ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : କୁମାରବସ୍ତ ଚମ୍ପିଆନ

ସ୍ମାରକୀ ସ୍ମରଣିକା ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ

ବାଙ୍କୀ : ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ପଥୁରୀପଡା କ୍ରୀଡା ପ୍ରାଙ୍ଗଣରେ ରବିବାର ଦିନ ଉଦଯାପିତ ହୋଇଯାଇଛି। ମହାବେରଣା କ୍ଲବର ପରିଚାଳନା ଓ ବରପୁଟ ପଞ୍ଚାୟତର ସୈାଜନ୍ୟତାରେ ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇଥିବା ୩୩ତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଖେଳ ତମାଣ୍ଡୋ ଓ ରାଇଜିଂ ଷ୍ଟାର କୁମାରବସ୍ତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜିର ଖେଳରେ ତମାଣ୍ଡୋ ପ୍ରଥମେ ଟସ୍‍ ଜିତି ୨୦ଓଭରରେ ୨୩୮ରନ କରିଥିବା ସମୟରେ ବିପକ୍ଷରେ ରାଇଜିଂଷ୍ଟାର କୁମାରବସ୍ତ ୨୪୨ରନ ସଂଗ୍ରହ କରି ୬ଓିକେଟରେ ବିଜୟୀ ହୋଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଖେଳରେ ତମାଣ୍ଡୋ ଦଳ ପକ୍ଷରୁ ବିଶ୍ୱଜିତ୍‍ ମହାପାତ୍ର ୫୩ରନ, ଚନ୍ଦନ ବଡଜେନା ୫୦ରନ ଓ ସତ୍ୟଜିତ ସାହୁ ୫୪ରନ ସଂଗ୍ରହ କରିଥିଲେ। ଅପର ପକ୍ଷରେ ରାଇଜିଂଷ୍ଟାର କୁମାରବସ୍ତ ପକ୍ଷରୁ ମୃତ୍ୟୁଞ୍ଜୟ ମାନସିଂ ୩ଓିକେଟ ଅକ୍ତିଆର କରିଥିଲା ବେଳେ ଉତ୍ତମ ମହାନ୍ତି ୭୦ରନ, ସୁଶାନ୍ତ ସାମନ୍ତରାୟ ୮୯ରନ ଓ ମୃତ୍ୟୁଞ୍ଜୟ ମାନସିଂ ୫୪ରନ ସଂଗ୍ରହ କରିଥିଲେ। କୁମାରବସ୍ତର ମୃତ୍ୟୁଞ୍ଜୟ ମାନସିଂ ମ୍ୟାନ ଅଫ ଦି ମ୍ୟାଚ୍‍ ଏବଂ ତମାଣ୍ଡୋ କ୍ରିକେଟ ଟିମର ବିଶ୍ୱଜିତ୍‍ ମହାପାତ୍ର ମ୍ୟାନ ଅଫଦି ସିରିଜ ପୁରସ୍କାର ଗ୍ରହଣ କରିଥିଲେ।

ମହାବେରଣା କ୍ଲବର ସମ୍ପାଦକ ସଦାଶିବ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ ଖେଳରେ ବାମନ ଚରଣ ମହାପାତ୍ର, ହରିଶ୍ଚନ୍ଦ୍ର ତ୍ରିପାଠୀ, ଶିବ ପ୍ରସାଦ ଦେହୁରୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲା ବେଳେ ସୌମ୍ୟରଞ୍ଜନ ତ୍ରିପାଠୀ, ବିଦ୍ୟାଧର ବେହେରା ସ୍କୋରର ଦାୟିତ୍ୱ ତୁଲାଇଥିଲେ। କ୍ରୀଡା ପରିଚାଳକ ସୁଧିରଞ୍ଜନ ପଣ୍ଡା ଓ କବିନ୍ଦ୍ର ନାୟକ ଖେଳ ପରିଚାଳନା କରିଥିଲେ। ଏହି ଅବସରରେ ଅପରାହ୍ନରେ ପୁରସ୍କାର ବିତରଣ,ସମ୍ବର୍ଦ୍ଧନା ସଭା ଓ ସ୍ମାରକୀ ସ୍ମରଣିକା ଉନ୍ମୋଚନ କାଯ୍ୟକ୍ରମ ସଞ୍ଚାଳିତ ହୋଇଥିଲା।

ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ ଉତ୍ସବରେ ମୁଖ୍ୟଅତିଥି ଭାବରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ସମ୍ମାନିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁବାସ ସିଂହ,ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସମାଜସେବୀ ଆଶିଷ କୁମାର ସାହୁ, ଗତିକୃଷ୍ଣ ସ୍ୱାଇଁ, ବିଜୟ ପତିହାରୀ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ପାଢୀ, କଦଳୀବାଡି ସରପଞ୍ଚ ପ୍ରକାଶ କୁମାର ବେଉରା ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଦୀଘ ୩୩ବର୍ଷ ଧରି ହରିଶ୍ଚନ୍ଦ୍ର ମିଶ୍ରଙ୍କ ପୃଷ୍ଠ ପୋଷକତାରେ ଆୟୋଜିତ ହୋଇ ଆସୁଥିବା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଭିନ୍ନ ଅଞ୍ଚଳ ସହିତ ଭାଇଚାରା ସୃଷ୍ଟି କରି କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିବାରେ ସାକ୍ଷୀ ହୋଇଛି। ଚଳିତ ବର୍ଷ ନିକଟରେ ଆୟୋଜିକ ହରିଶ୍ଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ୧ମ ସ୍ମାରକୀ ଟୁର୍ଣ୍ଣାମେଣ୍ଟ ସ୍ୱର୍ଗତଃ ଆତ୍ମାଙ୍କ ପ୍ରତି ଏକ ବଳିଷ୍ଠ ଶ୍ରଦ୍ଧାଞ୍ଜଳି ହୋଇ ପାରିଥିବା ପ୍ରକାଶ କରିଛନ୍ତି। ସୁନିଲ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ସୋମନାଥ ଖଟୁଆଙ୍କ ସଂଯୋଜନାରେ ଉତ୍ସବ ସଞ୍ଚାଳିତ ହୋଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ ସ୍ମାରକୀ ଟୁର୍ଣ୍ଣାମେଣ୍ଟର ବିଜୟୀ ଦଳ କୁମାରବସ୍ତକୁ ଚମ୍ପିଆନ ଟ୍ରଫି ଓ ତମାଣ୍ଡୋ ଟିମ୍‍କୁ ରନର୍ସଅପ୍‍ କପ୍‍ ପ୍ରଦାନ କରାଯାଇଛି। ମଞ୍ଚରେ ବାଇଧର ଦେହୁରୀ,କୁଞ୍ଜବିହାରୀ ପ୍ରଧାନ,ମୁରଲିଧର ପ୍ରଧାନ,ଗୌରାଙ୍ଗ ବେହେରା,ଯୋଗିନ୍ଦ୍ର ମହାନ୍ତିଙ୍କୁ ଦୁଖଃବନ୍ଧୁ ସାହୁ ସ୍ମୃତି ସମ୍ମାନ ଏବଂ ବନ୍ଧୁ ମୋହନ ସାହୁ, ତାରାଚାନ୍ଦ ପଟ୍ଟନାୟକ, ମନୋଜ କୁମାର ମହାପାତ୍ର, ଶୀତାକାନ୍ତ ପାଣିଗ୍ରାହୀ ଓ ସୋମନାଥ ଖଟୁଆଙ୍କୁ ହରିଶ୍ଚନ୍ଦ୍ର ମିଶ୍ର ସ୍ମୃତି ସମ୍ମାନ ସ୍ୱରୂପ ମାନପତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧନା କରାଯାଇଛି। ସ୍ନେହୀପୁତ୍ର ହରିଶ୍ଚନ୍ଦ୍ର ସ୍ମରଣିକା ଲୋକାର୍ପିତ ହୋଇଥିଲା ବେଳେ ମଞ୍ଚରେ ସୁନିଲ କୁମାର ମିଶ୍ରଙ୍କର ରଚିତ ପ୍ରଫେସର କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ଉନ୍ମୋଚିତ ହୋଇଛି। ଶେଷରେ ସମ୍ପାଦକ ସଦାଶିବ ଦାସ ସସମସ୍ତଙ୍କୁ ଧନ୍ୟବାଦ ଦେଇଥିଲା ବେଳେ ବରିଷ୍ଠ ନାଗରିକ ବ୍ରଜବନ୍ଧୁ ଦାସ ଏବଂ ମହାବେରେଣା କ୍ଲବର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments
Loading...