ସୁଶାନ୍ତଙ୍କ ମୃତ୍ୟୁ ଘଟଣା : କିଏ ତଦନ୍ତ କରିବ ଗୁରୁବାର ନିଷ୍ପତ୍ତି

ମୃତଦେହ ଝୁଲିବା ଦେଖିନାହୁଁ: ବାପା

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କିଏ କରିବ? ସିବିଆଇ ନା ମୁମ୍ବଇ ପୁଲିସ। ଏହା ଉପରେ ସୁପ୍ରିମକୋର୍ଟ ଚୂଡାନ୍ତ ନିଷ୍ପତ୍ତି ନେଇପାରି ନାହାନ୍ତି। ସିବିଆଇ ଯଦି ଏହି ମାମଲାର ତଦନ୍ତ କରିବ ତେବେ ଏହାର ନ୍ୟାୟିକ ପରିସର ପାଟନା ରହିବ ନା ମୁମ୍ବଇ ତାହା ମଧ୍ୟ ନିଷ୍ପତ୍ତି ହୋଇପାରି ନାହିଁ। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଥିବାବେଳେ ଏହାର ନ୍ୟାୟିକ ପରିସରକୁ ନେଇ ବିବାଦ ଦେଖାଯାଇଛି। ବିହାର ପୁଲିସର ଏତଲା ଆଧାରରେ ସିବିଆଇ ମାମଲା ରୁଜୁ କରିଛି। ତେବେ ଏହା ପୂର୍ବରୁ ଅଗଷ୍ଟ ୫ରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ବିହାର ପୁଲିସରେ ରୁଜୁ ମାମଲାର ତଦନ୍ତ ମୁମ୍ବଇକୁ ସ୍ଥାନାନ୍ତର କରିବାକୁ ପିଟିସନ ଦାୟର କରିଥିଲେ। ଏହି ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଥିବାରୁ ସିବିଆଇ ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିପାରି ନାହିଁ। ଗୁରୁବାର ସୁପ୍ରିମକୋର୍ଟ ଏହା ଉପରେ ନିଷ୍ପତ୍ତି ନେବାକୁ ଯାଉଛନ୍ତି।
ରିୟାଙ୍କ ଆବେଦନ ଆଧାରରେ ମଙ୍ଗଳବାର ଶୁଣାଣି ସମୟରେ ସୁଶାନ୍ତଙ୍କ ପିତା କୃଷ୍ଣକୁମାର ସିଂହ କହିଛନ୍ତି ତାଙ୍କ ପୁଅର ମୃତଦେହ ଝୁଲିବା ଅବସ୍ଥାରେ ପରିବାର ଲୋକ କେହି ଦେଖିନାହାନ୍ତି। ସୁଶାନ୍ତଙ୍କ ମୃତଦେହ ଖଟରେ ରହିଥିବା ଅବସ୍ଥାରେ ଭଉଣୀ ମିତୁ ସିଂହ ଦେଖିଥିଲେ। କୃଷ୍ଣକୁମାରଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ବିକାଶ ସିଂହ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇ କହିଛନ୍ତି ଯେ ମୁମ୍ବଇ ପୁଲିସର ତଦନ୍ତ ଉପରେ ତାଙ୍କର ବିଶ୍ୱାସ ନାହିଁ। ମୁମ୍ବଇ ପୁଲିସ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକା ସମ୍ପର୍କରେ ତଦନ୍ତ କରିବା ପରିବର୍ତ୍ତେ ଅଲଗା ଦିଗରେ ତଦନ୍ତ କରୁଛି। ସେହିପରି ମୁମ୍ବଇ ପୁଲିସ ସୁଶାନ୍ତଙ୍କ ପିତାଙ୍କ କଥା ଶୁଣି ନଥିଲା। ମୁମ୍ବଇ ପୁଲିସ ସୁଶାନ୍ତଙ୍କ ପିତାଙ୍କ କହିବା ମୁତାବକ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ନ କରି ଭିନ୍ନ ଏକ ଦିଗରେ ତଦନ୍ତ କରିଥିଲା। ଫଳରେ ମୁମ୍ବଇ ପୁଲିସ ଉପରୁ ସେ ବିଶ୍ୱାସ ତୁଟାଇ ପାଟନା ପୁଲିସ ନିକଟରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲେ। ସେହିପରି ରିୟା ଏହି ଘଟଣାର ସିବିଆଇ ତଦନ୍ତ ଚାହୁଁଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଅନୁମତି ଦେବା ଦରକାର ବୋଲି ବିକାଶ ସିଂହ କହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତକୁ ଅନୁମତି ସହିତ ସିବିଆଇ ଅଧିକାରୀଙ୍କ କ୍ଷେତ୍ରରେ କ୍ୱାରେଣ୍ଟାଇନରେ ରଖିବା ନିୟମ କାର୍ଯ୍ୟକାରୀ ହେବ ନାହିଁ ତାହା ସୁପ୍ରିମକୋର୍ଟ ନିଶ୍ଚିତ କରନ୍ତୁ ବୋଲି ଓକିଲ ବିକାଶ ସିଂହ କହିଛନ୍ତି। ସୋମବାର ଶୁଣାଣି ସମୟରେ ରିୟା ଚକ୍ରବର୍ତ୍ତୀ କହିଥିଲେ ଯେ ଘଟଣାର ସିବିଆଇ ତଦନ୍ତ ଉପରେ ତାଙ୍କର କୌଣସି ଆପତ୍ତି ନାହିଁ; ମାତ୍ର ସିବିଆଇ ତଦନ୍ତର ନ୍ୟାୟିକ ପରିସର ପାଟନା ପରିବର୍ତ୍ତେ ମୁମ୍ବଇ ରହିବ।
ସେହିପରି ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଶ୍ୟାମ ଦିବାନ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାରେ ବିହାର ସରକାରଙ୍କ ରାଜନୈତିକ ଚାପ ଓ ହସ୍ତକ୍ଷେପ ରହିଛି। ଏହି ଘଟଣାରେ ପାଟନାର କୌଣସି ସମ୍ପର୍କ ନାହିଁ। ଦିବାନ କହିଛନ୍ତି ଯେ ରିୟାଙ୍କ ବିରୋଧରେ ଗଣମାଧ୍ୟମରେ ଅଯଥା ଚର୍ଚ୍ଚା କରାଯାଇ ତାଙ୍କୁ ଦୋଷୀ ଭଳି ପ୍ରଦର୍ଶନ କରାଯାଉଛି। ମାମଲା ସ୍ଥାନାନ୍ତର ସହିତ ଏହି ଘଟଣାର ସିବିଆଇ ତଦନ୍ତ ନେଇ ତାଙ୍କର କୌଣସି ଆପତ୍ତି ନାହିଁ। ଘଟଣା ଉପରେ ଯିଏ ବି ତଦନ୍ତ କରୁ ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ରିୟା ଆହୁରି କହିଛନ୍ତି ଯେ ସେ ସୁଶାନ୍ତଙ୍କୁ ଭଲ ପାଉଥିଲେ। ତାଙ୍କ ମୃତ୍ୟୁ ପରେ ମାନସିକ ଦୁଃଖରେ ରହିଛନ୍ତି। ଅନ୍ୟପଟେ ବିହାର ପୁଲିସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ମନିନ୍ଦର ସିଂହ କହିଥିଲେ ଯେ ବିହାର ପୁଲିସର ତଦନ୍ତରେ ମୁମ୍ବଇ ପୁଲିସ କୌଣସି ପ୍ରକାର ସହଯୋଗ କରି ନଥିଲା। ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ମୁମ୍ବଇ ପୁଲିସ ମନା କରିଥିଲା। ରାଜନୈତିକ ଚାପ କାରଣରୁ ସୁଶାନ୍ତଙ୍କ ପିତା ମୁମ୍ବଇ ପରିବର୍ତ୍ତେ ପାଟନାରେ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲେ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିହାରର ପାଟନା ପୁଲିସ ନିକଟରେ ରୁଜୁ ହୋଇଥିବା ମାମଲାର ତଦନ୍ତ ମୁମ୍ବଇକୁ ସ୍ଥାନାନ୍ତର କରିବା ନେଇ ରିୟା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଜାରି ରଖିଛନ୍ତି।

Comments are closed.