ଅନ୍‌ଲାଇନ୍ ଚାକିରି ଠକେଇରୁ ଦୂରେଇ ରହନ୍ତୁ

ନକଲି ଚାକିରି ରାକେଟ୍ ଏକ ବୃହତ୍ ଉଦ୍ୟୋଗରେ ପରିଣତ ହୋଇଛି। ଦେଶରେ ବେକାରୀ ହାର ବୃଦ୍ଧି, ଇଣ୍ଟରନେଟ୍‌ର ସହଜ ଉପଲବ୍ଧତା ଯୋଗୁଁ ଏହି ରାକେଟ୍‌ ଅଧିକ ସକ୍ରିୟ ହୋଇଛି। ଏହି ରାକେଟ୍‌ରେ ବିଶେଷକରି ଛୋଟଛୋଟ ସହରର ହଜାରହଜାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ସହଜରେ ଫସି ଯାଉଛନ୍ତି। ବିଶେଷ କରି ମଧ୍ୟପ୍ରାଚ୍ୟରେ ଆକର୍ଷଣୀୟ ଦରମା ପ୍ରତି ଆକୃଷ୍ଟ ହେଉଥିବାରୁ ସେମାନଙ୍କୁ ଜାଲରେ ପକାଇବା ରାକେଟ୍‌ର ଦଲାଲ୍‌ଙ୍କ ପାଇଁ ସହଜ ହେଉଛି। ଆବେଦନକାରୀମାନଙ୍କୁ ସଚେତନ କରିବା ପାଇଁ ଦୂତାବାସ, କମ୍ପାନୀ ଏବଂ ଚାକିରି ପୋର୍ଟାଲ ସେମାନଙ୍କ ୱେବସାଇଟରେ ଉପଦେଶ ଦେବା ଆରମ୍ଭ କରି ଦେଇଛନ୍ତି। ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ରାକେଟ୍‌ରୁ ସୁରକ୍ଷା ପାଇଁ କେତେକ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ।

ପ୍ରାମାଣିକ, ଔପଚାରିକ ୱେବସାଇଟ୍‌ରେ ହିଁ ଚାକିରି ନିମନ୍ତେ ଆବେଦନ କରିବା ଉଚିତ୍। ଅଧିକାଂଶ କମ୍ପାନୀ ସେମାନଙ୍କର ଔପଚାରିକ ୱେବସାଇଟରେ ନୂତନ ଚାକିରି ପଦ ବିଜ୍ଞାପନ କରନ୍ତି। ତେଣୁ ସନ୍ଦେହଜନକ ମେଲ୍‌ଗୁଡ଼ିକର ଉତ୍ତର ଦେବା ପରିବର୍ତ୍ତେ, କମ୍ପାନୀର କ୍ୟାରିୟର ପୃଷ୍ଠାକୁ ଯାଆନ୍ତୁ ଏବଂ ସାଇଟରେ ସିଧାସଳଖ ଆବେଦନ କରନ୍ତୁ। ଅନଲାଇନ୍ ଚାକିରି ପୋର୍ଟାଲ୍ କ୍ଷେତ୍ରରେ ନିଶ୍ଚିତ କରିବା ଉଚିତ ଯେ ରିଜ୍ୟୁମ୍‌କୁ ମୂଳସାଇଟ୍ ମାଧ୍ୟମରେ ହିଁ ଆବେଦନ କରୁଛନ୍ତି, ମେଲ୍‌ରେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ନୁହେଁ। ବିଦେଶୀ ଚାକିରି ପାଇଁ ଆପଣ ସରକାରୀ ପୋର୍ଟାଲ୍ କିମ୍ବା ଚାକିରି ପାଇଁ ଆବେଦନ କରୁଥିବା ଦେଶର ସ୍ଥାନୀୟ ଚାକିରି ପରାମର୍ଶଦାତା ୱେବସାଇଟକୁ ଯିବା ଉଚିତ। ବିଦେଶୀ ଚାକିରି ପୋଷ୍ଟିଂ ସୁରକ୍ଷିତ କରିବାକୁ ଭାରତରେ ‘ଏଜେଣ୍ଟ’ ନିକଟକୁ ଆସନ୍ତୁ ନାହିଁ।

ଚାକିରି ପୋର୍ଟାଲରେ ରିଜ୍ୟୁମ୍ ପୋଷ୍ଟ କରିବାବେଳେ ନିଶ୍ଚିତ କରନ୍ତୁ ଯେ ନିର୍ଦିଷ୍ଟ ପୋଷ୍ଟ ପାଇଁ ହିଁ ଆବେଦନ କରାଯାଉଛି। କୌଣସି ନିଯୁକ୍ତିଦାତା ନିଯୁକ୍ତି ପ୍ରକ୍ରିୟାର କୌଣସି ପର୍ଯ୍ୟାୟରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କଠାରୁ ଅର୍ଥ ଦାବି କରନ୍ତି ନାହିଁ। ତେଣୁ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କଠାରୁ ସାବଧାନ ରହନ୍ତୁ, ଯେଉଁମାନେ ସୁରକ୍ଷା ଜମା, ପଞ୍ଜୀକରଣ କିମ୍ବା ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଅର୍ଥ ଦାବି କରୁଛନ୍ତି। ଏଥିସହିତ ସେହି ଅଫରଗୁଡ଼କଠାରୁ ମଧ୍ୟ ଦୂରରେ ରହନ୍ତୁ ଯାହା କ୍ରେଡିଟ୍ କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ୍, ଅନଲାଇନ୍ ବ୍ୟାଙ୍କିଙ୍ଗ୍ ପାସୱାର୍ଡ ଇତ୍ୟାଦି ବିଷୟରେ ସବିଶେଷ ତଥ୍ୟ ଖୋଜେ। ସ୍କାମରମାନେ ମେଲ ମାଧ୍ୟମରେ ଆପଣଙ୍କ ନିକଟକୁ ଆସନ୍ତି, ତେଣୁ ଠକାମିକୁ ଏଡେ଼ଇବାର ସଠିକ୍ ଉପାୟ ହେଲା ମେଲ୍ ର ଅକ୍ଷରକୁ ବିଶଦ ଭାବରେ ସ୍କାନ୍ କରି ରେଡ୍ ଫ୍ଲାଗ୍ ଦେଖନ୍ତୁ। ଅକ୍ଷରର ଫର୍ମାଟ୍, ବନାନ ତ୍ରୁଟି, ଖରାପ ବାକ୍ୟବିନ୍ୟାସ କିମ୍ବା ଭୁଲ ବ୍ୟବଧାନ ପାଇଁ ମଧ୍ୟ ଯାଞ୍ଚ କରନ୍ତୁ।

ଅଫର କିମ୍ବା ନିଯୁକ୍ତି ପତ୍ର ବିଷୟରେ ଯଦି ଆପଣଙ୍କର କୌଣସି ସନ୍ଦେହ ଅଛି, ତେବେ ଏହାର ପଞ୍ଜିକୃତ ଲ୍ୟାଣ୍ଡଲାଇନ ନମ୍ବରରେ କମ୍ପାନୀକୁ କଲ୍‌ କରନ୍ତୁ। ଚାକିରି ପାଇଁ ଆବେଦନ କରିବା ପୂର୍ବରୁ କମ୍ପାନୀ ବିଷୟରେ ଉପଯୁକ୍ତ ଅନୁସନ୍ଧାନ କରନ୍ତୁ। ଯଦି ଆପଣଙ୍କୁ ବଜାର ଧାରା ସହିତ ମେଳ ଖାଉ ନଥିବା ଦରମା ପ୍ରଦାନ କରାଯାଉଛି କିମ୍ବା ଆପଣଙ୍କ ଯୋଗ୍ୟତା ନଥାଇ ଚାକିରି ଦିଆଯାଉଛି ତେବେ ତାହା ନିଶ୍ଚିତ ଭାବରେ ଏକ ନକଲି ଚାକିରି। ଆନୁଷ୍ଠାନିକ ସାକ୍ଷାତ୍‌କାର ବିନା ଯଦି ଚାକିରି ଅଫର ଚିଠି ଦିଆଯାଉଛି କିମ୍ବା କମ୍ପାନୀର ବ୍ୟବହାର ହେଉଥିବା ଲୋଗୋ ବିନା କିମ୍ବା ଏକ ଆବାସିକ କ୍ଷେତ୍ର କିମ୍ବା କୋଠରିକୁ ସାକ୍ଷାତ୍‌କାର ପାଇଁ ଡକାଯାଉଛି ତେବେ ସେଥିପ୍ରତି ସତର୍କ ରହନ୍ତୁ।

ଶ୍ରୀୟଙ୍କା ସାହୁ( ଅନୁଗୋଳ)

Comments are closed.