ରାଜ୍ୟର ଆର୍ଥିକ ପରିସ୍ଥିତି ସଙ୍ଗିନ : ପୁରୁଣା ଋଣ ଅପେକ୍ଷା ଅଧିକ ହେଉଛି ସୁଧ ପଇଠ

ଭୁବନେଶ୍ୱର : ରାଜ୍ୟର ଆର୍ଥିକ ପରିସ୍ଥିତି ସଙ୍ଗିନ । ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବା ବେଳେ ରାଜ୍ୟର ବଜେଟ ଥିଲା ୧.୭୭ କୋଟି ଟଙ୍କା । ୨୦୦୦ ମସିହା ବେଳକୁ ଏହି ପରିମାଣ ୧୪୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ଆଉ ଗତ ୨୦ ବର୍ଷରେ ରାଜ୍ୟ ବଜେଟ୍ ୧୨ ଗୁଣ ବଢ଼ି ୧.୬୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି । ତଥାପି ସରକାରଙ୍କ ପାଖରେ ଧନର ଅଭାବ । ବିତ୍ତୀୟ ପରିଚାଳନାକୁ ନେଇ ନିଜ ପିଠି ନିଜେ ଯେତେ ଥାପୁଡ଼ାଇଲେ ବି ପ୍ରଶାସନିକ ବ୍ୟୟ ବୃଦ୍ଧି ଓ ନିଜସ୍ବ ରାଜସ୍ବ ବୃଦ୍ଧି ନିମନ୍ତେ ନିର୍ଦିଷ୍ଟ ପଦକ୍ଷେପ ନେବା ଅର୍ଥ ବିଭାଗ ପକ୍ଷରେ ସମ୍ଭବ ହୋଇପାରୁନି। ଫଳରେ ରାଜ୍ୟ ବିକାଶର ଗୋଲାପି ଛବି କେବଳ ଯୋଜନ ଭିତରେ ସୀମିତ ରହିଯାଉଛି।

ସରକାର ନିଜସ୍ବ ଟିକସ ଓ ଅଣ ଟିକସ ବାବଦରେ ଯେତିକି ଅର୍ଥ ସଂଗ୍ରହ କରୁଛନ୍ତି ତାହାଠାରୁ ଢ଼େର ଅଧିକ ହେଉଛି ପ୍ରଶାସନିକ ଖର୍ଚ୍ଚ। ସରକାରୀ କର୍ମଚାରୀଙ୍କ ଦରମା, ପେନସନ ଏବଂ କରଜ ଓ ସୁଧ ଶୁଝିବାରେ ଏହା ବ୍ୟୟ ହେଉଛି । ଗତବର୍ଷ ପ୍ରଶାସନିକ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ୫୮୧୭୦ କୋଟି ଟଙ୍କା ବ୍ୟୟବରାଦ କରିଥିବାବେଳେ ଚଳିତ ବର୍ଷ ଏହା ପ୍ରାୟ ୫୦୦ କୋଟି ଟଙ୍କା ବୃଦ୍ଧି ପାଇ ୬୩୬୦୦ କୋଟି ଟଙ୍କା ଅତିକ୍ରମ କରିଛି । ଅର୍ଥାତ୍ ରାଜ୍ୟ ବଜେଟର ପ୍ରାୟ ୪୦% ଅର୍ଥ କେବଳ ସରକାର ଚଳାଇବା, କରଜ ଶୁଝିବା ଓ ସୁଧ ଦେବାରେ ଯାଉଛି । ସବୁଠାରୁ ବଡ଼ କଥା ହେଲା ରାଜ୍ୟ ସରକାର ପ୍ରତିବର୍ଷ ଯେତିକି ପୁରୁଣା କରଜ ଶୁଝୁଛନ୍ତି, ତା’ଠୁ ଢ଼େର ଅଧିକ ଋଣ କରୁଛନ୍ତି । ଗତବର୍ଷ ସରକାର ୪୮୮୦ କୋଟି ବକେୟା କରଜ ଶୁଝିଥିବାବେଳେ କେବଳ ସୁଧ ଦେଇଥିଲେ ୬୫୦୦ କୋଟି ଟଙ୍କା ।

ଗତ ୩ ବର୍ଷରେ ରାଜ୍ୟ ସରକାର ୧୩୩୦୦ କୋଟି ଟଙ୍କା ପୁରୁଣା କରଜ ଶୁଝିଛନ୍ତି, ସୁଧ ବାବଦରେ ଦେଇଛନ୍ତି ୧୮୮୦୦ କୋଟି ଟଙ୍କା ଆଉ ଏହି ସମୟ ମଧ୍ୟରେ ଋଣ କରିଛନ୍ତି ପ୍ରାୟ ୪୦ ହଜାର କୋଟି ଟଙ୍କା। ଚଳିତ ବର୍ଷ ରାଜ୍ୟ ସରକାର ପୁରୁଣା ଋଣ ଓ ସୁଧ ବାବଦରେ ପାଖାପାଖି ୧୪୭୦୦ କୋଟି ଟଙ୍କା ଶୁଝିବାକୁ ଲକ୍ଷ୍ୟ ରଖିଛନ୍ତି ଆଉ ୨୪୦୦୦ କୋଟି ଟଙ୍କା ନୂଆ ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ରାଜସ୍ବର ଏକ ବଡ଼ ଅଂଶ କେନ୍ଦ୍ରୀୟ ଅନୁଦାନ, ରାଜ୍ୟରୁ କେନ୍ଦ୍ର ଆଦାୟ କରୁଥିବା ରାଜସ୍ବ ଭାଗରୁ ଆସିଥାଏ । ଚଳିତ ବର୍ଷ ନଭେମ୍ବର ୩୦ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଗତ ୮ ମାସରେ ଓଡ଼ିଶାକୁ ୩୩୫୬୦.୮୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ରହିଛି କେନ୍ଦ୍ରୀୟ ଅନୁଦାନ, ଟିକସର ରାଜ୍ୟ ଅଂଶ ଓ କେନ୍ଦ୍ରୀୟ ଋଣ ।

ଏପ୍ରିଲ ମାସରେ ଅନୁଦାନ, ଋଣ, ଟିକସ ଭାଗ ସବୁ ମିଶି ସର୍ବାଧିକ ୬୧୧୭.୭୨ କୋଟି ଟଙ୍କା କେନ୍ଦ୍ରରୁ ମିଳିଥିବାବେଳେ ସେପ୍ଟେମ୍ବର ମାସରେ ସବୁଠୁ କମ୍ ୨୮୨୯.୩୦ କୋଟି ଟଙ୍କା ରାଜ୍ୟ ପାଇଛି । ମାତ୍ର ପ୍ରସଙ୍ଗଟି ହେଉଛି ରାଜ୍ୟର ନିଜସ୍ବ ଟିକସ ଓ ଅଣ ଟିକସ ଆଦାୟ ବୃଦ୍ଧି ଆଶାନୁରୂପ ହୋଇପାରୁ ନାହିଁ କିମ୍ବା ରାଜ୍ୟ ସରକାର ଆର୍ଥିକ ମିତବ୍ୟୟୀ ହୋଇ ପାରୁନାହାନ୍ତି । ଯାହା ଫଳରେ କରଜ ପ୍ରତିବର୍ଷ ବଢ଼ିବଢ଼ି ଚାଲିଛି । ପ୍ରଣୟନ ହେଉଥିବା ଯୋଜନାଗୁଡ଼ିକୁ ଉପଯୁକ୍ତ ନ୍ୟାୟ ଦିଆଯାଇ ପାରୁନାହିଁ । ହାତକୁ ନିଆଯାଉଥିବା ପ୍ରକଳ୍ପ ବର୍ଷବର୍ଷ ଧରି ସରୁ ନାହିଁ । ନୂଆ ଖାତ ଖୋଳି ପୁରୁଣା ଖାତ ପୋତିବା ନ୍ୟାୟରେ ଅର୍ଥ ବିଭାଗ କେବଳ ଯୋଜନା କରୁଛି, ବଜେଟ୍ ଆଣୁଛି; ମାତ୍ର ତାହାକୁ ଉପଯୁକ୍ତ ନ୍ୟାୟ ଦେବାରେ ସମର୍ଥ ହୋଇପାରୁ ନାହିଁ ।

୨୦୦୧-୦୨ ମସିହାରେ ରାଜ୍ୟ ସରକାର କର୍ମଚାରୀଙ୍କ ବେତନ ବାବଦରେ ବାର୍ଷିକ ୩୮୦୩ କୋଟି ଟଙ୍କା ଓ ପେନ୍‍ସନ ବାବଦରେ ୮୩୨ କୋଟି ଟଙ୍କା ବ୍ୟୟ କରୁଥିଲେ। ଉଭୟ ପେନ୍‍ସନ ଓ ବେତନକୁ ମିଶାଇ ସରକାରଙ୍କ ମୋଟ ବଜେଟ୍‍ ଅଟକଳ ଥିଲା ୪୬୩୫ କୋଟି ଟଙ୍କା। ୨୦୦୯-୧୦ ଆର୍ଥିକ ବର୍ଷ ବେଳକୁ ଏହି ପରିମାଣ ପ୍ରାୟ ୩ଗୁଣ ବୃଦ୍ଧି ପାଇ ୧୨୭୨୫ କୋଟି ଟଙ୍କାରେ ପହଞ୍ଚିଥିଲା। ଏହାମଧ୍ୟରୁ ବେତନ ବାବଦରେ ୯୪୪୨ କୋଟି ଟଙ୍କା ଓ ପେନ୍‍ସନ ବାବଦରେ ୩୨୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ତେବେ ୨୦୧୪-୧୫ରେ ଏହି ପରିମାଣ ୨୦୦୦୦ କୋଟି ଟଙ୍କା ଛୁଇଁଥିଲା। ସରକାର ଏହି ବର୍ଷ କର୍ମଚାରୀଙ୍କୁ ୧୩୦୩୧ କୋଟି ଟଙ୍କା ବେତନ ପ୍ରଦାନ କରିଥିବାବେଳେ ପେନ୍‍ସନ ବାବଦରେ ଖର୍ଚ୍ଚ କରିଥିଲେ ୬୪୧୭ କୋଟି ଟଙ୍କା। ଆଉ ଏବେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ଏହା ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି ପାଇ ୪୯୦୦୦ କୋଟି ଟଙ୍କାରେ ପହଞ୍ଚିଲାଣି । ପ୍ରଶାସନିକ ଖର୍ଚ୍ଚ ବୃଦ୍ଧି ସରକାରଙ୍କ ପାଇଁ ସମସ୍ୟା ହୋଇଥିବାବେଳେ ରାଜ୍ୟର ନିଜସ୍ବ ଟିକସ, ଅଣଟିକସ, କେନ୍ଦ୍ରୀୟ ଅନୁଦାନ ଓ ରାଜସ୍ବ ଅଂଶ ହ୍ରାସ ବୋଝ ଉପରେ ନଳିତାବିଡ଼ା ପରି ହୋଇଛି। ତା ସାଙ୍ଗକୁ କୋଭିଡ଼ ମୁକାବିଲା ଖର୍ଚ୍ଚ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେବଳ କୋଭିଡ଼ ପରିଚାଳନା ବାବଦରେ ରାଜ୍ୟ ସରକାର ଦିନକୁ ହାରାହାରି ୫୦ କୋଟି ହିସାବରେ ମାସିକ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା କୁହାଯାଉଛି ।

Comments are closed.