ରାଜ୍ୟର ପ୍ରଥମ ସୌରଚାଳିତ ମାଇକ୍ରୋ ଶୀତଳ ଭଣ୍ଡାର ଉଦଘାଟିତ

ସମ୍ବଲପୁର :  ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅର୍ନ୍ତଗତ ଘେନୁପାଲି ଗ୍ରାମ ପଞ୍ଚାୟତର ସନାତନପାଲି ଗ୍ରାମରେ ରାଜ୍ୟର ପ୍ରଥମ ସୌର ଶକ୍ତି ଚାଳିତ ମାଇକ୍ରୋ ଶୀତଳ ଭଣ୍ଡାର ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଓଡିଶା ସରକାର, ସେଲକୋ, ନାବାର୍ଡ ଏବଂ ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ଚାଷୀ ମାନଙ୍କ ସୁବିଧା ପାଇଁ ଏହି ସୋର ଶକ୍ତି ଚାଳିତ ଶୀତଳ ଭଣ୍ଡାରର ସ୍ଥାପନା କରାଯାଇଛି। ଦିନ ସାଢ଼େ ୧୨ଟାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୃଷି ସଚିବ ଡ. ସୌରଭ ଗର୍ଗ, ଜିଲାପାଳ ଶୁଭମ ସାକ୍ସସେନା ଓ ସେଲକୋ ଫାଉଣ୍ଡେସନର ସିଇଓ ଡ. ହର୍ଷବର୍ଦ୍ଧନ ହାଣ୍ଡେ ଦେଇଥିବା ବେଳେ ଉପମୁଖ୍ୟ ସଚେତକ ତଥା ରେଢ଼ଖୋଲ ବିଧାୟକ ଇଂ ରୋହିତ ପୂଜାରୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶାଶ୍ୱତୀ ପଟ୍ଟନାୟକ, ମୁଖ୍ୟ ଜିଲା କୃଷି ଅଧିକାରୀ ସନ୍ତୋଷ ରାୟ, ନାବାର୍ଡର ଏଜିଏମ ଦେବେଶ ବେହେରା, ହର୍ଟିକଲଚର ବିଭାଗର ଉପ ନିର୍ଦ୍ଦେଶକ ରଞ୍ଜନ ଦାସମହାପାତ୍ର ଓ ଚାଷୀ ନେତା ଅଶୋକ ପ୍ରଧାନ ମଞ୍ଚାସୀନ ଥିଲେ।

ଉଦଘାଟନୀ ଉତ୍ସବରେ ପ୍ରାରମ୍ଭିକ ଉଦବୋଧନ ଦେଇ ଜିଲାପାଳ ଶୁଭମ ସାକ୍ସସେନା କହିଥିଲେ ଯେ ଏହା ଏକ ଏନଆରଜିଏସ ଯୋଜନା ଅର୍ନ୍ତଗତ ପାଓନିର ପ୍ରକଳ୍ପ ଅଟେ। ଚାଷି ମାନଙ୍କ ଅଗ୍ରଗତି ନିମନ୍ତେ ଆହୁରୀ ଅନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟ ହାତକୁ ନିଆଯାଇଛି। ମୁଖ୍ୟ କୃଷି ସଚିବ ଡ. ଗର୍ଗ କହିଥିଲେ ଯେ କରୋନା ସମୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଚାଷ ନିତାନ୍ତ ଆବଶ୍ୟକ ଅଟେ ବୋଲି ସମସ୍ତେ ଅନୁଭବ କରି ସାରିଛନ୍ତି। ଏଣୁ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଶୀତଳ ଭଣ୍ଡାର ଯୋଗାଇ ଦେବା ପାଇଁ ଏଭଳି ଅତ୍ୟାଧୁନିକ ପ୍ରକଳ୍ପ ହାତକୁ ନେଇଛନ୍ତି। କନଭେନ୍ସନାଲ ଶୀତଳ ଭଣ୍ଡାରରେ ୫୦ ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ ହେଉଥିବା ବେଳେ ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ଖର୍ଚ୍ଚ ବେଶି ଅଟେ। ତେବେ ସୌର ଚାଳିତ ମାଇକ୍ରୋ ଶୀତଳ ଭଣ୍ଡାର ଦ୍ୱାରା ଚାଷୀ ମାନେ ସେମାନଙ୍କର ଗ୍ରାମରେ ହିଁ ଏହି ସୁବିଧା ପାଇପାରିବେ ଏବଂ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଖୁବ କମ ଅଟେ। ଏଣୁ ସରକାର ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସବସିଡି ଦେବା ସହିତ ଅଗ୍ରି ଇନଫ୍ରାଷ୍ଟ୍ରକଚର ଯୋଜନା ଅର୍ନ୍ତଗତ ରିହାତି ଦରରେ ଋଣ ଯୋଗାଇବାର ମଧ୍ୟ ବ୍ୟବସ୍ଥା କରିଛନ୍ତି।

ସେହିଭଳି ବିଧାୟକ ଇଂ ପୂଜାରୀ କହିଛନ୍ତି ଯେ, ସେ ପ୍ରତିନିଧିତ୍ୱ କରୁଥିବା ନିର୍ବାଚନ ମଣ୍ଡଳୀ ପଛୁଆ କ୍ଷେତ୍ର ମଧ୍ୟରେ ଆସୁଥିବା ବେଳେ ଏଠାରେ ଲୋକେ ଚାଷ ଉପରେ ନିର୍ଭରଶୀଳ ଅଟନ୍ତି। ପୂର୍ବରୁ ଚାଷୀ ଫସଲ ଉତ୍ପାଦନ କରିବା ପରେ ସିଧାସଳଖ ମଣ୍ଡିକୁ ବିକ୍ରି କରିବା ପାଇଁ ଯାଉଥିବା ବେଳେ ବିଭିନ୍ନ କାରଣରୁ ବହୁ ସମୟରେ ଉଚିତ ମୂଲ୍ୟ ନ ପାଇ ବାଧ୍ୟ ହୋଇ କମ ଦରରେ ଫସଲ ବିକ୍ରି କରିବା ପାଇଁ ବାଧ୍ୟ ହେଉଥିଲା। କିନ୍ତୁ ଏହି ଶୀତଳ ଭଣ୍ଡାର ହେବା ଦ୍ୱାରା ଆବଶ୍ୟକ ସ୍ଥଳରେ ତାର ଉତ୍ପାଦକୁ ସୁରକ୍ଷିତ ରଖି ସୁବିଧା ଅନୁଯାୟୀ ଉଚିତ ଦରରେ ବିକ୍ରି କରି ପାରିବ। ଯାହା ଦ୍ୱାରା ଚାଷୀର ତାର କଷ୍ଟାର୍ଜିତ ଉତ୍ପାଦର ଉଚିତ ମୂଲ ପାଇ ପାରିବ। ଆଗାମୀ ଦିନରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରେ ଆହୁରୀ ୧୭ଟି ସୌର ଶକ୍ତି ଚାଳିତ ଶୀତଳ ଭଣ୍ଡାର ସ୍ଥାପନ କରାଯିବାର ଯୋଜନା ରହିଛି ବୋଲି ବିଧାୟକ ଇଂ ପୂଜାରୀ କହିଥିଲେ।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ ଚାଷୀ ମାନେ ବର୍ଷତମାମ ଫସଲ ନଷ୍ଟ ଜନିତ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ଚାଷୀ ମାନେ ବାରମ୍ବାର ଦାବି ସତ୍ୱେ ଆବଶ୍ୟକତା ଅନୁଯାୟୀ ଶୀତଳ ଭଣ୍ଡାର ନିର୍ମାଣ କରାଯାଇ ପାରି ନାହିଁ। ଏଭଳି କ୍ଷେତ୍ରରେ ସମ୍ବଲପୁରର ସ୍ୱେଚ୍ଛାସେବୀ ଆଦର୍ଶ ଅନୁଷ୍ଠାନର ଉଦ୍ୟମରେ ସନାତପାଲିର କିଛି ଅଗ୍ରଣୀ ଚାଷୀ ମାନଙ୍କୁ ଅଞ୍ଚଳରେ ସୌର ଶକ୍ତି ଚାଳିତ ମାଇକ୍ରୋ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବୁଝାଯାଇଥିଲା। ଅଞ୍ଚଳର ଚାଷୀ ମାନଙ୍କର ଦ୍ୱାରା ଏକ ଗ୍ରୁପ ଗଢ଼ାଯାଇ ଏହି ଶୀତଳ ଭଣ୍ଡାର ସ୍ଥାପନ କରାଯାଇଛି। ଏହି ଶୀତଳ ଭଣ୍ଡାର ଦ୍ୱାରା ଯୁଯୁମୁରା ବ୍ଲକ ଅର୍ନ୍ତଗତ କବରାପାଲି, ବାହାମ ଓ ଘେନୁପାଲି ଗ୍ରାମର ପ୍ରାୟ ୮୦୦ ଚାଷି ଉପକୃତ ହେବେ। ଏହା ସହିତ ଆଖପାଖର ଅନ୍ୟ ଗ୍ରାମ ପଞ୍ଚାୟତର ଚାଷୀ ମାନେ ମଧ୍ୟ ଏହାର ଉପଯୋଗ କରିପାରିବେ। ଏହି ଅଞ୍ଚଳରେ ଚାଷି ମାନେ ମିଶ୍ରିତ ଚାଷ କରୁଛନ୍ତି। ଧାନ ସହିତ ଦୁଗ୍ଧ, ପନିପରିବା, ଫଳମୂଳ, ବିଭିନ୍ନ କିସମର ଫୁଲ ଆଦି ବର୍ଷାତମାମ ଚାଷ କରି ଉତ୍ପାଦନ କରୁଛନ୍ତି।

ତେବେ ଚାଷୀ ମାନେ ଚାଷ କରି ଅଧିକ ଉତ୍ପାଦନ କରିଲେ ଯଦି ଦ୍ରବ୍ୟ ଠିକ ସମୟରେ ବିକ୍ରି ନ ହୁଏ ତାହା ହେଲେ ସେଗୁଡିକ ନଷ୍ଟ ହୋଇ ଯାଉଛି। ସମ୍ବଲପୁର ଠାରେ ରହିଥିବା ସରକାରୀ ଶୀତଳ ଭଣ୍ଡାର ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡିଥିବା ବେଳେ ଜିଲାରେ କାଁଭାଁ ରହିଥିବା ବେସରକାରୀ ଶୀତଳ ଭଣ୍ଡାର ଗୁଡିକରେ ଚାଷୀ ଉତ୍ପାଦିତ ଦ୍ରବ୍ୟ ଉଚ୍ଚ ଭଡା ଦେଇ ରଖିବା ସମ୍ଭବପର ନୁହେଁ। ସରକାରୀ ସ୍ତରରେ ନୂତନ ଶୀତଳ ଭଣ୍ଡାର ଅଥବା ଅଚଳ ପଡିଥିବା ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ହେଉ ନ ଥିବାରୁ ବର୍ଷ ପରେ ବର୍ଷ ଚାଷୀ ଫସଲ ନଷ୍ଟ ଅଥବା ନିମ୍ନ ମୂଲ୍ୟରେ ବିକ୍ରି କରି କ୍ଷତି ସହିତ ଚାଲିଛି। ସୋଲକୋ ଫାଉଣ୍ଡେସନ ଶୀତଳ ଭଣ୍ଡାର କଣ୍ଟେନର ଦେଇଥିବା ବେଳେ ସନାତନପାଲି ଗ୍ରାମର ମାର୍କେଟ ୟାର୍ଡ ଠାରେ ରହିଥିବା ଜମିରେ ଏହାର ସ୍ଥାପନ କରାଯାଇଛି।

ଏହି ମାଇକ୍ରୋ ଶୀତଳ ଭଣ୍ଡାର ଆକାରରେ ୨୦ ଫୁଟ ଲମ୍ବ, ୮ ଫୁଟ ଦୈର୍ଘ୍ୟ ଓ ୮ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ। ଏକ ସମୟରେ ୫୦ କ୍ୱିଣ୍ଟାଲ ଅଥବା ୫ ଟନ ପନିପରିବାର, ଦୁଗ୍ଧ, ଫଳମୂଳ, ଫୁଲ ଆଦି ରଖାଯାଇ ପାରିବ। ସ୍ଥାପିତ ହେଉଥିବା କଣ୍ଟେନରରେ ଦୁଇଟି ର‍୍ୟାକ କରାଯାଇ ଗୋଟିଏ ପଟରେ ପନିପରିବା ଏବଂ ଅନ୍ୟ ପଟରେ ଫଳ, ଫୁଲ ଏବଂ ଦୁଗ୍ଧ ରଖାଯିବାର ବ୍ୟବସ୍ଥା କରାଯାଇଛି। ଶୀତଳ ଭଣ୍ଡାରରେ ରଖାଯାଉଥିବା ଦ୍ରବ୍ୟ ଗୁଡିକ ୪ରୁ ୧୦ ଡିଗ୍ରି ତାପମାନ, ୮୦ ରୁ ୯୫ ପ୍ରତିଶତ ଆଦ୍ରତା ମଧ୍ୟରେ ପନିପରିବା ଗୁଡିକ ୭ ରୁ ୧୦ ଦିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ୧୫ ରୁ ୩୦ ଦିନ ପର୍ଯ୍ୟନ୍ତ ରଖାଯାଇ ପାରିବ। ଗ୍ରାମରେ ଗଢ଼ା ଯାଇଥିବା ଗ୍ରୃପ ଦ୍ୱାରା ଏହାର ସଞ୍ଚାଳନ କରାଯିବ। ଜଣେ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଏହାର ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିଯୁକ୍ତ କରାଯିବ। ଅତି କମ ଭଡା ଦେଇ ଚାଷୀ ମାନେ ସେମାନଙ୍କର ଅଧିକ ଉତ୍ପାଦିତ ଦ୍ରବ୍ୟକୁ ସଂରକ୍ଷିତ କରିପାରିବେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଚାଷୀ ନେତା ଚନ୍ଦ୍ରକାନ୍ତ ପଣ୍ଡା, ଦେବେନ୍ଦ୍ର ପ୍ରଧାନ, ଆଦର୍ଶର ପ୍ରଦୀପ ବେହେରା, ଚାଷୀ ମନବୋଧ ବାରିକ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।

Comments are closed.