ଅମ୍ଫାନ ଡ଼ର: ତିନି ଦିନ ଶ୍ରମିକ ସ୍ପେସାଲ ଟ୍ରେନ୍ ବାତିଲ ପାଇଁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ଵର: ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ । ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ବିଶେଷକରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ପରି ଉପକୂଳବର୍ତୀ ଜିଲାରେ ବର୍ଷା ଓ ପବନ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୮ ତାରିଖ ପରଠାରୁ ୩ ଦିନ ଶ୍ରମିକ ସ୍ପେସାଲ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛି ରାଜ୍ୟ । ରାଜ୍ୟ ମୁଖ୍ୟ ସଚିବ ଏ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଅନୁରୋଧ କରିଛନ୍ତି । ପ୍ରଶାସନ ବାତ୍ୟା ମୁକାବିଲାରେ ନିୟୋଜିତ ରହିବାକୁ ଥିବାରୁ ଏ ଜିଲ୍ଲାଗୁଡ଼ିକୁ ଶ୍ରମିକ ସ୍ପେଶାଲ ବାତିଲ କରିବାକୁ ଆମେ ଅନୁରୋଧ କରିଛୁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ବିଶେଷ ଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲା କରୋନା ଦ୍ବାରା ପ୍ରଭାବିତ ହୋଇଛି । ଉପକୂଳବର୍ତୀ ଜିଲା ଗଞ୍ଜାମରେ ସ୍ଥିତି ଗମ୍ଭୀର। ଏହି ସ୍ଥିତିରେ ଅମ୍ଫାନ ଭୟ ସୃଷ୍ଟି କରିଛି ।  ଏ ସମୟରେ ଏ ଜିଲ୍ଲାକୁ ଶ୍ରମିକ ସ୍ପେଶାଲ ଆସିଲେ ପ୍ରବାସୀଙ୍କୁ ଠିକଣା ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ସହ କ୍ୱାରେଣ୍ଟାଇନ୍‌ କେନ୍ଦ୍ରକୁ ନେବା କଷ୍ଟକର ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି ।

Comments are closed.