ଏସଇବିସି, ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଅନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶାର ବହୁସଂଖ୍ୟକ ସାମାଜ ତଥା ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଖୁବ ଶୀଘ୍ର ସମ୍ବିଧାନ ଅନୁମୋଦିତ ୨୭% ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ମୋଦି ସରକାରରେ ଦେଶରେ ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ ୧୦%ର ସ୍ଥାନ ସଂରକ୍ଷଣ ହୋଇଥିବା ବେଳେ ଏହାକୁ ମଧ୍ୟ ଓଡ଼ିଶାରେ ଲାଗୁ କରିବା ପାଇଁ ମଖ୍ୟମନ୍ତ୍ରୀ ସକରାତ୍ମକ ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ନୂଆଦିଲ୍ଲୀଠାରେ ଗୁରୁବାର ସାମ୍ବାଦିକ ସମ୍ବିଳନୀ ଜରିଆରେ ପୁଣି ଥରେ ଏହି ଦୀର୍ଘଦିନର ଦାବୀକୁ ଦୋହରାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ମୋଟ ଜନସଂଖ୍ୟାର ୫୪% ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ। ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଞ୍ଚିତ ହେବା କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ। ଏଥିପାଇଁ ସେ ପୂର୍ବରୁ ତିନି ଥର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୀର୍ଘ ଦିନର ଦାବୀ ତଥା ଓବିସିଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ଏସ୍‍ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଛନ୍ତି। ଦେଶରେ ଦୀର୍ଘ ତିନି ଦଶନ୍ଧି ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡିଶା ସରକାର କାହିଁକି ଏହି କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଦେଶର ଅନେକ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୂନ ୨୭% ସଂରକ୍ଷଣ ଲାଗୁ କରିଥିବାବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଓଡ଼ିଶାରେ ପାଖାପାଖି ୨୧୦ଟି ସମୁଦାୟକୁ ଏସଇବିସି ବର୍ଗରେ ଚିହ୍ନଟ କରାଯାଇଛି। ଯାହାର ବିଜ୍ଞପ୍ତି ୧୯୯୩ ମସିହାରୁ ଆରମ୍ଭ କରି ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ ଗୋଟିଏ ଓବିସି ତାଲିକା ରହିଥିବା ବେଳେ ରାଜ୍ୟ ପାଖରେ ମଧ୍ୟ ଏସଇବିସି ତାଲିକା ରହିଛି। ତେଣୁ ମୁଖ୍ୟମନ୍ତ୍ରୀ ରାଜନୈତିକ ବାଦବିବାଦରୁ ବାହାରକୁ ଯାଇ ଏସଇବିସି ଓ ଓବିସି ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ସାମ୍ବିଧାନିକ ଅଧିକାର ପ୍ରଦାନ କରନ୍ତୁ। ଏହା ଦ୍ୱାରା ସମାଜରେ ସାମାଜିକ ଓ ଆର୍ଥିକ ବୈଷମ୍ୟତା ଦୂର ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Comments
Loading...