ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ : ୫୯ଟି ଆସନରେ ହେବ ମତଦାନ

ନୂଆଦିଲ୍ଲୀ :  ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳିରେ ଏହି ପର୍ଯ୍ୟାୟରେ ରବିବାର (ଆସନ୍ତାକାଲି) ଭୋଟ୍‍ ଗ୍ରହଣ କରାଯିବ।
ଯେଉଁସବୁ ଆସନରେ ଏହି ପର୍ଯ୍ୟାୟରେ ଭୋଟ୍‍ଗ୍ରହଣ କରାଯିବ, ସେଥିମଧ୍ୟରେ ଉତ୍ତର ପ୍ରଦେଶ ଓ ପଞ୍ଜାବରେ ୧୩ଟି ଲେଖାଏଁ ଲୋକସଭା ଆସନ
ଥିବାବେଳେ ପଶ୍ଚିମବଙ୍ଗରେ ୯ଟି, ବିହାର ଓ ମଧ୍ୟପ୍ରଦେଶରେ ୮ଟି ଲେଖାଏଁ,ହିମାଚଳ ପ୍ରଦେଶର ସମସ୍ତ ୪ଟି ଯାକ ଆସନ, ଝାଡ଼ଖଣ୍ଡର ୩ଟି ଏବଂ
ଚଣ୍ଡୀଗଡ଼ର ଏକମାତ୍ର ଆସନ ରହିଛି। ଏହି ୫୯ଟି ଆସନ ମଧ୍ୟରୁ ୫୦ଟି ଆସନ ପାଇଁ ଗତ ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଥିଲାବେଳେ
ପଶ୍ଚିମବଙ୍ଗର ୯ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନକୁ ଗତ ଗୁରୁବାର ରାତିରେ ସମାପ୍ତ କରାଇଥିଲା।

ପଶ୍ଚିମବଙ୍ଗର ୯ଟି ଲୋକସଭା ଆସନ ମଧ୍ୟରେ ରହିଛି ଦମଦମ, ଯାଦବପୁର, ବାରାସତ, ବସିରଘାଟ, ଜୋଏନଗର, ମଥୁରାପୁର, ଡାଇମଣ୍ଡ ହାର୍ବର, କୋଲକାତା ଦକ୍ଷିଣ ଓ କୋଲକାତା ଉତ୍ତର। ଏକକୋଟି ୪୯ଲକ୍ଷ ମତଦାତା ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ୧୧୧ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୭ହଜାରରୁ ଊର୍ଦ୍ଧ୍ବ ଭୋଟ୍‍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ଭୋଟ୍‍ଗ୍ରହଣ ସମୟରେ କୌଣସି ପ୍ରକାର ହିଂସାକାଣ୍ଡକୁ ଏଡାଇବା ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ସମେତ କେନ୍ଦ୍ରୀୟ ବାହିନୀର ୬୭୬ କମ୍ପାନୀ ଜବାନକୁ ମୁତୟନ କରାଯାଇଛି। ଏମାନଙ୍କ ମଧ୍ୟରେ ୧୪୭ କମ୍ପାନୀ ଜବାନକୁ କେବଳ କୋଲକାତାରେ ମୁତୟନ କରାଯାଇଛି। କୌଣସି ପ୍ରକାର ଅଘଟଣର ମୁକାବିଲା କରିବା ପାଇଁ ୪୪୪ ତ୍ୱରିତ ବାହିନୀ ଟିମ୍‍କୁ ମଧ୍ୟ ସଜାଗ ରଖାଯାଇଛି। ଆନ୍ତଃରାଜ୍ୟ ଓ ବାଂଲାଦେଶ ସହ ସୀମାରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହାର ଲୋକମାନଙ୍କ ପ୍ରବେଶକୁ ରୋକିବା ଲାଗି ସୁନ୍ଦରବନର ବିଭିନ୍ନ ଦ୍ୱିପରେ ଡଙ୍ଗା ଓ ଲଞ୍ଚ ଆଦି ଯାନ ସାହାଯ୍ୟରେ ଜବାନମାନେ ପହରା ଦେଉଛନ୍ତି।

courtesy : sentinelassam.com

ପଶ୍ଚିମବଙ୍ଗର ବାଙ୍କୁରା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ସାନି ଭୋଟ୍‍ଗ୍ରହଣ ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୨
ତାରିଖ ଦିନ ସେଠାରେ ଭୋଟ୍‍ଗ୍ରହଣ ହୋଇଥିଲା।

ମଧ୍ୟପ୍ରଦେଶରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଇନ୍ଦର, ଉଜ୍ୱୟିନୀ, ଧର୍‍, ରତଲମ, ମଣ୍ଡସୌର, ଦିୱାସ, ଖର୍ଗୋଣ୍ଡ ଓ ଖଣ୍ଡୱା
ଆଦି ୮ଟି ଲୋକସଭା ଆସନ ପାଇଁ ଭୋଟ୍‍ଗ୍ରହଣ ହେବ। ଦେଢ଼କୋଟି ଭୋଟ୍‍ଦାତା ୬ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୮୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ କରିବେ। ପ୍ରବଳ ଗ୍ରୀଷ୍ମପ୍ରବାହ ହେତୁ ନିର୍ବାଚନ ଆୟୋଗ ପକ୍ଷରୁ ଅଧିକାଂଶ ଜିଲ୍ଲାରେ ବିଟ୍‍ ଦି ହିଟ୍‍ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ଭୋଟ୍‍ଗ୍ରହଣ କେନ୍ଦ୍ର ଆଗରେ ଛିଡା ହୋଇଥିବା ଭୋଟ୍‍ଦାତାମାନଙ୍କ ପାଇଁ ଛାଇ ବ୍ୟବସ୍ଥା
କରାଯାଇଛି । ଏଥିସହିତ ବସିବା ପାଇଁ ଉପଯୁକ୍ତ ବ୍ୟବସ୍ଥା, ଥଣ୍ଡାପାଣି, ଲେମ୍ବୁ ପାଣି, ବଟର ମିଲ୍‍କ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି।

Pic. Credit : Election 2019

ପଞ୍ଜାବରେ ଶାନ୍ତିପୂର୍ଣ୍ଣ ଭୋଟ୍‍ ଗ୍ରହଣ ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍‍ଗ୍ରହଣ କରାଇବା ପାଇଁ ନିର୍ବାଚନ ଆୟୋଗ ୧ଲକ୍ଷରୁ ଊର୍ଦ୍ଧ୍ବ ପୁଲିସ ଏବଂ ୧ଲକ୍ଷ ୨୫ହଜାର କର୍ମଚାରୀଙ୍କୁ ନିୟୋଜନ କରିଛନ୍ତି। ରାଜ୍ୟରେ ୨୩ହଜାର ୨୧୩ଟି ଭୋଟ୍‍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ତନ୍ମଧ୍ୟରୁ ୨୪୯ଟି ଭୋଟ୍‍ଗ୍ରହଣ କେନ୍ଦ୍ରକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି। ୭୧୯ଟି ଭୋଟ୍‍ଗ୍ରହଣ କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଥିବାବେଳେ ୫୦୯ଟି ଭୋଟ୍‍ଗ୍ରହଣ କେନ୍ଦ୍ରକୁ ଅତି ସମ୍ବଦନଶୀଳ ବୋଲି ଘୋଷଣା କରାଯାଇଛି। ୨ କୋଟି ୭ଲକ୍ଷ ୮୧ହଜାରରୁ ଊର୍ଦ୍ଧ୍ବ ଭୋଟ୍‍ଦାତା ୨୭୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଉତ୍ତରପ୍ରଦେଶରେ ମଧ୍ୟ ସମସ୍ତ  ପ୍ରସ୍ତୁତି  ଶେଷ ହୋଇଛି। ଇଭିଏମ୍‍ ଓ ଅନ୍ୟ ସାମଗ୍ରୀଗୁଡ଼ିକ ସହ ଭୋଟ୍‍ ଗ୍ରହଣକାରୀ ଦଳଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଠାଯାଉଛି। ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ସୀମାକୁ ବନ୍ଦ କରିଦିଆଯାଇଛି । ନିରାପତ୍ତା ବାହିନୀର ଜବାନମାନେ ସବୁ ଯାଞ୍ଚଘାଟୀ ଗୁଡ଼ିକରେ ତନ୍ନତନ୍ନକରି ଯାଞ୍ଚ କରୁଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ, ବିହାର ଓ ଝାଡ଼ଖଣ୍ଡ ସୀମା ସହ ସଂଲଗ୍ନ ସୋନଭଦ୍ର ଜିଲ୍ଲାରେ କଡା ସତର୍କ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନେପାଳ ସହ ସୀମାନ୍ତ ଜିଲ୍ଲା ଗୁଡ଼ିକର ସୀମାରେ ସଶସ୍ତ୍ର ସୀମାବଳ ଯାଞ୍ଚ କରୁଛି। ହିମାଚଳ ପ୍ରଦେଶରେ ଦୂରଦୂରାନ୍ତ ଦୁର୍ଗମ ଅଞ୍ଚଳକୁ ଭୋଟ୍‍ଗ୍ରହଣକାରୀ ଦଳଗୁଡ଼ିକୁ ଆଗୁଆ ପଠାଯାଇଛି। ଦୁର୍ଗମ ଜାଗାଗୁଡ଼ିକୁ ଇଭିଏମ୍‍ ମେସିନ୍‍ଗୁଡ଼ିକୁ ନେବାଲାଗି ବିଏସ୍‍ଏଫ୍‍ ହେଲିକପ୍ଟର, ଗଧ ଓ ବାହାକ ଆଦି ମାଧ୍ୟମ ବ୍ୟବହାର କରାଯାଉଛି।

ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା, ରବିଶଙ୍କର ପ୍ରସାଦ, ହର୍‍ସିମ୍‍ରତ୍‍ କୌର ବାଦଲ୍‍ ଏବଂ ହର୍‍ଦୀପ୍‍ ସିଂ ପୁରୀ । ସେହିପରି ବିଜେପିର କିରଣ ଖେର୍‍, ସନ୍ନି ଦେଓଲ, ରବି କିଶନ
ଏବଂ ଶିରୋମଣି ଅକାଳି ଦଳର ସୁଖ୍‍ବୀରସିଂହ ବାଦଲ, କଂଗ୍ରେସର ମୀରା କୁମାର ଏବଂ ଶତ୍ରୁଘ୍ନ ସିହ୍ନା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଶିବୁ ସୋରେନ୍‍ଙ୍କ
ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ।
ସକାଳ ୭ଟାବେଳେ ଭୋଟ୍‍ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ଲୋକସଭା ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ
ଓ ସକ୍କିମ୍‍ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଗୁରୁବାର ଦିନ ଭୋଟ୍‍ଗଣତି ସହ ଫଳାଫଳ ଘୋଷଣା ହେବ।

Comments are closed.