ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବକୁ ମୋହର : ସଶକ୍ତ ହେବ ପଞ୍ଚାୟତ

-ପଞ୍ଚାୟତ ବୁଝିବ ସ୍କୁଲ, ହସ୍ପିଟାଲ, ଏଲ୍‌ଆଇ, ଭେଟେରିନାରୀ କେନ୍ଦ୍ରର ଉନ୍ନତିକରଣ ଦାୟିତ୍ବ
-ଜଳସେଚନ, ସଂରକ୍ଷଣ ଓ ନିଷ୍କାସନକୁ ଗୁରୁତ୍ବ
-୧୯, ୧୦୦ କୋଟିର ବିନିଯୋଗ ପ୍ରସ୍ତାବ ଅନୁମୋଦିତ
-୩୫,୮୨୪ ହେକ୍ଟର ଜଳବନ୍ଦୀ ଅଞ୍ଚଳରେ କୃଷି

ଭୁବନେଶ୍ବର: ଆସନ୍ତା ଦୁଇଦିନ ପରେ ରାଜ୍ୟସରକାରଙ୍କ ପକ୍ଷରୁ ପାଳନ ହେବ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ। ଏହା ପୂର୍ବରୁ ରାଜ୍ୟ ସରକାର ପଞ୍ଚାୟତକୁ କିଭଳି ସଶକ୍ତ କରାଯାଇ ପାରିବ ସେନେଇ ତତ୍ପରତା ଦେଖାଇଛନ୍ତି। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ସଶକ୍ତ କରିବାପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ମାରିଛନ୍ତି। ସେଥି ମଧ୍ୟରେ ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ଦାୟିତ୍ବ ଏଣିକି ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ବୁଝିବ। ସେହିପରି ସବୁ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,ସବ ଡ଼ିଭିଜନାଲ ସ୍ବାସ୍ଥ୍ୟକେନ୍ଦ୍ର, ଭେଟେରିନାରୀ, ଏଲଆଇ ସେଣ୍ଟର, ଅଙ୍ଗନବାଡି କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ କାର୍ଯ୍ୟ ମଧ୍ୟ ପଞ୍ଚାୟତ କରିବ। ଏହାସହିତ ରାଜ୍ୟରେ ଜଳସମ୍ପଦର ସଂରକ୍ଷଣ, ଜଳସେଚନ,ଜଳ ନିଷ୍କାସନ ଓ ଜଳର ସଦୁପଯୋଗ କରାଯିବାକୁ ଦୃଷ୍ଟିରେ ରଖି ସରକାର ୧୯ହଜାର ୧୦୦କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ସହିତ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ମାରିଛନ୍ତି।

କ୍ୟାବିନେଟ ବୈଠକର ସୂଚନା ଅନୁଯାୟୀ ପଞ୍ଚାୟତକୁ ସଶକ୍ତୀକରଣ ଓ ସ୍ବୟଂକ୍ରିୟ କରିବାପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିରେ ଖଣି, ଇସ୍ପାତମନ୍ତ୍ରୀଙ୍କ ସହିତ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ଗଣଶିକ୍ଷା ମନ୍ତ୍ରୀ ସଭ୍ୟ ରହିଛନ୍ତି। ଏହି କମିଟିର ନିଷ୍ପତ୍ତି ଅନୁଯାୟୀ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ସ୍ତରରେ ସବୁ ବିଦ୍ୟାଳୟ ଓ ସ୍ବାସ୍ଥ୍ୟ ଅନୁଷ୍ଠାନ ବଣ୍ଟାଯିବ। ଏନେଇ ଗଣଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ପ୍ରଣାଳୀ ପ୍ରସ୍ତୁତ କରିବେ। ରାଜ୍ୟରେ ସବୁ ଛାତ୍ରଛାତ୍ରୀଙ୍କୁ ଯେଭଳି ଉଚ୍ଚସ୍ତରୀୟ ବିଦ୍ୟାଳୟ ଭିତ୍ତିଭୂମି ମିଳିବ ସେଥିପ୍ରତି ପଞ୍ଚାୟତିରାଜ ବିଭାଗ ଗୁରୁତ୍ବ ଦେବ।
ସେହିପରି ଜଳସମ୍ପଦ ବିଭାଗର ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ ରାଜ୍ୟରେ ଜଳ ସେଚନ ଓ ଜଳକ୍ଷମତାକୁ ତ୍ବରାନ୍ବିତ କରିବା ପାଇଁ ଆସନ୍ତା ୫ବର୍ଷରେ ସରକାର ୧୫୦୦କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିରେ ୩୮ହଜାର ୪୬୩ହେକ୍ଟର ଅଞ୍ଚଳ ଜଳସେଚିତ ହେବ। ଏହାସହିତ
୪୪୯ କିଲୋମିଟର କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଏଥିରେ ୪୧.୨୪କିମିର କ୍ଷୁଦ୍ର ଜଳସେଚନ ରହିଥିବାବେଳେ ୨୩୮.୬ କିମିର ବୃହତ ଜଳସେଚନ ରହିଥିବା ରାଜ୍ୟ କ୍ୟାବିନେଟରୁ ଜଣାଯାଇଛି।

ଏହାବ୍ୟତୀତ ଜଳନିଷ୍କାସନ ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିବାପାଇଁ ଆସନ୍ତା ୪ବର୍ଷରେ ୫୦୦କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଏକ ସ୍ବତନ୍ତ୍ର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମୋହର ମାରିଛନ୍ତି। ଏଥିରେ ୩୯୧୦ କିମିର ବିଭିନ୍ନ ନଦୀ ଓ ନାଳର ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ। ଏହାସହିତ ୩୫ହଜାର ୮୨୪ ହେକ୍ଟର ଜଳବନ୍ଦୀ ଅଞ୍ଚଳକୁ କୃଷି କାର୍ଯ୍ୟରେ ବ୍ୟବହୃତ କରାଯିବ। ଜଳସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଲାଗି ସରକାର ଆସନ୍ତା ୫ବର୍ଷରେ ୫ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପୂର୍ବରୁ ୨୦୧୪-୧୫ରେ ସରକାରଙ୍କ ପକ୍ଷରୁ ୧ହଜାର କୋଟି ଟଙ୍କା ଏବାବଦରେ ବିନିଯୋଗ କରାଯାଇଥିଲା। ସେହିପରି ଆଗାମୀ ଦିନରେ ଜଳ ସଙ୍କଟକୁ ଟାଳିବାପାଇଁ ମହାନଦୀ, ବୈତରଣୀ, ଋଷିକୂଲ୍ୟା ଓ ବ୍ରାହ୍ମଣୀ ନଦୀରେ ସରକାର ଜଳଭଣ୍ଡାର ଓ ଆନିକଟ ନିର୍ମାଣ କରିବେ। ଏବାବଦକୁ ଆସନ୍ତା ୬ବର୍ଷରେ ୧୧ହଜାର ୭୦୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ନୂତନ ଜଳଭଣ୍ଡାରରୁ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଇବା ସହିତ ଜଳସେଚନ ଓ ଶିଳ୍ପକୁ ଜଳ ଯୋଗାଇ ଦିଆଯିବ। ସବୁଠାରୁ ବଡ଼କଥା ହେଲା ରାଜ୍ୟରେ ଅଚଳ ହୋଇ ପଡିଥିବା ଉଠାଜଳସେଚନକୁ ସକ୍ରିୟ କରିବାପାଇଁ ସରକାର କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଜଳସମ୍ପଦ ବିଭାଗର ପ୍ରସ୍ତାବ ଅନୁଯାୟୀ ଆଗାମୀ ୫ବର୍ଷରେ ସରକାର ୯୪ହଜାର ୯୪୦ ହେକ୍ଟରକୁ ଜଳସେଚନ ପାଇଁ ଥିବା ଉଠାଜଳସେଚନକୁ ସଚଳ କରିବେ। ଏଥିରେ ୩୯୯୭ଟି ପଏଣ୍ଟକୁ ମରାମତି କରାଯିବ। ଏବାବଦକୁ ସରକାର ୭୫୦କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାବାଦ୍ ରାଜ୍ୟ ହଜ୍ କମିଟି ପାଇଁ ସରକାର ଷ୍ଟାମ୍ପ ଡ୍ୟୁଟି ଛାଡ କରିଥିବା ରାଜ୍ୟ କ୍ୟାବିନେଟ ବୈଠକରୁ ଜଣାଯାଇଛି।

Comments are closed.