ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ୭୦ ଲକ୍ଷ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁବିଧା

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ: ୨୦ଟି ପ୍ରସ୍ତାବ ଉପରେ ଲାଗିଲା ମୋହର
୨୦୦୭, ୨୦୧୫ ଶିଳ୍ପ ନୀତିରେ ପରିବର୍ତନ ଓ କାରଖାନା ଆଇନ ୧୯୫୮ରେ ସଂଶୋଧନ
୩ୟଶ୍ରେଣୀ ନିଯୁକ୍ତିରେ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ, କେବଳ ପରୀକ୍ଷାରେ କୃତକାର୍ଯ୍ୟଙ୍କୁ ନିଯୁକ୍ତି
ଗଙ୍ଗାଧର ମେହେର ଉଠା ଜଳ ପ୍ରକଳ୍ପ ନିମନ୍ତେ ୧୧୩୮.୬୩ କୋଟି ଟଙ୍କା ଅନୁଦାନ
୮ ବ୍ଲକର ୯୧୧ ଗାଁକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୮୨୭ କୋଟି ବ୍ୟୟ ବରାଦ
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ୬.୬୬ ଏକର ଜମି ଯୋଗାଇ ଦେବାକୁ ନିଷ୍ପତ୍ତି
ଭୁବନେଶ୍ଵର: ରାଜ୍ୟର ୭୦ ଲକ୍ଷ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ସ୍ବାସ୍ଥ୍ୟ ସୁବିଧା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ଆଜି ରାଜ୍ୟ କ୍ୟାବିନେଟରେ ମୋଟ ୨୦ଟି ପ୍ରସ୍ତାବ ଗୃହୀତ ହୋଇଛି ।
୨୦୦୭ ଓ ୨୦୧୫ ଶିଳ୍ପନୀତି ଓ କାରଖାନା ଆଇନ ୧୯୫୮ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ କାରଖାନାରେ ଓଭର ଟାଇମ ବୃଦ୍ଧିକୁ କ୍ୟାବିନେଟ ମଂଜୁରୀ ମିଳିଛି। ୩ ମାସରେ ୭୫ ଘଣ୍ଟା ଓଭର ଟାଇମ ୧୧୫ ଘଣ୍ଟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ଅନୁରୂପ ଭାବରେ ତୃତୀୟ ଶ୍ରେଣୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ସାକ୍ଷାତକାର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଗ୍ରୁପ୍ ସି ପରୀକ୍ଷା ପାଇଁ ଆଉ କୌଣସି ସାକ୍ଷାତକାର ପରୀକ୍ଷା ହେବ ନାହିଁ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। କେବଳ ଲିଖିତ ଓ ଦକ୍ଷତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନିଯୁକ୍ତି ମିଳିବ ବୋଲି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି ।
ପୂର୍ବରୁ ଘୋଷିତ ଗଙ୍ଗାଧର ମେହେର ବୃହତ୍ ଜଳସେଚନ ପ୍ରକଳ୍ପ ନିମନ୍ତେ ୧୧୩୮.୬୩ କୋଟି ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁରୀ ଦିଆଯାଇଛି । ବିଜେପୁର ନିର୍ବାଚନ କ୍ଷେତ୍ରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଏହାଦ୍ବାରା ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳ ଉପକୃତ ହେବ । ଏହି ପ୍ରକଳ୍ପରେ ଏହାଦ୍ୱାରା ୨୫ ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।
ଅନୁରୂପ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି । ପୂର୍ବରୁ ପ୍ରଚଳିତ ନିର୍ମଳ ସ୍କିମର ଅବଧି ବୃଦ୍ଧି କରାଯିବ ଏବଂ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ ଯୋଜନା କାର୍ଯ୍ୟକାରୀ ହେବ । ଅନୁରୂପ ଭାବରେ ଓଡ଼ିଶା ସ୍ବାସ୍ଥ୍ୟବୀମା କମିଟି ଗଠନ ହେବ । ଏହାଦ୍ୱାରା ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧିକାରୀ ଲାଭ ପାଇପାରିବେ।
୮ ବ୍ଲକର ୯୧୧ ଗାଁକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୮୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛି । କାଲିମେଳା, ବୈପାରୀଗୁଡ଼ା, ସାରସକଣା, ଭୋଗରାଇ, କାଶୀନଗର, ଗୁମା ଓ ମାହାଙ୍ଗା ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯକାରୀ ହେଇଛି ।
ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କ୍ଷତିଗ୍ରସ୍ତଙ୍କୁ ପୁରୀ ମଙ୍ଗଳାଘାଟରେ ୬.୬୬୧ ଏକର ଜମି ମାଗଣା ଦିଆଯିବ ବୋଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ କ୍ଷତିଗ୍ରସ୍ତଙ୍କଠାରୁ କୌଣସି ଜମି ରେଜିଷ୍ଟ୍ରେସନ ଫି ଓ ଷ୍ଟାମ୍ପ ଡ୍ୟୁଟି ନିଆଯିବ ନାହିଁ ବୋଲି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି ।