ସାମାଜିକ ଦୂରତ୍ବ ରକ୍ଷା କରି କୃଷି କାର୍ଯ୍ୟ ଜାରି ରଖ: ମନ୍ତ୍ରୀ

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଓଡ଼ିଶା ସମେତ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି। ଏହି କାରଣରୁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ କୃଷିମନ୍ତ୍ରୀ ଅରୁଣକୁମାର ସାହୁ ଜିଲାସ୍ତରୀୟ କୃଷି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସାମାଜିକ ଦୂରତ୍ୱକୁ ରକ୍ଷା କରି କୃଷି କାର୍ଯ୍ୟ ଜାରି ରଖିବା ଏବଂ ଖାଦ୍ୟଶସ୍ୟ ଅମଳ ଓ ବିକ୍ରିବଟାକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ସମୟରେ ଜିଲା ମୁଖ୍ୟାଳୟ ନଛାଡ଼ିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି।ମନ୍ତ୍ରୀ ଶ୍ରୀ ସାହୁ ଜିଲା କୃଷି ଅଧିକାରୀ, ଉଦ୍ୟାନ କୃଷି ଉପ ନିର୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଏବଂ ନିୟନ୍ତ୍ରିତ ବଜାର କମିଟିର ସଂପାଦକମାନଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳଙ୍କ ପରାମର୍ଶ କ୍ରମେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ଅବଲମ୍ବନ କରି କୃଷି କାର୍ଯ୍ୟ କରିବା ପାଇଁ ସେ ଜିଲା କୃଷି ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କୃଷି କାର୍ଯ୍ୟ ଯେପରି ଠିକ୍ ସମୟରେ ହେବ ସେଥି ନିମନ୍ତେ ଉଭୟ ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଖରିଫ ଚାଷ ପାଇଁ ଧାନ ବିହନର ପ୍ରକ୍ରିୟାକରଣ ଓ ପରୀକ୍ଷଣର ସଦ୍ୟତମ ସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା। ଚାଷୀମାନେ ଯେପରି ସୁବିଧାରେ ବିହନ, ସାର ଓ କୀଟନାଶକ ପାଇପାରିବେ ସେଥିନିମନ୍ତେ ଆଗୁଆ ଯୋଜନା ପ୍ରସ୍ତୁତ କରି ଚାଷୀଙ୍କ ପାଇଁ ବିହନ ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ବିହନ ଉପଲବ୍ଧ କରାଇବା ସହିତ ଆବଶ୍ୟକ ସାର ଓ କୀଟନାଶକ ଔଷଧ ଆଦି ମହଜୁଦ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥି ସହିତ ସମସ୍ତ କୃଷି ଯନ୍ତ୍ରପାତି ଯେପରି ସହଜରେ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ପଦକ୍ଷେପ ନେବାକୁ ସେ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡାଲି, ତୈଳବୀଜ, କପା ଆଦି ରବି ଫସଲର ଅମଳ ସହିତ ଏହାର ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବା ଲାଗି ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି। କୃଷିଜାତ ଦ୍ରବ୍ୟ ବିଶେଷ କରି ପନିପରିବା ଯେପରି ଚାଷୀମାନେ ସହଜରେ ବିକ୍ରି କରିପାରିବେ ସେଥି ନିମନ୍ତେ ବଜାର ସୁବିଧା ଯୋଗାଇଦେବା ସହ ଉତ୍ପାଦିତ ଦ୍ରବ୍ୟର ସିଧାସଳଖ ବିକ୍ରି ସହିତ ଇ-ନାମ ପୋର୍ଟାଲ ଜରିଆରେ ବିକ୍ରି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ, ସ୍ୱତନ୍ତ୍ର ଶାସନ ସଚିବ, କୃଷି ନିର୍ଦେଶକ ଓ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.