ଧାର୍ମିକ ସଂସ୍ଥାର ସମ୍ପତ୍ତି ଅଡ଼ିଟ୍ ଲାଗି ସଂସଦରେ ଆସିବ ବିଲ: ଆସନ୍ତୁ ଦେଖିବା କେଉଁ ମନ୍ଦିରର କେତେ ସମ୍ପତ୍ତି

ଧାର୍ମିକ ଅନୁଷ୍ଠାନର ସମ୍ପତ୍ତି ତନଖି ନିମନ୍ତେ ବିଲ୍ ଆଣିବେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ବରିଷ୍ଠ ଆଇନଜୀବୀ ଡ଼. ସୁବ୍ରମଣ୍ୟମ ସ୍ବାମୀ ଦେଶର ସମସ୍ତ ଆର୍ଥିକ ସଂସ୍ଥାଗୁଡ଼ିକର ଆୟ ଓ ବ୍ୟୟ, ସମ୍ପତ୍ତିର ସିଏଜି ଅଡ଼ିଟ୍ କରିବା ପ୍ରସଙ୍ଗ ଉଠାଇବା ପରେ ସୃଷ୍ଟି ହୋଇଛି ନୂଆ ବିତର୍କ । ସେ କହିଛନ୍ତି କରୋନା ମହାମାରୀ ପରେ ଯେତେବେଳେ ସଂସଦର ଅଧିବେଶନ ବସିବ ସେତେବେଳେ ସେ ଧାର୍ମିକ ସଂସ୍ଥାଗୁଡ଼ିକର ଆର୍ଥିକ ଅଡ଼ିଟ୍ ବାଧ୍ୟତାମୂଳକ କରାଯିବା ନେଇ ଏକ ପ୍ରାଇଭେଟ୍ ମେମ୍ବର ବିଲ୍ ଉପସ୍ଥାପନ କରିବେ । ଏ ସମ୍ପର୍କରେ ଡ଼. ସ୍ବାମୀ ଟ୍ବିଟ୍ କରିବା ପରେ ଏହାକୁ ବିିଭିନ୍ନ ମହଲରେ ସମର୍ଥନ ମିଳିଛି । କେବଳ ସେତିକି ନୁହେଁ ଡ଼. ସ୍ବାମୀ ସବୁ ଧର୍ମର ଧାର୍ମିକ ସଂସ୍ଥାଗୁଡ଼ିକକୁ ଏହି ଅଡ଼ିଟରେ ସାମିଲ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଆସନ୍ତୁ ଜାଣିବା ଦେଶର କିଛି ପ୍ରସିଦ୍ଧ ମନ୍ଦିରର ସମ୍ପତ୍ତି ସମ୍ପର୍କରେ —

ପଦ୍ମନାଭସ୍ବାମୀ ମନ୍ଦିର (କେରଳ): ଦେଶର ସବୁଠାରୁ ଧନୀ ମନ୍ଦିର କଥା କୁହାଗଲେ ଏଥିରେ ଶୀର୍ଷସ୍ଥାନରେ ରହିବ କେରଳର ତିରଅନନ୍ତପୁରମ୍ ସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର । ମନ୍ଦିର ନିକଟରେ ୨୦୧୬ ମସିହାରେ ୨୦ ବିଲିଅନ ଡ଼ଲାର ଅର୍ଥାତ୍ ୧୩୬୦୯୯ କୋଟି ଟଙ୍କାର ସମ୍ପତ୍ତି ଥିବା ଆକଳନ କରାଯାଇଥିଲା । ମନ୍ଦିରର ବାର୍ଷିକ ଆୟ ପ୍ରାୟ ୧ ଲକ୍ଷ କୋଟି ବୋଲି କୁହାଯାଏ । ବିପୁଳ ଗୁପ୍ତ ସମ୍ପତ୍ତି ନେଇ ଏହି ମନ୍ଦିର ବିଶ୍ବରେ ଚର୍ଚାରେ ରହିଆସିଛି ।

ତିରୁପତି ବାଲାଜୀ (ଆନ୍ଧ୍ରପ୍ରଦେଶ) :  ଆନ୍ଧ୍ରପ୍ରଦେଶର ଭଗବାନ ତିରୁପତି ବାଲାଜୀଙ୍କ ପବିତ୍ର ତିରୁମାଲା ତିରୁପତି ଭେଙ୍କଟେଶ୍ବର ମନ୍ଦିରର ମାସିକ ହାରାହାରି ଆୟ ୨୦୦ ରୁ ୨୫୦ କୋଟି ଟଙ୍କା ବୋଲି ଆକଳନ କରାଯାଏ ।

ଏହି ଅର୍ଥର ଏକ ବଡ଼ ପରିମାଣ ଦାନ ସ୍ବରୂପ ଆସିଥାଏ ଓ ଲଡ଼ୁବିକ୍ରି ଲବ୍ଧ ଅର୍ଥରୁ ମଧ୍ୟ ବେଶ ଆୟ ହୋଇଥାଏ । ୨୦୧୬ ମସିହାରେ କେବଳ ଲଡ଼ୁ ବିକ୍ରିରୁ ଏହି ମନ୍ଦିର ୭୫ କୋଟି ଟଙ୍କା ଆୟ କରିଥିବା ଦର୍ଶାଯାଇଛି।  ଚଳିତ ବର୍ଷ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ବାର୍ଷିକ ୨୫୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛି । ୨୦୧୮-୧୯ ମସିହାରେ ମନ୍ଦିରର ଆୟ ୨୮୯୪ କୋଟି ଟଙ୍କା ହୋଇଥିବା ଦର୍ଶାଯାଇଥିଲା । ଏହାବ୍ୟତୀତ ମନ୍ଦିର ନିକଟରେ ପ୍ରାୟ ୨୨୦୦ କୋଟି ଟଙ୍କାର ସ୍ଥାୟୀ ଜମା ସହ ବିପୁଳ ପରିମାଣର ସୁନା ଓ ରୁପା ଗଚ୍ଛିତ ଥିବା କୁହାଯାଉଛି ।

ସାବରୀମାଳା ମନ୍ଦିର (କେରଳ): ଅନୁରୂପ ଭାବରେ କେରଳର ପୋରିୟାର ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ସାବରୀମାଳା ମନ୍ଦିର ମଧ୍ୟ ନିଜର ସମ୍ପତ୍ତି ନିମନ୍ତେ ପ୍ରସିଦ୍ଧ । ଗତବର୍ଷ ବାର୍ଷିକ ତୀର୍ଥଯାତ୍ରା ସମୟରେ ମାତ୍ର ୨୮ ଦିନରେ ମନ୍ଦିରର ଆୟ ୧୦୫ କୋଟି ଟଙ୍କା ହୋଇଥିବା ସୂଚନା ଦିଆଯାଇଥିଲା ।

ସିରିଡ଼ି ସାଇ ମନ୍ଦିର (ମହାରାଷ୍ଟ୍ର): ଆୟ ଦୃଷ୍ଟିରୁ ଦେଶର ଅଗ୍ରଣୀ ମନ୍ଦିରମଧ୍ୟରେ ସିରିଡ଼ି ସାଇ ମନ୍ଦିର ଅନ୍ୟତମ । ଏହି ମନ୍ଦିରରେ ଦୈନିକ ପ୍ରାୟ ଦେଢ଼ କୋଟି ଟଙ୍କା ଆୟ ଦାନରୁ ଆସିଥାଏ ବୋଲି କୁହାଯାଏ । ଏହାବ୍ୟତୀତ ସୁନା ଓ ଚାନ୍ଦି ସାମଗ୍ରୀ, ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥ ମଧ୍ୟ ଦାନରେ ମିଳିଥାଏ । କେବଳ ଦାନବାକ୍ସରୁ ମନ୍ଦିରକୁ ବାର୍ଷିକ ୪୦୦ କୋଟି ଟଙ୍କା ମିଳୁଥିବା ଆକଳନ କରାଯାଇଥାଏ ।

ବୈଷ୍ଣୋଦେବୀ ମନ୍ଦିର ( ଜମ୍ମୁ): ଜାମ୍ମୁର ପବିତ୍ର ବୈଷ୍ଣୋଦେବୀ ମନ୍ଦିରର ଆୟ ମଧ୍ୟ ବେଶ ଅଧିକ ବୋଲି କୁହାଯାଏ ଓ ଏହାର ପରିମାଣ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ଆକଳନ କରାଯାଏ । ବର୍ତମାନ ଏହି ସଂସ୍ଥା ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଛି । ଦାନ ଓ ଅନ୍ୟାନ୍ୟ ସୂତ୍ରରୁ ଏହି ଅର୍ଥ ମିଳିଥାଏ ।

ଜଗନ୍ନାଥ ମନ୍ଦିର (ପୁରୀ): ପୁରୀରେ କାଳିଆ ଠାକୁରଙ୍କ ନିକଟରେ ବିପୁଳ ସମ୍ପତ୍ତି ଥିବା କୁହାଯାଏ । ଏକ ଆକଳନ ଅନୁସାରେ ୨୦୧୬ ସୁଦ୍ଧା ମନ୍ଦିର ନିକଟରେ ୧୩୦ କିଲୋ ସୁନା ଓ ଟନଟନ୍ ଚାନ୍ଦି ଥିବା କୁହାଯାଏ । ତେବେ ସୁନାଚାନ୍ଦି ଅପେକ୍ଷା ବିପୁଳ ଭୂସମ୍ପତ୍ତି ଯୋଗୁଁ ଶ୍ରୀଜଗନ୍ନାଥ ମନ୍ଦିର ଦେଶରେ ପ୍ରସିଦ୍ଧ । ମନ୍ଦିର ନିକଟରେ ରାଜ୍ୟ ଓ ରାଜ୍ୟ ବାହାରେ ୬୦୪୧୮ ଏକର ଜମି ରହିଥିବା ସୁପ୍ରିମକୋର୍ଟରେ ଦାଖଲ ଏକ ମାମଲାରେ ଉଲ୍ଲେଖ ରହିଛି । ଏହି ଜମିକୁ ଆକଳନ କଲେ ପୁରୀ ସହରର ଆକାରଠାରୁ ଜଗନ୍ନାଥଙ୍କ ଜମିର ପରିମାଣ ୧୫ ଗୁଣ ଅଧିକ ।

ସ୍ବର୍ଣ୍ଣମନ୍ଦିର (ପଞ୍ଜାବ): ପଞ୍ଜାବର ସ୍ବର୍ଣମନ୍ଦିର  ଦେଶର ଅନ୍ୟ ଏକ ଧନୀ ମନ୍ଦିର ଭାବରେ ଗଣାଯାଏ । ଏହାର ୩ ଗମ୍ବୁଜ ମଧ୍ୟରୁ ୨ଟିରେ ସୁନା ଛାଉଣି ହୋଇଥିବା କୁହାଯାଏ । ଏହି ମନ୍ଦିରରେ ଦୈନିକ ହଜାର ହଜାର ଲୋକଙ୍କୁ ମାଗଣା ପ୍ରସାଦ ସେବନ କରାଯାଏ ଏବଂ ସ୍ବର୍ଣମନ୍ଦିରର ବାର୍ଷିକ ଆୟ ୧୫ କୋଟିରୁ ଅଧିକ ବୋଲି କୁହାଯାଏ । ସେହିପରି ଗୁଜରାଟର ସୋମନାଥ ମନ୍ଦିରର ବାର୍ଷିକ ଆୟ ୩୫ କୋଟି ଟଙ୍କା ଓ କାଶୀ ବିଶ୍ବନାଥ ମନ୍ଦିରର ବାର୍ଷିକ ଆୟ ୫ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଏ । ମଦୁରାଇର ମିନାକ୍ଷୀ ମନ୍ଦିରର ଆୟ ବାର୍ଷିକ ୬ କୋଟି ଟଙ୍କା ବୋଲି କୁହାଯାଏ ।

ଅନ୍ୟପକ୍ଷରେ ଆଉ କିଛି ଧାର୍ମିକ ସଂସ୍ଥାର ଆୟ ପର୍ଯ୍ୟାପ୍ତ ହେଉଥିବା କୁହାଯାଉଥିଲେ ହେଁ ସେ ସଂପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ। ଆଜମିର ସରିଫ୍, ଦିଲ୍ଲୀର ନିଜାମୁଦ୍ଦିନ ଔଲିଆ ପରି ପ୍ରସିଦ୍ଧ ଦରଘାଗୁଡ଼ିକୁ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ଯାଇଥାଆନ୍ତି। ମାତ୍ର ଏହି ଧାର୍ମିକ ସ୍ଥଳର ଆୟବ୍ୟୟ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ ।

Comments are closed.