୧୮ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକା ଯୋଗାଣ ନେଇ ସ୍ପଷ୍ଟ କରୁନାହାନ୍ତି ‘ସେରମ୍’ ଓ ‘ବାୟୋଟେକ୍’ : ପୁଣି ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର : ୧୮ରୁ ୪୪ବର୍ଷ ବୟସ୍କ ଯୁବପିଢ଼ି ଏବେ ଟିକା ପାଇଁ ବ୍ୟାକୁଳ; ହେଲେ କେବେ ଟିକା ପାଇବେ ତା’ର କିଛି ଠିକଣା ନାହିଁ। ଭାରତ ସରକାରଙ୍କ ପକ୍ଷରୁ ଟିକାକରଣରେ ବୟସ କୋହଳ କରାଗଲା ସତ; ମାତ୍ର ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଟିକା କେବେ ମିଳିବ ତାହା କହିହେବନାହିଁ। ଏବେ ଯେଉଁ ଟିକା ଆସୁଛି ତାହା କେବଳ ୪୫ବର୍ଷରୁ ଊର୍ଦ୍ଧ୍ବଙ୍କୁ ଦିଆଯିବ। ୧୮ରୁ ୪୪ବର୍ଷ ବୟସ୍କ ଯୁବପିଢ଼ିଙ୍କୁ କେବେ ଟିକା ମିଳିବ ତାହା ଟିକା ଆସିଲେ ଜଣାପଡିବ ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟକୁ କିଭଳି ତୁରନ୍ତ ଟିକା ମିଳିବ ସେନେଇ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପୁଣି ଥରେ ‘ଭାରତ ବାୟୋଟେକ୍’ ଓ ‘ସେରମ ଇନଷ୍ଟିଚ୍ୟୁଟ’ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ମେ’ ମାସ ପାଇଁ ଅତି କମରେ ୪୦ ଲକ୍ଷ କୋଭିସିଲଡ ଟିକା ଆବଶ୍ୟକ ଥିବାବେଳେ ୫ଲକ୍ଷ କୋଭାକ୍ସିନ ଦରକାର। ସେହିପରି ଜୁନ୍ ଓ ଜୁଲାଇ ପାଇଁ ୬୦ଲକ୍ଷ କୋଭିସିଲ୍ଡ ଟିକାର ଆବଶ୍ୟକ ଥିବାବେଳେ ୫.୩୪ ଲକ୍ଷ କୋଭାକ୍ସିନ ଟିକା ଆବଶ୍ୟକ ରହିଛି।
ସୂଚନାଯୋଗ୍ୟ ଯେ ଶ୍ରୀ ମହାପାତ୍ର ଚଳିତମାସ ୨୪ରେ ଉଭୟ ସଂସ୍ଥାର ମୁଖ୍ୟଙ୍କୁ ପତ୍ର ଲେଖି ଟିକା ଯୋଗାଇବାକୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ଟିକାକରଣ ଲାଗି ୩କୋଟି ୭୭ଲକ୍ଷ କୋଭିସିଲଡ ଓ ୧୦ଲକ୍ଷ ୩୪ହଜାର କୋଭାକ୍ସିନ୍ ପାନ ଟିକାର ଆବଶ୍ୟକ ଅଛି।

Comments are closed.