ଏସ୍‍ଏସ୍‍ବିର ଖାମଖିଆଲ ନୀତି ଯୋଗୁଁ ଅନିଶ୍ଚିତତାରେ ଇତିହାସ ବିଭାଗର ଆଶାୟୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସଏସବି)ର ଖାମଖିଆଲ ନୀତି ଯୋଗୁଁ ଅଣଅନୁଦୁନାପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟାପକ ନିଯୁକ୍ତିରେ ଇତିହାସ ବିଭାଗର ଆଶାୟୀମାନେ ଅନିଶ୍ଚିତତା ଓ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଛନ୍ତି। ଇତିହାସ ବିଭାଗ ଅଧ୍ୟାପକ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ପରୀକ୍ଷା ଦେଇଥିବା ପ୍ରାୟ ୨୪୦ ଜଣ ଆଶାୟୀ ଏବେ ଚୂଡ଼ାନ୍ତ ଫଳକୁ ଚାହିଁ ବସିଛନ୍ତି। ହେଲେ ଅଦାଲତର ଏକ ରିଟ ପିଟିସନ ୧୧୦୯୪/୨୦୧୯ର ଆଳ ଦେଖାଇ ଏସଏସବି ହାତ ବାନ୍ଧି ବସିପଡିଛି। ଫଳରେ ଚୂଡ଼ାନ୍ତ ଫଳ ପ୍ରକାଶରେ ବିଳମ୍ବ ହେବାରେ ଲାଗିଛି।

ପ୍ରକାଶଯୋଗ୍ୟ ଯେ ଏସଏସବି ଦ୍ୱାରା ପରିଚାଳିତ ଅଣଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ପ୍ରାରମ୍ଭରୁ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଓଡ଼ିଆ, ଇତିହାସ, ସଂସ୍କୃତ, ମନସ୍ତତ୍ୱବିଜ୍ଞାନ, ହିନ୍ଦୀ, ଗଣିତ, ରାଜନୀତି ବିଜ୍ଞାନ, ଅର୍ଥନୀତି, ବାଣିଜ୍ୟ, ଦର୍ଶନଶାସ୍ତ୍ର, ପ୍ରାଣୀ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଆଦି ବିଷୟର ଲିଖିତ ପରୀକ୍ଷାରେ କେତେକ ପ୍ରଶ୍ନ ଭୁଲ ଥିବା, କେତେକ ପ୍ରଶ୍ନ ପାଠ୍ୟକ୍ରମ ବାହାରୁ ଆସିଥିବା ଅଭିଯୋଗ ହୋଇଥିଲା। ପରେ ଏସଏସବି ଦ୍ୱାରା ପ୍ରକାଶିତ ବିକଳ୍ପ ଉତ୍ତର (ଆନ୍ସର କି)ରେ ମଧ୍ୟ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଏସଏସବି ଭୁଲ ଥିବା ପ୍ରଶ୍ନ ଏବଂ ବିକଳ୍ପ ଉତ୍ତର (ଆନ୍ସର କି) ଉପରେ ଅଧିକାରୀକ ଆପତ୍ତି କରିବାକୁ ପରୀକ୍ଷାର୍ଥୀଙ୍କୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ସମୟ ଦେଇଥିଲା। ଏହି କ୍ରମରେ ସବୁ ବିଷୟରେ ବିଶେଷଜ୍ଞ କମିଟି ଗଠନ କରି ଭୁଲ ଥିବା ବିକଳ୍ପ ଉତ୍ତରର ସଂଶୋଧନ କରାଯାଇଥିଲା ଓ ଭୁଲ ପ୍ରଶ୍ନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସମାନ ମାର୍କ ବା ଅଙ୍କ ଦିଆଯାଇଥିଲା। ଏହାପରେ ଜୁନ ୧୧ରେ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ପୂର୍ବରୁ ଓଡ଼ିଆ ବିଭାଗର ଆଶାୟୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ଏହାର ଅଧ୍ୟାପକ ନଯୁକ୍ତିର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇନଥିଲା। ମାତ୍ର ଅନ୍ୟ ବିଷୟରେ ସଂଶୋଧିତ ବିକଳ୍ପ ଉତ୍ତର ଏବଂ ପ୍ରତ୍ୟକ ଭୁଲ ପ୍ରଶ୍ନ ପାଇଁ ସମସ୍ତଙ୍କୁ ସମାନ ନମ୍ବର ଦେବା ଆଧାରରେ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ସହ ସାକ୍ଷାତକାର ପରୀକ୍ଷା ପାଇଁ ଆଶାୟୀଙ୍କୁ ଡକାଯାଇଥିଲା। ଲିଖିତ ପରୀକ୍ଷା ଫଳ ପ୍ରକାଶର ଦୀର୍ଘ ୧୫ ଦିନ ପରେ ଜୁନ ୨୬ରେ ଲିଖିତ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଇତିହାସ ବିଭାଗର କେତେକ ଆଶାୟୀଙ୍କ ଗୋଷ୍ଠୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ରିଟ୍‍ପିଟିସନ ୧୧୦୯୪/୨୦୧୯ରେ ଦର୍ଶାଇଥିଲେ ଯେ ଇତିହାସ ବିଭାଗ ଅଧ୍ୟାପକ ନିଯୁକ୍ତି ଲିଖିତ ପରୀକ୍ଷାର ୨୫ଟି ବିକଳ୍ପ ଉତ୍ତର, ୬ଟି ପ୍ରଶ୍ନ ଭୁଲ ରହିଛି । ଏହାଦ୍ୱାରା ଚୟନ ପ୍ରକ୍ରିୟା ପ୍ରଭାବିତ ହେବ । ତେଣୁ ଇତିହାସ ବିଭାଗ ଅଧ୍ୟାପକ ନିଯୁକ୍ତିର ଲିଖିତ ପରୀକ୍ଷା ପୁନଃ କରାଯାଉ। ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍‍ ବିଆର ଷଡ଼ଙ୍ଗୀ ଜୁନ ୨୭ରେ ରିଟ୍‍ ପିଟିସନ ୧୧୦୯୪/୨୦୧୯ରେ ଇତିହାସ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବା ଓ ଜୁଲାଇ ୨୪ ପର୍ଯ୍ୟନ୍ତ ଚୂଡ଼ାନ୍ତ ଫଳ ପ୍ରକାଶ ନକରିବାକୁ ଅନ୍ତରୀଣ ଆଦେଶ ଦେଇଥିଲେ ଓ ଏହା ଉପରେ ଜବାବ ରଖିବାକୁ ଏସଏସବିକୁ କହିଥିଲେ। ଜୁଲାଇ ୨୩ରେ ଏସଏସବି ପକ୍ଷରୁ କାଉଣ୍ଟର ଆଫିଡେଭିଟ୍‍ (ବିରୋଧୀ ସତ୍ୟପାଠ) ମାଧ୍ୟମରେ ଜବାବ ରଖାଯାଇଥିଲା ଯେ ଇତିହାସ ବିଭାଗ ଅଧ୍ୟାପକ ନିଯୁକ୍ତି ଲିଖିତ ପରୀକ୍ଷାରେ ଭୁଲ ଥିବା ପ୍ରଶ୍ନ ଏବଂ ବିକଳ୍ପ ଉତ୍ତର ଆଦିର ସମୀକ୍ଷା କରିବା ପାଇଁ ଇତିହାସ ବିଭାଗର ୪ ଜଣ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଇତିହାସ ବିଭାଗର ବିଶେଷଜ୍ଞ କମିଟି ୨୩ଟି ନୁହେଁ ୩୦ଟି ବିକଳ୍ପ ଉତ୍ତରରେ ସଂଶୋଧନ କରିବା ଓ ୬ଟି ନୁହେଁ ୧୧ଟି ପ୍ରଶ୍ନରେ ତ୍ରୁଟି ଥିବାରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସେଥିପାଇଁ ସମ୍ପୂର୍ଣ୍ଣ ନମ୍ବର ବା ମାର୍କ ଦେବାକୁ କହିଥିଲେ। ସଂଶୋଧିତ ବିକଳ୍ପ ଉତ୍ତର ଏବଂ ଭୁଲ ପ୍ରଶ୍ନ ପାଇଁ ସମ୍ପୂର୍ଣ୍ଣ ନମ୍ବର ଦିଆଯାଇ ଲିଖିତ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଲିଖିତ ପରୀକ୍ଷାରେ ଅକୃତକାର୍ଯ୍ୟମାନେ ହିଁ ନିଯୁକ୍ତି ପ୍ରକ୍ରିୟାକୁ ବାଧା ଦେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପରେ ଆବେଦକଙ୍କୁ ନିଜ ପକ୍ଷ ରଖିବା ପାଇଁ କୋର୍ଟ ସମୟ ଦେଇଥିଲେ। ଏପଟେ ଏସଏସବି ସାକ୍ଷାତକାର ପରୀକ୍ଷା ଆରମ୍ଭ କରିଥିଲା। କୋର୍ଟରେ ଏହି ମାମଲା ସେବେଠାରୁ ବିଚାରଧୀନ ରହିଛି। ମାମଲାର ତ୍ୱରିତ ଶୁଣାଣି କରିବାକୁ ଏସ୍‍ଏସ୍‍ବି କୋର୍ଟଙ୍କୁ ଅନୁରୋଧ କରୁନାହିଁ ବୋଲି ଆଶାୟୀମାନେ ଅଭିଯୋଗ କରିଛନ୍ତି। ଅନ୍ତରୀଣ ଆଦେଶକୁ ପ୍ରାୟ ୩ ମାସ ପୂରିଯାଇଥିଲେ ବି କୋର୍ଟରେ ମାମଲା ପଡି ରହିଛି। ଏହାଦ୍ୱାରା ଅଣଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଇତିହାସ ବିଭାଗର ଅଧ୍ୟାପକ ନିଯୁକ୍ତିରେ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ ଅଦାଲତରେ ୨୪/୭/୨୦୧୯, ୧/୮/୨୦୧୯, ୮/୮/୨୦୧୯, ୪/୯/୨୦୧୯ରେ ମାମଲା ଲିଷ୍ଟିଂ ହୋଇ ବିଚାର ପାଇଁ ଆସିଛି। ୪/୯/୨୦୧୯ରେ ରିଟ୍‍ ପିଟସନ ଆବେଦନକାରୀମାନେ ନିଜ ପକ୍ଷ ରଖିବାକୁ କୋର୍ଟଙ୍କୁ ୪ ସପ୍ତାହ ବା ୨୮ ଦିନର ସମୟ ମାଗିଥିଲେ ଓ କୋର୍ଟ ସେମାନଙ୍କୁ ସମୟ ମଞ୍ଜୁର କରିଛନ୍ତି। ଅନ୍ତରୀଣ ଆଦେଶର ଅବଧି ୩ ମାସ ରହୁଥିବା ବେଳେ ସେପ୍ଟେମ୍ବର ୨୭ରେ ଏହା ନିରସ୍ତ୍ର ହୋଇଯିବ। ରିଟ୍‍ ପିଟିସନର ଆବେଦନକାରୀଙ୍କୁ ଦିଆଯାଇଥିବା ୨୮ ଦିନ ସମୟ ଅକ୍ଟୋବର ୨ରେ ଶେଷ ହେଉଛି ଓ ଏହାର ୨ ଦିନ ପରେ ଦଶହରା ଛୁଟି ଆସିଯିବ। ଅକ୍ଟୋବର ୫ରୁ ୧୫ ଯାଏଁ ଦଶହରା ଛୁଟି ରହିବ। ୨ରୁ ୫ ତାରିଖ ମଧ୍ୟରେ ଥିବା ୨ ଦିନରେ ଏହି ମାମଲାର ଶୁଣାଣି ହେବ କି ନାହିଁ ତାହା ସାକ୍ଷାତକାର ପରୀକ୍ଷା ଦେଇଥିବା ଆଶାୟୀମାନେ ଜାଣିନାହାନ୍ତି। ଫଳରେ ସେମାନେ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଛନ୍ତି। ଏସଏସବି ମାମଲାର ତ୍ୱରିତ ଶୁଣାଣି ପାଇଁ କୋର୍ଟଙ୍କୁ କାହିଁକି ଅନୁରାଧ କରୁନାହିଁ ବୋଲି ଆଶାୟୀମାନେ ପ୍ରଶ୍ନ କରିଛନ୍ତି। ଲିଖିତ ପରୀକ୍ଷା ପରେ କୋର୍ଟକୁ ଯାଇଥିବା ଅକୃତକାର୍ଯ୍ୟଙ୍କ ଉଦ୍ଦେଶ୍ୟ ଉପରେ ବି ପ୍ରଶ୍ନ ଉଠିଛି। କାରଣ ସେମାନେ ଲିଖିତ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ହିଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାସବୁ ପରେ ବିଚାର ପ୍ରକ୍ରିୟା ବିଳମ୍ବିତ ହେବା ଅନେକ ଦିଗକୁ ନେଇ ପ୍ରଶ୍ନ ଉଠାଉଛି।

Comments are closed.