କୋଭିଡ ପରିସ୍ଥିତି ସୁଧୁରିବା ପରେ ଷ୍ଟେନଲେସ ଷ୍ଟିଲ ଚାହିଦା ବଢିଛି

ନୂଆଦିଲ୍ଲୀ : ଦେଶରେ କୋଭିଡ-ମହାମାରୀର ଦ୍ୱିତୀୟ ଲହର ପ୍ରଭାବ ହ୍ରାସ ପାଉଥିବାବେଳେ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିସହିତ ଷ୍ଟେନଲେସ ଷ୍ଟିଲ ଚାହିଦା ମଧ୍ୟ ବୃଦ୍ଧିପାଇଛି । ବିଶେଷକରି ପ୍ରକ୍ରିୟାକରଣ ଶିଳ୍ପ, ବିନିର୍ମାଣ, ରେଳବାଇ, ମେଟ୍ରୋ ରେଲ, ବାସନକୁସନ ଆଦି ଶିଳ୍ପରେ ଏହି କଞ୍ଚାମାଲର ଚାହିଦା ବୃଦ୍ଧି କାରଣରୁ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀଗୁଡିକର ବିକ୍ରି ଓ ଲାଭରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ଅବସରରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ନିର୍ଦ୍ଦେଶକ ମଣ୍ଡଳୀ ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ନିମନ୍ତେ କମ୍ପାନୀର ଅଡିଟ କରାଯାଇନଥିବା ଆର୍ଥିକ ଫଳାଫଳକୁ ଅନୁମୋଦନ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନିମାସ ତୁଳନାରେ ଦ୍ୱିତୀୟ ତ୍ରୟମାସିକରେ କମ୍ପାନୀର ବିକ୍ରି ପରିମାଣ ୮% ବୃଦ୍ଧିପାଇ ୨୫୬,୬୬୪ ଟନ୍‍ ହୋଇଛି । ସମୁଦାୟ ଦ୍ୱିତୀୟ ତ୍ରୟମାସିକରେ କଞ୍ଚାମାଲର ମୂଲ୍ୟରେ ଲଗାତର ବୃଦ୍ଧି ଅବିଚାରିତ ଭାବରେ ଘଟିଚାଲିଥିଲା । ନିକେଲ ଏବଂ ଫେରୋକ୍ରୋମର ଏଲଏମଇ ଦର ଯଥାକ୍ରମେ ୧୦% ଓ ୨୧% ବୃଦ୍ଧି ଘଟିଥିଲା, ଯାହାର ମହଜୁଦ ଥିବା ଉତ୍ପାଦର ମୂଲ୍ୟାୟନ ଉପରେ ସକାରାତ୍ମକ ପ୍ରଭାବ ପକାଇଥିଲା । ଏଥିସହିତ ପରିମାଣଗତ ବୃଦ୍ଧି କାରଣରୁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିିନିମାସ ତୁଳନାରେ ଦ୍ୱିତୀୟ ତ୍ରୟମାସିକରେ ଇବିଆଇଟିଡିଏରେ ୨୩% ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଇବିଆଇଟିଡିଏ ଏବଂ ଟିକସ ପରବର୍ତ୍ତୀ ଲାଭ ଯଥାକ୍ରମେ ୧୨୯୦ କୋଟି ଟଙ୍କା ଏବଂ ୬୩୪ କୋଟି ଟଙ୍କା ହୋଇଥିଲା । ଏହି ତ୍ରୟମାସିକରେ ସାଧାରଣ ବିନିର୍ମାଣ କାର୍ଯ୍ୟକଳାପର ଗତି ତ୍ୱରାନ୍ୱିତ ହେବାରୁ ଡୁପ୍ଲେକ୍ସ ଏବଂ ସୁପର ଅଷ୍ଟେନିଟିକ ଭଳି ସ୍ୱତନ୍ତ୍ର ଗ୍ରେଡର ଚାହିଦାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ତେବେ ଚୀନ ଓ ଇଣ୍ଡୋନେସିଆ ଆଦି ରାଷ୍ଟ୍ରରୁ ହେଉଥିବା ଶସ୍ତା ଆମଦାନିର ପ୍ରତିକୂଳ ପ୍ରଭାବ ଭାରତର ଘରୋଇ ଶିଳ୍ପ ଉପରେ ପଡୁଥିବାରୁ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କର ଏକାଧିକ ଥର ଦୃଷ୍ଟି ଆକର୍ଷଣ କରାଯାଇଛି ।

Comments are closed.