ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଗୁରୁତ୍ବପୂର୍ଣ୍ଣ ବୈଠକ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଲଚିଦା ଗ୍ରାମରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୃଶଭାନୁ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲାଣି କିନ୍ତୁ ଚାଷୀ ମାନେ ଏବେ ବି ସମସ୍ୟା ଘେରରେ ରହିଛନ୍ତି। ଅନେକ ଥର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କିଛି ଲାଭ ମିଳିନି ଚାଷୀଙ୍କୁ। ଏବେ ପୁଣି ଟୋକନ୍ ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକେଇଛି। ଗତ ରବି ଋତୁରେ ଅନେକ ଚାଷୀଙ୍କ ଟୋକନ୍ ବାତିଲ ହୋଇ ସେମାନେ ଧାନ ବିକି ପାରିନଥିଲେ। ଶେଷରେ ଶାଗ ଦରରେ ବିକି ଅକଥନୀୟ କ୍ଷତି ସହିଛନ୍ତି। ଏବେ ପୁଣି ସେହି ଟୋକନ୍ ବ୍ୟବସ୍ଥା ଚାଷୀଙ୍କୁ କ୍ଷତି କରିବାର ସମ୍ଭାବନାକୁ ହୃଦୟଙ୍ଗମ କରି ବୈଠକରେ ଏହି ଟୋକନ୍ ଉପରେ କଡାକଡି ଆଲୋଚନା ହୋଇଥିଲା। ଶେଷ ପର୍ଯ୍ୟନ୍ତ ଟୋକନ୍ ବଳବତ୍ତର ରହିବା ପାଇଁ ସେଠାରେ ସମସ୍ତେ ଦାବି ଜଣାଇଥିଲେ ଯାହା ସଂଗଠନ ପକ୍ଷରୁ ପ୍ରଶାସନକୁ ଦାବି କରାଯିବ ବୋଲି କୁହାଯାଇଥିଲା। ରୋଗ ପୋକରେ ଅନେକ ଚାଷୀଙ୍କର ଫସଲ ନଷ୍ଟ ହୋଇଛି। ପୁଣି ବୀମା କରାଇବା ନାମରେ ଅନେକ ଅସାଧୁ ଦଲାଲ୍ ମାନେ ଚାଷୀଙ୍କଠାରୁ ପଇସା ନେଇ ଠକିଛନ୍ତି। ସବୁବେଳେ ଚାଷୀ  ବିଭିନ୍ନ ଉପାୟରେ ଶୋଷିତ ହୋଇଆସୁଛି। ତେଣୁ ସଂଗଠନ ଚାଷୀଭାଇ ମାନଙ୍କୁ ଗାଁ ଗାଁ ବୁଲି ଏବିଷୟରେ ସଚେତନ ମଧ୍ୟ କରିଆସିଛି। ଏହା ବ୍ୟତୀତ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରିବା ସହ ସେମାନଙ୍କୁ ସଂଗଠନର ଦାୟିତ୍ଵ ଦିଆଯାଇଥିଲା। ଏଥିରେ ଶ୍ରୀ ହାରଧନ୍ ପ୍ରଧାନଙ୍କୁ ସଭାପତି ଭାବେ ଦାୟିତ୍ଵ ଦିଆଯାଇଥିଲା। ଠିକ୍ ସେହିପରି ଭିକାରୀ ଚରଣ ବାରିକ ଉପସଭାପତି,ଲୋକେଶ୍ୱର୍ ପ୍ରଧାନ ସମ୍ପାଦକ,ଗଣେଶ ମହାକୁଡ କୋଷଧକ୍ଷ ଦାୟିତ୍ୱରେ ରହିଥିବାବେଳେ ବୃଷଭାନୂ ସାହୁ,ବସନ୍ତ ବାରିକ୍,ପଲଉ ମାଝୀ ଓ ନାରାୟଣ ସାହୁ ସଂଗଠନର ଉପଦେଷ୍ଟା ଭାବରେ ରହିଛନ୍ତି।ବସନ୍ତ ବାରିକ୍ ଓ ହୃଷୀକେଶ ପ୍ରଧାନ  ମିଡ଼ିଆ ପ୍ରଭାରୀ ଦାୟିତ୍ୱରେ ରହିଛନ୍ତି। ଚାଷୀମାନଙ୍କ ସମସ୍ୟାର ସମାଧାନ ନ ହେବା ଯାଏଁ ସଂଗଠନ ଅନବରତ ଚେଷ୍ଟିତ ରହିବ ବୋଲି ସଭାପତି କହିଥିଲେ। ଟୋକନ୍ ବଳବତ୍ତର ନ ରହିଲେ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ବୋଲି ସଂଗଠନ ନିଷ୍ପତ୍ତି ନେଇଛି। ଚାଷୀର ହକ୍ ପାଇଁ ସଂଗଠନ ସବୁବେଳେ ତତ୍ପରତା ଦେଖାଇ ଆସିଛି ଓ ଭବିଷ୍ୟତରେ ବି ତତ୍ପରତା ଦେଖାଇବ ବୋଲି ସଭାପତି ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ଏହି ବୈଠକରେ କୃଷକ ପ୍ରଧାନ,ଶ୍ରୀମନ୍ତ ବାରିକ୍,ପଞ୍ଚାନନ ପ୍ରଧାନ,ସଂସାର ପ୍ରଧାନ ଓ ସ୍ଵତନ୍ତ୍ର ସାହୁ ପ୍ରମୁଖ ଚାଷୀଭାଇ  ତଥା ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ।

Comments are closed.