ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ୫ ରାଜ୍ୟକୁ ଅନୁରୋଧ କଲେ ରାଜ୍ୟ ସରକାର

ଉଭୟ ରାଜ୍ୟର ବସ୍‌ ଉପରୁ ଦୁଇ ମାସ ଟିକସ ଛାଡ଼ ପ୍ରସ୍ତାବ

ଭୁବନେଶ୍ବର : ଓଡ଼ିଶା-ବିହାର ମଧ୍ୟରେ ଯଥାଶୀଘ୍ର ଆନ୍ତଃରାଜ୍ୟ ବସ୍ ଚଳାଚଳ ଆରମ୍ଭ ପାଇଁ ରାଜ୍ୟ ସରକାର ୫ଟି ରାଜ୍ୟକୁ ଅନୁରୋଧ କରିଛନ୍ତି। ଆନ୍ତଃରାଜ୍ୟ ବସ୍ ଚଳାଚଳ ଆରମ୍ଭ ହେଲେ ଦୁଇ ମାସ ପାଇଁ ଉଭୟ ରାଜ୍ୟର ବସ୍‌ ଉପରେ ଟିକସ ଛାଡ଼ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ବିହାର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଝାରଖଣ୍ଡ ପରିବହନ ସଚିବଙ୍କୁ ପତ୍ର ଲେଖି କହିଛନ୍ତି ଯେ ଏପ୍ରିଲ ୧୭ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନିର୍ଦେଶାବଳୀ ଅନୁସାରେ ଉଭୟ ରାଜ୍ୟର ସହମତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ଆରମ୍ଭ ହୋଇପାରିବ। ଏହି ପରିପ୍ରେକ୍ଷୀରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଅଗ୍ରାଧିକାର ଦେଇ ଗତ ୨୬ ତାରିଖରୁ ବସ୍ ଚଳାଚଳ ଆରମ୍ଭ ପାଇଁ ଓଡ଼ିଶା ସରକାର ଅନୁମତି ପ୍ରଦାନ କରିଛନ୍ତି। ଲକ୍ ଡାଉନ୍ ପାଇଁ ବସ୍ ଚଳାଚଳ ବନ୍ଦ ଥିବାରୁ ଓଡ଼ିଶା ସରକାର ତିନି ମାସ ପାଇଁ ବସ୍ ଉପରୁ ଟିକସ ଛାଡ଼ କରିଛନ୍ତି। ଏପରିସ୍ଥଳେ ଯଥାଶୀଘ୍ର ଆନ୍ତଃରାଜ୍ୟ ବସ୍ ଚଳାଚଳ ଆରମ୍ଭ ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଆନ୍ତଃରାଜ୍ୟ ବସ୍ ଚଳାଚଳ ଆରମ୍ଭ ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବା ଆବଶ୍ୟକ। ଯଦି ଏହି ପ୍ରସ୍ତାବ ଗ୍ରହଣ କରାଯାଉଛି ତା ହେଲେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଯିବା ଆସିବା କରୁଥିବା ବସ୍‌ ଉପରୁ ରାଜ୍ୟ ସରକାର ଏପ୍ରିଲ୍ ଓ ଜୁନ୍ ମାସର ଟିକସ ଛାଡ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଅନୁରୂପ ଭାବେ ସମ୍ପୃକ୍ତ ରାଜ୍ୟ ସରକାର ମଧ୍ୟ ଓଡ଼ିଶାରୁ ସେଠାକୁ ଯିବାକୁ ଥିବା ବସ୍‌ ଉପରୁ ଟିକସ ଛାଡ଼ କରିବା ଆବଶ୍ୟକ। ଏସମ୍ପର୍କରେ ନିଷ୍ପତ୍ତି ତୁରନ୍ତ ଜଣାଇବା ପାଇଁ ଶ୍ରୀ ପାଢ଼ୀ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ ଯେ ଆନ୍ତଃରାଜ୍ୟ ବସ୍ ଅନ୍ୟ ରାଜ୍ୟରେ ପ୍ରବେଶ କଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଟିକସ ଦେଇଥାନ୍ତି। ମାସିକ ଓ ତିନିମାସରେ ଥରେ ବସ୍ ମାଲିକ ଏହି ଟିକସ ପୈଠ କରିଥାନ୍ତି।

Comments are closed.