ପୁଲିସର ଦାୟିତ୍ୱହୀନିତାରୁ ସୁଶାନ୍ତଙ୍କ ମୃତ୍ୟୁ ହେଲା

ରିୟାଙ୍କୁ କ୍ଲିନ୍‍ଚିଟ ଦିଆଯାଇ ନାହିଁ: ମୁମ୍ବଇ ପୁଲିସ

ମୁମ୍ବଇ : ମୁମ୍ବଇ ପୁଲିସର ଦାୟିତ୍ୱହୀନତା ଯୋଗୁଁ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ହେଲା ବୋଲି ତାଙ୍କ ପରିବାର ଲୋକ କହିଛନ୍ତି। ବୁଧବାର ସୁଶାନ୍ତଙ୍କ ପରିବାର ଜାରି କରିଥିବା ୯ପୃଷ୍ଠାର ଏକ ବିବୃତିରେ ଏହା ଉଲ୍ଲେଖ କରିଛନ୍ତି। ପିତା କୃଷ୍ଣକୁମାର ସିଂହ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ସୁଶାନ୍ତଙ୍କର ଭଲ ସମ୍ପର୍କ ନଥିବା ନେଇ କେତେକ ବ୍ୟକ୍ତି ବିଶେଷ ମିଥ୍ୟା ଅଭିଯୋଗ କରୁଥିବାବେଳେ ଏହାକୁ ଖଣ୍ଡନ ପୂର୍ବକ ପରିବାର ସଦସ୍ୟ ଏହି ବିବୃତି ଜାରି କରିଛନ୍ତି। ବିବୃତିରେ ସୁଶାନ୍ତଙ୍କ ପରିବାର ବର୍ଣ୍ଣନା କରିଛନ୍ତି ଯେ ତାଙ୍କ ପୁଅର ଯାତ୍ରା ବିହାରର ଏକ ମଫସଲ ଅଞ୍ଚଳରୁ ମୁମ୍ବଇ ସହରକୁ କିପରି ଯାଇଥିଲା। ୫ ପିଲାଙ୍କୁ ମଣିଷ କରିବା ଲାଗି ସୁଶାନ୍ତଙ୍କ ପିତାମାତା ୯୦ଦଶକରେ ଗାଁରୁ ସହରକୁ ଚାଲିଆସିଥିଲେ। ପିଲାମାନଙ୍କୁ ଖାଦ୍ୟ ପେୟ ଯୋଗାଇବାଠାରୁ ପାଠପଢା ପର୍ଯ୍ୟନ୍ତ ପ୍ରତ୍ୟେକଟି ଆବଶ୍ୟକତା ପୂରଣ ଲାଗି ପିତାମାତାଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଥିଲା। ପିଲାମାନଙ୍କୁ ସ୍ୱପ୍ନ ଦେଖିବାରୁ ପିତାମାତା କେବେହେଲେ ବଞ୍ଚିତ କରି ନଥିଲେ। ପିତାମାତାଙ୍କର ବିଶ୍ୱାସ ଥିଲା ଯେ କଠିନ ପରିଶ୍ରମ ଦ୍ୱାରା କୌଣସି କାମ ଅସମ୍ଭବ ନୁହେଁ।
ଅନ୍ୟପଟେ ମୁମ୍ବଇ ପୁଲିସ ଆଜି କହିଛି ଯେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ କ୍ଲିନଚିଟ୍‍ ଦିଆଯାଇ ନାହିଁ। ତେବେ ରିୟା ଚକ୍ରବର୍ତ୍ତୀ ମୁମ୍ବଇ ଜୋନ-୯ ଡିସିପି ଅଭିଷେକ ତ୍ରିମୁଖେଙ୍କୁ ଦୁଇଥର ଫୋନ କରିଛନ୍ତି। ମୁମ୍ବଇ ପୁଲିସ ଠାରୁ ରିୟା ଇମେଲ ମାଧ୍ୟମରେ ଲିଖିତ ସୂଚନା ପାଇଛନ୍ତି। ତେବେ ଇମେଲରେ ରିୟାଙ୍କ ପାଖକୁ କଣ ଲେଖାଯାଇଥିଲା ତାହା ଅଛପା ରହିଛି। ସୁଶାନ୍ତଙ୍କ ମୃତ୍ୟୁ ଘଟଣା ଉପରେ ମୁମ୍ବଇ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ସିବିଆଇ ଏହାର ତଦନ୍ତ କରିବାକୁ ଯାଉଛି। ତେବେ ସିବିଆଇ ତଦନ୍ତ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିବେ।

Comments are closed.