MEllora 950×100

ଏସ୍‌ଏସ୍‌ବି ଅଧ୍ୟାପକ ସଂଘର ‘ସମାନ କାମକୁ ସମାନ ଦରମା’ ଦାବି

ଯାଜପୁର : ସମାନ କାମକୁ ସମାନ ଦରମା ଦାବିରେ ଯାଜପୁର ଜିଲା ଏସ୍‌ଏସ୍‌ବି ଅଧ୍ୟାପକ ସଂଘ ପକ୍ଷରୁ ରବିବାର ଚଣ୍ଡଖୋଲସ୍ଥିତ ଆଇବିଠାରେ ଏକ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ଏସ୍‌ଏସ୍‌ବି ସଂଘର ସମ୍ପାଦକ ତଥା ବିବି ସ୍ୱୟଂଶାସିତ ମହାବିଦ୍ୟାଳୟ ଗଣିତ ବିଭାଗ ଅଧ୍ୟାପକ ପତିତପାବନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାପତି ତଥା ଭିଏନ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ରଜତ କାନ୍ତ ଦାଶ ବୈଠକର ଆଭିମୁଖ୍ୟ କହିଥିଲେ । ସେ କହିଥିଲେ ଯେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବୈଧାନିକ ସଂସ୍ଥା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ଦ୍ୱାରା ଏକ କଠିନ ନିଯୁକ୍ତି ପ୍ରକ୍ରିୟା ଦେଇ ସେମାନେ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡିକରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି ।

ଏସ୍‌ଏସ୍‌ବି ଦ୍ୱାରା ବିଭିନ୍ନ ବିଷୟରେ ନିଯୁକ୍ତ ଅଧ୍ୟାପକ/ଅଧ୍ୟାପିକାମାନେ ରାଜ୍ୟର ପ୍ରାୟ ୮୦% ସ୍ନାତକ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ସିବିସିଏସ୍ ପାଠ୍ୟକ୍ରମ ଅନୁସାରେ ପାଠ ପଢାଉଛନ୍ତି । ମାତ୍ର ପରିତାପର ବିଷୟ ଯେ ଓପିଏସ୍‌ସି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ତୁଳନାରେ ଏସ୍‌ଏସ୍‌ବି ଅଧ୍ୟାପକଙ୍କୁ ୪୬୦୦ ପେସ୍କେଲ ଅନୁସାରେ ବହୁ କମ ଦରମା ମିଳୁଛି । ତେଣୁ ଏସ୍‌ଏସ୍‌ବି ନିଯୁକ୍ତ ଅଧ୍ୟାପଙ୍କ ପ୍ରାରମ୍ଭିକ ପେସ୍କେଲକୁ ୪୬୦୦ ପରିବର୍ତ୍ତେ ୫୪୦୦ ପେସ୍କେଲରୁ ଆରମ୍ଭ କରିବାକୁ ସେ ଦାବି ଉପସ୍ଥାପନ କରିଥିଲେ । ଏହାସହ ଓପିଏସ୍‌ସି ନିଯୁକ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କ ଭଳି ସେମାନଙ୍କୁ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଏହି ବୈଠକରେ ଦାବି କରାଯାଇଥିଲା । ଅନ୍ୟ ଦାବି ମଧ୍ୟରେ ଅବସରକାଳୀନ ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି, ରାଜ୍ୟ ସରକାରଙ୍କ ଦ୍ୱାରା ଏସ୍‌ଏସ୍‌ବି ଅଧ୍ୟାପକଙ୍କୁ ଅନୁଦାନ ବଦଳରେ ସିଧାସଳଖ ଦରମା ପ୍ରଦାନ, ଗୃହ ଭତ୍ତା (ଏଚ୍‌ଆର) ପ୍ରଦାନ ଆଦି ଉପସ୍ଥାପିତ କରାଯାଇଥିଲା ।

ଜିଲା ସଂଯୋଜକ ତଥା ବିଏସ୍ କଲେଜ, ନୁଆହାଟର ଇତିହାସ ବିଭାଗ ଅଧ୍ୟାପକ ସାମୁଏଲ କୁମାର ଲିମା ଏବଂ ୟୁଏନ୍‌ଏସ୍ କଲେଜ, ମୁଗପାଳର ବାଣିଜ୍ୟ ବିଭାଗ ଅଧ୍ୟାପକ ସନ୍ଦୀପ କୁମାର ମାଝୀ ସଭା ପରିଚାଳନା କରିଥିଲେ । ଏହି ବୈଠକରେ ଜିଲା ଏସ୍‌ଏସ୍‌ବି ସଂଘର ଉପସଭାପତି ଭାବେ ଖରସ୍ରୋତା କଲେଜ, ସିଂହପୁରର ଅଧ୍ୟାପକ ଡ. ଦୀପ୍ତି ରଂଜନ ସେନାପତିଙ୍କୁ ଏବଂ ଯୁଗ୍ମ ସଂପାଦକ ଭାବେ ଜିସି କଲେଜ, ରାମଚନ୍ଦ୍ରପୁରର ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଜିଲାର ବିଭିନ୍ନ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଏହି ବୈଠକରେ ଯୋଗଦେଇଥିଲେ ।

Comments are closed.