବି ରାଜ୍ୟ ସରକାର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଶୁଖିଲା ପାଗ ଓ ଉତ୍ତପ୍ତ ବାୟୁମଣ୍ଡଳ ଯୋଗୁଁ ରାଜ୍ୟରେ ବନାଗ୍ନି ଘଟଣା ବୃଦ୍ଧି ପାଇବାରେ ଲାଗିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ କ୍ଷେତ୍ରୀୟ କର୍ମଚାରୀମାନେ ନିୟୋଜିତ ରହିଛନ୍ତି। ଏହାସହ ସ୍ଥିତିର ମୁକାବିଲା କରିବା ଲାଗି ସମସ୍ତ କ୍ଷେତ୍ରୀୟ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦେଶ ଦିଆଯାଇ ଥିବା ଜଙ୍ଗଲ ଓ ପରିବେଶ ବିଭାଗ ଅତିରକ୍ତ ମୁଖ୍ୟ ସଚିବ ଡ. ମୋନା ଶର୍ମା କହିଛନ୍ତି। ଦୁଇ ସପ୍ତାହରୁ ଅଧିକ ସମୟ ହେଲା ଜଳୁଥିବା ଶିମିଳିପାଳ ଅଭୟାରଣ୍ୟ ଓ ରାଜ୍ୟର ଅନ୍ୟ ଅଞ୍ଚଳର ବନାଗ୍ନି ନିୟନ୍ତ୍ରଣକୁ ଆସିଛି ବୋଲି ବିଭାଗ ପକ୍ଷରୁ କୁୁହାଯାଇଛି। ମଙ୍ଗଳବାର ୨୯୦ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ଏହା ହ୍ରାସ ପାଇ ୨୬୮ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପରିସ୍ଥିତି ସନ୍ତୋଷଜନକ ଅଛି ବୋଲି ବନାଗ୍ନି ପରିଚାଳନା ପାଇଁ ଗଠିତ ଟାସ୍କଫୋର୍ସର ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି।

ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବା ଲାଗି ଗୁରୁବାର ସକାଳ ସୁଦ୍ଧା କେନ୍ଦ୍ରୀୟ ଏକ୍ସପର୍ଟ ଟିମ ଭୁବନେଶ୍ୱରରେ ପହଞ୍ଚିବ ବୋଲି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି। ବନାଗ୍ନିକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପର୍ଯ୍ୟନ୍ତ କେନ୍ଦ୍ରୀୟ ଏକ୍ସପର୍ଟ ଟିମ ଓଡ଼ିଶାରେ ରହିବ ଏବଂ ରାଜ୍ୟ ବନବିଭାଗ ସହ ସମନ୍ୱୟ ରକ୍ଷା କରି ଜଙ୍ଗଲ ନିଆଁକୁ ରୋକିବାକୁ ପଦକ୍ଷେପ ନେବେ। ଏକ୍ସପର୍ଟ ଟିମରେ ଏଡିଜି ଫରେଷ୍ଟ, ଆଇଜି ୱାଇଡଲାଇଫ, ଫରେଷ୍ଟ ଫାୟାର ଏକ୍ସପର୍ଟ ଭଳି ବିଶେଷଜ୍ଞ ଅଛନ୍ତି। ଏମାନେ ରାଜ୍ୟ ବନ ବିଭାଗକୁ ବୈଷୟିକ ସହାୟତା ଯୋଗାଇବେ। ଏଥିସହ ବନାଗ୍ନି ନିୟନ୍ତ୍ରଣ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦକର ପ୍ରତିଦିନ ପରିସ୍ଥିତି ବିଷୟରେ ସମୀକ୍ଷା କରିବେ ା ରାଜ୍ୟ ବିଜେପିର ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦକରଙ୍କୁ ଭେଟି ଶିମିଳିପାଳ ଜାତୀୟ ଅଭୟାରଣ୍ୟ ସମେତ ଓଡ଼ିଶାର ବିଭିନ୍ନ ଜଙ୍ଗଲଗୁଡ଼ିକରେ ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା  ତଥା ଏ ନେଇ ଏକ କମିଟି ଗଠନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ନଭେମ୍ବର ୨୦୨୦ରୁ ଅଦ୍ୟାବଧି ୨୩୮୫୯ଟି ବନାଗ୍ନି ଘଟଣା ଘଟିଥିବା ବେଳେ ଫେବୃଆରୀ ୨୮ ପରେ ୧୯୨୩୩ଟି ସ୍ଥାନରେ ନିଆଁ ଲାଗିବା ଘଟଣା ଜଣାପଡ଼ିଥିଲା ଯାହାକି ସମଗ୍ର ଦେଶରେ ସର୍ବାଧିକ ଘଟଣା ଥିଲା।

ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଗତ ୭ ଓ ୮ ମାର୍ଚ୍ଚରେ ୭ହଜାର ନୂତନ ସ୍ଥାନରେ ନିଆଁ ଲାଗିବା ଘଟଣା ଜଣାପଡ଼ିଛି। ଓଡ଼ିଶାରେ ବନାଗ୍ନି ସଂଖ୍ୟାରେ ବୃଦ୍ଧି ଏବଂ ଅଣାୟତ୍ତ ପରିସ୍ଥିତି ଲାଗି ରାଜ୍ୟ ପ୍ରଶାସନ ଓ ଆଦିବାସୀଙ୍କ ମଧ୍ୟରେ ସମନ୍ୱୟର ଅଭାବକୁ ଦାୟୀ କରି ଜଙ୍ଗଲ ସୁରକ୍ଷାରେ ଆଦିବାସୀଙ୍କୁ ସାମିଲ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାରେ କାମ୍ପା ପାଣ୍ଠି ସଠିକ୍‍ ଭାବେ ଖର୍ଚ୍ଚ ହେଉ ନାହିଁ ବୋଲି ବଲାଙ୍ଗୀର ସାସଂଦ ସଙ୍ଗୀତା କୁମାରୀ ସିଂହଦେଓ ଅଭିଯୋଗ କରିଥିଲେ। ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ କହିଥିଲେ ଯେ କାମ୍ପା ପାଣ୍ଠିରେ ଏନଜିଓଙ୍କ ଠିକାଦାରୀ ଚାଲିଛି। ମୋଟାମୋଟି ଭାବେ ବିଜେପି ସାଂସଦଗଣ କାମ୍ପା ପାଣ୍ଠି ଖର୍ଚ୍ଚ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିବା ସହ ଅଭିଯୋଗ କରିଥିଲେ ଯେ ରାଜ୍ୟରେ କାମ୍ପା ପାଣ୍ଠିର ହରିଲୁଟ ଚାଲିଛି।

ଶିମିଳିପାଳ ଜଙ୍ଗଲର ସ୍ଥିତି ଅନୁଧ୍ୟାନ କରି ଫେରିଥିବା କଂଗ୍ରେସ ଅନୁଧ୍ୟାନ କମିଟି ଏଥିପାଇଁ ବନବିଭାଗକୁ ଦାୟୀ କରିଛି। କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ବନବିଭାଗ ବିରୋଧରେ ୧୦ଟି ଅଭିଯୋଗ ଅଣାଯାଇଛି। ଶିମିଳିପାଳ ଜଙ୍ଗଲ ନିଆଁ ସଂପର୍କରେ ସରକାର କ୍ଷୟକ୍ଷତି ଉପରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳ ଦାବି କାରିଛି । ନିଆଁ ନିୟନ୍ତ୍ରଣାଧୀନ ଅଛି ବୋଲି ବନ ବିଭାଗ ଯେଉଁ ଦାବି ବାରମ୍ବାର କରି ଆସୁଛି ତାହା ସତ୍ୟ ଉପରେ ଆଧାରିତ ନୁହେଁ। ନାସାର ସାଟେଲାଇଟ୍ ରିପୋର୍ଟ ଯେତେବେଳେ ସମସ୍ତଙ୍କୁ ଚକିତ କଲା ଭଳି ଶିମିଳିପାଳ ଜଙ୍ଗଲ ନିଆଁର ଦୃଶ୍ୟ ଦେଖାଉଥିଲା ସେତେବେଳେ ଜଙ୍ଗଲ ବିଭାଗର ପ୍ରମୁଖ ଶାସନ ସଚିବ, ପିସିସିଏଫ ଓ ପିସିସିଏଫ୍ ୱାଇଲ୍ଡ ଲାଇଫ ନିଅାଁ ନିୟନ୍ତ୍ରଣରେ ଅଛି ବୋଲି କହିବା ହାସ୍ୟାସ୍ପଦ ବୋଲି କଂଗ୍ରେସ କହିଛି।

ଅନୁସନ୍ଧାନକାରୀ ଦଳରେ ସୁଦର୍ଶନ ଦାସ, ସୁରେନ୍ଦ୍ର ପରମାଣିକ, ହେମନ୍ତ ଦାସ, ସତ୍ୟଶିବ ଦାସ, ମମତା କୁଣ୍ଡୁ, ମହେନ୍ଦ୍ର ନାୟକ ପ୍ରମୁଖ ସଭ୍ୟ ରହିଥିବା ବେଳେ ବୁଧବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ମମତା କୁଣ୍ଡୁ, ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଅଞ୍ଚଳରେ ଆଉ ୨୪ଟି ସ୍ଥାନରେ ନିଆଁ ଜଳୁଥିବା ଟାସ୍କଫୋର୍ସର ମୁଖ୍ୟ ସନ୍ଦୀପ ତ୍ରିପାଠୀ  ସୂଚନା ଦେଇଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ପାଇଁ ଅଧିକ ୪ଟି ଓଡ୍ରାଫ ଦଳ ଏବଂ ରାୟଗଡ଼ା, ନୂଆପଡ଼ା, ଦେବଗଡ଼ ଓ ଗଞ୍ଜାମର ଭଞ୍ଜନଗର ବନ ଉପଖଣ୍ଡରେ ନିଆଁ ଲିଭାଇବା ପାଇଁ ୪ଟି ଓଡ୍ରାଫ ଦଳ ମୁତୟନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଙ୍ଗଲ ଓ ପରିବେଶ ବିଭାଗ) ଡ. ମୋନା ଶର୍ମା ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ସେପଟେ ଶିମିଳିପାଳ ଅଭୟାରଣ୍ୟର ସଂପୂର୍ଣ୍ଣ ସୁରକ୍ଷା, ଶିମିଳିପାଳରେ ଲାଗି ରହିଥିବା ଭୟାବହ ଅଗ୍ନିକାଣ୍ଡ ତୁରନ୍ତ ରୋକାଯିବା, ଶିମିଳିପାଳ ପୂର୍ବ ଗୌରବ ଓ ଗାରିମାକୁ ଫେରାଇ ଆଣିବା, ଶିମିଳିପାଳ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅପସାରଣ ଆଦି ବିଭିନ୍ନ ଦାବି ନେଇ ଭଞ୍ଜସେନା ପକ୍ଷରୁ ବୁଧବାର ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅର୍ଥାତ୍‍ ୯ ଘଣ୍ଟା ପାଇଁ ଦିଆଯାଇଥିବା ‘ମୟୂରଭଞ୍ଜ ବନ୍ଦ’ ଡାକରା ସଫଳ ହୋଇଛି। ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧ୍ୟକ୍ଷ ସତ୍ୟସ୍ୱରୂପ ଦାସ, ରାକେଶ ସିଂ, ଯୁବ ଛାତ୍ର ସଂଯୋଜକ ରାକେଶ ବେହେରା ପ୍ରମୁଖ ଶତାଧିକ କର୍ମୀ ବନ୍ଦରେ ସାମିଲ ଥିଲେ।

Comments are closed.