ଲକ୍ଷେ କୋଟି ଟଙ୍କା ଟପିଲା ରାଜ୍ୟ ଋଣ ଭାର; ରାଜ୍ୟବାସୀଙ୍କ ମୁଣ୍ଡ ମୁଣ୍ଡପିଛା ୨୨୨୨୨ ଟଙ୍କା କରଜ

ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁଣ୍ଡରେ ୨୨ହଜାର ୨୨ ଟଙ୍କା କରଜ । ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ମୁଣ୍ଡରେ ଏହି ଋଣ ବୋଝ । ରାଜ୍ୟର ଋଣ ପରିମାଣ ୧ଲକ୍ଷ ୧ ହଜାର କୋଟି ଟଙ୍କ ଟପିବା ପରେ ଏହି ଲୋକଙ୍କ ଉପରେ ବି ବଢ଼ିଛି କରଜ ବୋଝ । କରୋନା ଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ଖରାପ । କେନ୍ଦ୍ରରୁ ଯେତିକି ସହାୟତା ମିଳିବା କଥା ସେତିକି ମିଳି ପାରିନାହିଁ । ରାଜସ୍ବ ଆଦାୟ ହ୍ରାସ ପାଇଛି । ଫଳରେ ଖୋଲା ବଜାରରୁ ସରକାର ଋଣ କରିବାକୁବାଧ୍ୟ ହୋଇଛନ୍ତି ।

ଚଳିତ ବର୍ଷ ମୁଖ୍ୟ ବଜେଟ୍ ଓ ଅତିରିକ୍ତ ବଜେଟରେ ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ମାତ୍ର ଅନୁରୂପ ରାଜସ୍ବ ସଂଗ୍ରହ ହୋଇପାରି ନାହିଁ । ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ବେତନ ଓ ପେନସନଠାରୁ ନିଜସ୍ବ ଆଦାୟ କମ୍ । ଯେତିକି ଟଙ୍କା ରାଜ୍ୟ ସରକାର ନିଜସ୍ବ ଟିକସ ଓ ଅଣ ଟିକସ ବାବଦରେ ସଂଗ୍ରହ କରୁଛନ୍ତି ତାହାଠାରୁ ଢ଼େର ଅଧିକ ଖର୍ଚ ହେଉଛି ପ୍ରଶାସନିକ ଖର୍ଚ । ଅର୍ଥାତ୍  ସରକାରୀ କର୍ମଚାରୀଙ୍କ ଦରମା, ପେନସନ ଏବଂ କରଜ ଓ ସୁଧ ସୁଝିବାରେ ଏହା ବ୍ୟୟ ହେଉଛି । ଗତବର୍ଷ ପ୍ରଶାସନିକ ଖର୍ଚ ବାବଦରେ ରାଜ୍ୟ ସରକାର ୫୮୧୭୦ କୋଟି ଟଙ୍କା ବ୍ୟୟବରାଦ କରିଥିବାବେଳେ ଚଳିତ ବର୍ଷ ଏହା ପ୍ରାୟ ୫୦୦ କୋଟି ଟଙ୍କା ବୃଦ୍ଧି ପାଇ ପହଞ୍ଚିଛି ୬୩୬୦୦ କୋଟି ଟଙ୍କା ଅତିକ୍ରମ କରିଛି । ଅର୍ଥାତ୍ ରାଜ୍ୟ ବଜେଟର ପ୍ରାୟ ୪୦% ଅର୍ଥ କେବଳ ସରକାର ଚଳାଇବା, କରଜ ଶୁଝିବା ଓ ସୁଧ ଦେବାରେ ଯାଉଛି ।

ରାଜ୍ୟ ରାଜସ୍ବର ଏକ ବଡ଼ ଅଂଶ କେନ୍ଦ୍ରୀୟ ଅନୁଦାନ, ରାଜ୍ୟରୁ କେନ୍ଦ୍ର ଆଦାୟ କରୁଥିବା ରାଜସ୍ବ ଭାଗରୁ ଆସିଥାଏ । ଚଳିତ ବର୍ଷ ନଭେମ୍ବର ୩୦ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଗତ ୮ ମାସରେ ଓଡ଼ିଶାକୁ ୩୩୫୬୦.୮୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ମଧ୍ୟରେ ରହିଛି କେନ୍ଦ୍ରୀୟ ଅନୁଦାନ, ଟିକସର ରାଜ୍ୟ ଅଂଶ ଓ କେନ୍ଦ୍ରୀୟ ଋଣ । ଏପ୍ରିଲ ମାସରେ ଅନୁଦାନ, ଋଣ, ଟିକସ ଭାଗ ସବୁ ମିଶି ସର୍ବାଧିକ ୬୧୧୭.୭୨ କୋଟି ଟଙ୍କା କେନ୍ଦ୍ରରୁ ମିଳିଥିବାବେଳେ ସେପ୍ଟେମ୍ବର ମାସରେ ସବୁଠୁ କମ୍ ୨୮୨୯.୩୦ କୋଟି ଟଙ୍କା ରାଜ୍ୟ ପାଇଛି । ମାତ୍ର ପ୍ରସଙ୍ଗଟି ହେଉଛି ରାଜ୍ୟର ନିଜସ୍ବ ଟିକସ ଓ ଅଣ ଟିକସ ଆଦାୟ ବୃଦ୍ଧି ଆଶାନୁରୂପ ହୋଇପାରୁ ନାହିଁ କିମ୍ବା ରାଜ୍ୟ ସରକାର ଆର୍ଥିକ ମିତବ୍ୟୟୀ ହୋଇ ପାରୁନାହାନ୍ତି । ଯାହା ଫଳରେ କରଜ ପ୍ରତିବର୍ଷ ବଢ଼ିବଢ଼ି ଚାଲିଛି । କେନ୍ଦ୍ରରୁ ଅନୁଦାନର ପରିମାଣ କମୁଥିବା ଯୋଗୁ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ବାଧ୍ୟହୋଇ ଖୋଲା ବଜାରରୁ ଅଧିକ ଋଣ ଉଠାଉଛନ୍ତି । ଏହାଫଳରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣଭାର ଲକ୍ଷେ କୋଟିକୁ ଟପିଗଲାଣି ।

ଆଗାମୀ ୩ ମାସ ମଧ୍ୟରେ ଏହି ପରିମାଣ ଆହୁରି ପ୍ରାୟ ୫ହଜାର କୋଟି ଟଙ୍କା ଅଧିକ ହେବ ବୋଲି ଆକଳନ କରାଯାଉଛି । କରୋନା ଯୋଗୁ ରାଜ୍ୟ ସରକାର ନିଜସ୍ୱ ରାଜସ୍ୱ ଆଦାୟ କ୍ଷେତ୍ରରେ ବିଗତ ୯ ମାସ ଧରି ପଛୁଆ ସ୍ଥିତିରେ ପଡ଼ିବା ବେଳେ ଗତ ମାସେ ଦୁଇମାସ ହେଲା ସ୍ଥିତି ସାମାନ୍ୟ ସ୍ୱାଭାବିକ ହୋଇଛି । ତେବେ ଆଗାମୀ ଦୁଇମାସ ମଧ୍ୟରେ ଏହି ଅଭାବକୁ ପୂରଣ ହେବା ଅସମ୍ଭବ ମନେ ହେଉଛି । ଗତ ୯ ମାସ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷମାନେ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଅର୍ଥ ବ୍ୟୟ କରିନାହାନ୍ତି । ତେଣୁ ଆଗାମୀ ଅଢ଼େଇ ମାସ ମଧ୍ୟରେ ପ୍ରାୟ ୫୦ହଜାର କୋଟି ଟଙ୍କା ବ୍ୟୟ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ସ୍ଥିତିରେ ଅର୍ଥ ସଂଗ୍ରହ ଓ ଏହାର ବ୍ୟୟ ନିମନ୍ତେ ଖସଡ଼ା ପ୍ରସ୍ତୁତ କରିବା ପ୍ରଶାସନ ପାଇଁ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛି ।

ଗତବର୍ଷ ସରକାର ୪୮୮୦ କୋଟି ବକେୟା କରଜ ଶୁଝିଥିବାବେଳେ କେବଳ ସୁଧ ଦେଇଥିଲେ ୬୫୦୦ କୋଟି ଟଙ୍କା । ଗତ ୩ ବର୍ଷରେ ରାଜ୍ୟ ସରକାର ୧୩୩୦୦ କୋଟି ଟଙ୍କା ପୁରୁଣା କରଜ ଶୁଝିଛନ୍ତି, ସୁଧ ବାବଦରେ ଦେଇଛନ୍ତି ୧୮୮୦୦ କୋଟି ଟଙ୍କା ଆଉ ଏହି ସମୟ ମଧ୍ୟରେ ଋଣ କରିଛନ୍ତି ପାଖାପାଖି ୪୦ ହଜାର କୋଟି ଟଙ୍କା । ଚଳିତ ବର୍ଷ ରାଜ୍ୟ ସରକାର ପୁରୁଣା ଋଣ ଓ ସୁଧ ବାବଦରେ ପାଖାପାଖି ୧୪୭୦୦ କୋଟି ଟଙ୍କା ଶୁଝିବାକୁ ଲକ୍ଷ୍ୟ ରଖିଛନ୍ତି ଆଉ ୨୪୦୦୦ କୋଟି ଟଙ୍କା ନୂଆ ଋଣ କରିବାକୁ ଲକ୍ଷ୍ୟ ରଖିଥିଲେ । ଏବେ କରୋନା ସଂକଟ ଯୋଗୁଁ ଏହି ପରିମାଣ ଆହୁରି ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି ।

Comments are closed.