କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଅକ୍ସିଜେନ ଯୋଗାଣ ପାଇଁ ଇସ୍ପାତ କମ୍ପାନୀଗୁଡ଼ିକର ତତ୍ପରତା

ଗତକାଲି ୩୪୭୪ ମେଟ୍ରିକ ଟନ୍ ଅକ୍ସିଜେନ ଉତ୍ପାଦନ କରିଛନ୍ତି ଇସ୍ପାତ କମ୍ପାନୀ

-ଦେଶରେ ନିରନ୍ତର ମେଡ଼ିକାଲ ଅକ୍ସିଜେନ୍ ଯୋଗାଣ ପାଇଁ ଜରୁରି ପଦକ୍ଷେପ
-ଏଲଏମଓ ଉତ୍ପାଦନ ଏବଂ ଏହାର ବିତରଣ ଲାଗି ସର୍ବୋତ୍ତମ ପ୍ରୟାସ

ନୂଆଦିଲ୍ଲୀ : କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ଇସ୍ପାତ ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ଏବଂ ଇସ୍ପାତ କ୍ଷେତ୍ରର ଅନ୍ୟ ଘରୋଇ କମ୍ପାନୀଗୁଡ଼ିକ ଦେଶରେ ତରଳ ମେଡ଼ିକାଲ ଅକ୍ସିଜେନ (ଏଲଏମଓ) ଯୋଗାଣ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ସେମାନେ ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ରାଷ୍ଟ୍ର ସହିତ ଛିଡ଼ା ହୋଇଛନ୍ତି ଏବଂ ଅକ୍ସିଜେନ ଯୋଗାଣ ନିମନ୍ତେ ଶ୍ରେଷ୍ଠ ଯୋଗଦାନ ଦେଉଛନ୍ତି।
ଇସ୍ପାତ ପ୍ଲାଣ୍ଟଗୁଡ଼ିକର ମୋଟ୍ ଦୈନିକ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ କ୍ଷମତା ହେଉଛି ୨୮୩୪ ମେଟ୍ରିକ ଟନ୍। ଇସ୍ପାତ କ୍ଷେତ୍ରରେ ଉଭୟ ସରକାରୀ ଏବଂ ଘରୋଇ ମିଶାଇ ମୋଟ ୩୩ଟି ଅକ୍ସିଜେନ ପ୍ଲାଣ୍ଟ ରହିଛି, ଏଥିମଧ୍ୟରୁ ୨୯ଟି ନିୟମିତ ଚାଲିଥାଏ। ଦୈନିକ ତରଳ ମେଡ଼ିକାଲ ଅକ୍ସିଜେନ କ୍ଷମତା ମୋଟ ୨୮୩୪ ମେଟ୍ରିକ ଟନ୍ ହୋଇଥିଲେ ସୁଦ୍ଧା ୨୪ ଏପ୍ରିଲ ୨୦୨୧ ମୋଟ ୩୪୭୪ ମେଟ୍ରିକ ଟନ ଅକ୍ସିଜେନ ଉତ୍ପାଦନ କରାଯାଇଥିବା ସୂଚନା ମିଳିଛି। ଦୈନିକ କ୍ଷମତା ଠାରୁ ଅଧିକ ପରିମାଣର ଏଲଏମଓ ଉତ୍ପାଦନ କରାଯାଉଛି କାରଣ ଅଧିକାଂଶ ୟୁନିଟଗୁଡ଼ିକ ନାଇଟ୍ରୋଜେନ ଓ ଆର୍ଗନ ଉତ୍ପାଦନ ହ୍ରାସ କରିଛନ୍ତି ଏବଂ କେବଳ ଏଲଏମଓ ଉତ୍ପାଦନ କରୁଛନ୍ତି। ଏ ସମସ୍ତ ପ୍ରୟାସ କାରଣରୁ ସରକାରୀ ଓ ଘରୋଇ ଇସ୍ପାତ କାରଖାନାରୁ ଏପ୍ରିଲ ୨୪ ତାରିଖରେ ୨୮୯୪ ଟନ ଏଲଏମଓ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଏହା ତୁଳନାରେ ଗୋଟିଏ ସପ୍ତାହ ପୂର୍ବରୁ ଦୈନିକ ୧୫୦୦/୧୭୦୦ ମେଟ୍ରିକ ଟନ ଏଲଏମଓ ପଠାଯାଇପାରୁଥିଲା।
ଇସ୍ପାତ କାରଖାନା ଗୁଡ଼ିକ ସାଧାରଣ ଉଦ୍ଦେଶ୍ୟ ଯେପରିକି : ଲାନ୍ସିଂ ଓ ଗ୍ୟାସ କଟିଂ ବ୍ୟତୀତ ମୁଖ୍ୟତଃ ଇସ୍ପାତ ପ୍ରସ୍ତୁତ କରିବା ଏବଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅକ୍ସିଜେନ ବୃଦ୍ଧି ଲାଗି ଗ୍ୟାସୀୟ ଅକ୍ସିଜେନ ଆବଶ୍ୟକ କରିଥାନ୍ତି। ତେଣୁ, ସମନ୍ବିତ ଇସ୍ପାତ କାରଖାନାଗୁଡ଼ିକରେ କ୍ୟାପ୍ଟିଭ ଅକ୍ସିଜେନ ପ୍ଲାଣ୍ଟକୁ ମୁଖ୍ୟତଃ ଅକ୍ସିଜେନ, ନାଇଟ୍ରୋଜେନ ଏବଂ ଆର୍ଗନର ଗ୍ୟାସୀୟ ଉତ୍ପାଦ ଉତ୍ପାଦନ ପାଇଁ ଡିଜାଇନ କରାଯାଇଥାଏ। ଏହାପରେ ଆବଶ୍ୟକ ଚାପରେ ପ୍ରକ୍ରିୟାଗତ ଆବଶ୍ୟକତା ପୂରଣ କରିବା ଲାଗି ପ୍ରେସର ରିଡକ୍ସନ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ (ପିଆରଏମଏସ) ମାଧ୍ୟମରେ ପଠାଯାଇଥାଏ। ଏଭଳି ପ୍ଲାଣ୍ଟ ନିଜର ସର୍ବାଧିକ କ୍ଷମତାରେ ୫-୬% ଅଧିକ ତରଳ ଅକ୍ସିଜେନ (ଏଲଓଏକ୍ସ) ଉତ୍ପାଦନ କରିପାରିବେ, ଯାହାକି ଶିଳ୍ପ ଅକ୍ସିଜେନ ତୁଳନାରେ ଅତ୍ୟନ୍ତ ଶୁଦ୍ଧ ଉତ୍ପାଦ। ଏହି ପ୍ଲାଣ୍ଟଗୁଡ଼ିକ କେବଳ କେତେକ ଗ୍ୟାସୀୟ ଅକ୍ସିଜେନ ତ୍ୟାଗ କରି ଓ ପ୍ରକ୍ରିୟା ମାପଦଣ୍ଡକୁ ଅନୁକୂଳ କରି ଏଲଓଏକ୍ସ ଉତ୍ପାଦନକୁ ସୁଧାରି ପାରିବେ।
ଇତିମଧ୍ୟରେ ତରଳ ଅକ୍ସିଜେନ ଉତ୍ପାଦନ ବଢ଼ାଇବା ଏବଂ ଏହାର ବିତରଣ ଲାଗି ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଏଥିପାଇଁ ସରକାରୀ ଓ ଘରୋଇ, ସମସ୍ତ ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ ଦିନରାତି ଲଗାତାର କାମ କରୁଛନ୍ତି। ଅକ୍ସିଜେନର ନିରନ୍ତର ଯୋଗାଣ ଜାରି ରହିଛି। ଏହାବ୍ୟତୀତ ଇସ୍ପାତ କାରଖାନା ଅକ୍ସିଜେନ ସିଲିଣ୍ଡରଗୁଡ଼ିକୁ ମଧ୍ୟ ଭର୍ତ୍ତି କରୁଛନ୍ତି ଏବଂ ରାଜ୍ୟ/ଡାକ୍ତରଖାନାଗୁଡ଼ିକୁ ଯୋଗାଇ ଦେଉଛନ୍ତି।
ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରର ଇସ୍ପାତ କାରଖାନା ବିଭିନ୍ନ ରାଜ୍ୟକୁ ତରଳ ଅକ୍ସିଜେନ ଯୋଗାଣ ଲାଗି କଠିନ ପରିଶ୍ରମ କରୁଛନ୍ତି। ସେଲ ପକ୍ଷରୁ ତରଳ ମେଡ଼ିକାଲ ଅକ୍ସିଜେନର ଦୈନିକ ହାରାହାରୀ ଯୋଗାଣ ୮୦୦ ଟନରୁ ଅଧିକ ହୋଇଯାଇଛି। ୨୩ ଏପ୍ରିଲରେ ୧୧୫୦ ଟନ ଏଲଏମଓ ବିତରଣ କରାଯାଇଥିଲା। ଗତକାଲି ଅର୍ଥାତ୍ ୨୪ ଏପ୍ରିଲରେ ୯୬୦ ଟନ୍ ଏଲଏମଓ ଯୋଗାଣ କରାଯାଇଥିଲା। ସେଲ ପକ୍ଷରୁ ନିୟମିତ ଭାବେ ଅକ୍ସିଜେନ ଯୋଗାଣକୁ ବୃଦ୍ଧି କରାଯାଉଛି। ଭିଲାଇ, ବୋକାରୋ, ରାଉରକେଲା, ଦୁର୍ଗାପୁର ଓ ବର୍ଣ୍ଣପୁର ସ୍ଥିତ ସେଲର ସମନ୍ବିତ ଇସ୍ପାତ କାରଖାନାରୁ ଅଗଷ୍ଟ, ୨୦୨୦ ପରଠାରୁ ଗତକାଲି ସୁଦ୍ଧା ୩୯,୬୪୭ ଟନ ତରଳ ମେଡ଼ିକାଲ ଅକ୍ସିଜେନ ଯୋଗାଣ କରାଯାଇସାରିଛି।
ଏହାବ୍ୟତୀତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆରଆଇଏନଏଲ) ପକ୍ଷରୁ ଗତ ୨୦-୨୧ ଆର୍ଥିକ ବର୍ଷରେ ୮୮୪୨ ଟନ ଏଲଏମଓ ଯୋଗାଣ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ୧୩ ଏପ୍ରିଲ ଠାରୁ ଆଜି ସକାଳ ସୁଦ୍ଧା ୧୩୦୦ ଟନ ମେଡ଼ିକାଲ ଅକ୍ସିଜେନ୍ ଯୋଗାଣ କରାଯାଇସାରିଛି। ଗତ ତିନି ଦିନ ମଧ୍ୟରେ ଏହା ୧୦୦ରୁ ୧୪୦ଟନକୁ ବୃଦ୍ଧି ପାଇଛି। କୋଭିଡ ରୋଗୀଙ୍କ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବା ଲାଗି ଆରଆଇଏନଏଲର ଭାଇଜାଗ ଷ୍ଟିଲ ପ୍ଲାଣ୍ଟ ସାଇଟରୁ ୨୨ ଏପ୍ରିଲରେ ୧୦୦ ଟନ ତରଳ ମେଡ଼ିକାଲ ଅକ୍ସିଜେନ ନେଇ ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଥିଲା।

Comments are closed.