ରାଜସ୍ଥାନକୁ ହରାଇ ଶୀର୍ଷରେ ସନ୍‍ରାଇଜର୍ସ

0

ଜୟପୁର : ଆଇପିଏଲ୍‍-୧୧ରେ ପୁଣିଥରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବିଜୟୀ ହୋଇଛି ସନ୍‍ରାଇଜର୍ସ ହାଇଦରାବାଦ। ରବିବାର ଅପରାହ୍‍ଣର ମ୍ୟାଚ୍‍ରେ ୧୧ ରନ୍‍ରେ ରାଜସ୍ଥାନ ରୟାଲ୍‍ସକୁ ସନ୍‍ରାଇଜର୍ସ ପରାସ୍ତ କରିଛି। ଅଧିନାୟକ ଅଜିଙ୍କ୍ୟ ରାହାଣେ ପୂରା ୨୦ ଓଭର ବ୍ୟାଟିଂକରିବା ସତ୍ତେ୍ୱ ରାଜସ୍ଥାନକୁ ୧୫୨ ରନ୍‍ର ବିଜୟଲକ୍ଷ୍ୟରେ ପହଞ୍ଚାଇ ପାରିନାହାନ୍ତି। ଅଧିନାୟକ କେନ୍‍ ୱିଲିୟମ୍‍ସନଙ୍କ ଅର୍ଦ୍ଧଶତକ ଓ ଆଲେକ୍ସ ହେଲ୍‍ସଙ୍କ ୪୫ ରନ୍‍ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‍ରାଇଜର୍ସ ୭ ୱିକେଟ ହରାଇ ୧୫୧ ରନ୍‍ କରିଥିଲା। ପରେ ଅଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ରାଜସ୍ଥାନ ୬ ୱିକେଟରେ ୧୪୦ ରନ୍‍ କରି ପାରିଥିଲା। ୮ମ ମ୍ୟାଚ୍‍ରେ ୬ଷ୍ଠ ବିଜୟ ହାସଲକରି ସନ୍‍ରାଇଜର୍ସ ୧୨ ପଏଣ୍ଟ ସହ ଟେବୁଲ ଶୀର୍ଷରେ ପହଞ୍ଚିଛି। ଅନ୍ୟପକ୍ଷରେ ରାଜସ୍ଥାନ ୭ମ ମ୍ୟାଚ୍‍ରେ ୪ର୍ଥ ପରାଜୟ ଭୋଗିଛି।
୧୫୨ ରନ୍‍ ଲକ୍ଷ୍ୟରେ ରାଜସ୍ଥାନ ରୟାଲ୍‍ସ ଆରମ୍ଭରୁ ରାହୁଲ ତ୍ରିପାଠୀ (୪) ସହଳ ବିଦାୟ ନେଇଥିଲେ। ସଞ୍ଜୁ ସାମ୍‍ସନ୍‍ କ୍ରିଜ୍‍କୁ ଆସିବା ମାତ୍ରେ କିଛି ଦର୍ଶନୀୟ ସଟ୍‍ ଖେଳିଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସହ ମିଶି ସାମ୍‍ସନ୍‍ ୨ୟ ୱିକେଟ ପାଇଁ ୫୯ ରନ୍‍ ଯୋଡ଼ି ଦଳର ସ୍ଥିତି ମଜ୍‍ଭୁତ କରିଥିଲେ। ସାମ୍‍ସନ୍‍ ୩୦ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୦ ରନ୍‍କରି ଆଉଟ ହୋଇ ଯାଇଥିଲେ। ବେନ୍‍ ଷ୍ଟୋକ୍‍ସ ଖାତା ଖୋଲିନପାରି ୟୁସୁଫ୍‍ ପଠାନ୍‍ଙ୍କ ବଲ୍‍ରେ ବୋଲ୍‍ଡ ହୋଇଥିଲେ। ରାଜସ୍ଥାନ ପାଇଁ ଶକ୍ତ ଧକ୍କା ଥିଲା ଜୋସ୍‍ ବଟ୍‍ଲର ମାତ୍ର ୧୦ ରନ୍‍କରି ଆଉଟ ହୋଇଯିବା। ୨୪ ରନ୍‍ ମଧ୍ୟରେ ୩ଟି ୱିକେଟ ନେଇ ସନ୍‍ରାଇଜର୍ସର ବୋଲର ଉତ୍ସାହିତ ଲାଗୁଥିଲେ। ରାଜସ୍ଥାନ ଶେଷ ୬ ଓଭରରୁ ୫୬ ରନ୍‍ ଆବଶ୍ୟକ କରୁଥିଲା। ୧୮ ବର୍ଷ ବୟସ୍କ ମହିପାଳ ଲୋମ୍‍ରର ଆସି ବାଉଣ୍ଡରୀ ମାରିବାରେ ବିଫଳ ହେବାରୁ ପରବର୍ତ୍ତୀ ୫ ଓଭରରେ ମାତ୍ର ୨୫ ରନ୍‍ ହୋଇଥିଲା। ଲୋମରର ୧୨ ବଲ୍‍ରୁ ମାତ୍ର ୧୧ ରନ୍‍କରି ଆଉଟ ହୋଇଥିଲେ। ଶେଷ ଓଭରରେ ୨୧ ରନ୍‍ ଆବଶ୍ୟକ ଥିବା ବେଳେ ମାତ୍ର ୯ ରନ୍‍ ହୋଇଥିଲା। ରାହାଣେ ୫୩ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୬୫ ରନ୍‍କରି ଅପରାଜିତ ଥିଲେ। ସିଦ୍ଧାର୍ଥ କୌଲ ୨ଟି ୱିକେଟ ନେଇଥିଲେ। କେନ୍‍ ୱିଲିୟମ୍‍ସନ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଅସହ୍ୟ ଗରମ ଦେଖି ସନ୍‍ରାଇଜର୍ସ ହାଇଦରାବାଦ ଟସ୍‍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ସନ୍‍ରାଇଜର୍ସ ଇନିଂସରେ ୨ଟି ପର୍ଯ୍ୟାୟ ଦେଖିବାକୁ ମିଳିଥିଲା। ପ୍ରଥମ ୧୨ ଓଭରରେ ୧ ୱିକେଟରେ ୯୯ ରନ୍‍କରି ସନ୍‍ରାଇଜର୍ସ ଏକ ବଡ଼ ସ୍କୋର୍‍ ଆଡ଼କୁ ଅଗ୍ରସର ହେଉଥିଲା। ତେବେ ଶେଷ ୮ ଓଭରରେ ରାଜସ୍ଥାନ ରୟାଲ୍‍ସର ବୋଲର ଚମତ୍କାର ପ୍ରଦର୍ଶନ କରି ମାତ୍ର ୫୨ ରନ୍‍ଦେଇ ୬ଟି ୱିକେଟ ଅକ୍ତିଆର କରି ପାରିଥିଲେ। ଫଳରେ ସନ୍‍ରାଇଜର୍ସ ଆଶା ରଖିଥିବା ୧୮୦ ରନ୍‍ଠାରୁ ପଛରେ ରହି ଯାଇଥିଲା। ୩ୟ ଓଭର ପ୍ରଥମ ବଲ୍‍ରେ ଶିଖର ଧାୱନ ୬ ରନ୍‍କରି ଆଉଟ ହୋଇ ଯାଇଥିଲେ। ୨ୟ ୱିକେଟ ପାଇଁ ଓପ୍‍ନର ଆଲେକ୍ସ ହେଲ୍‍ସ ଓ ଚମତ୍କାର ଫର୍ମରେ ଥିବା ଅଧିନାୟକ କେନ୍‍ ୱିଲିୟମ୍‍ସନ ୬୯ ବଲ୍‍ରୁ ୮୨ ରନ୍‍ ଯୋଗକରି ଦୃଢ଼ ମୂଳଦୁଆ ପକାଇଥିଲେ। ୱିଲିୟମ୍‍ସନ୍‍ ୧୧ ରନ୍‍ କରିଥିବା ବେଳେ ଆର୍ଚରଙ୍କ ବଲ୍‍ରେ ରାହୁଲ ତ୍ରିପାଠୀ ଏକ ସହଜ କ୍ୟାଚ୍‍ ଛାଡ଼ିଥିଲେ। ସନ୍‍ରାଇଜର୍ସ ପାଇଁ ପ୍ରଥମ ମ୍ୟାଚ୍‍ ଖେଳିଥିବା ଇଂଲଣ୍ଡର ହେଲ୍‍ସ ୩୯ ବଲ୍‍ରୁୁ ୪ଟି ଚୌକା ସହ ୪୫ ରନ୍‍କରି ଆଉଟ ହୋଇଥିଲେ। ୱିଲିୟମ୍‍ସନ ପୁଣି ଏକ ଭଲ ଇନିଂସ ଖେଳି ମାତ୍ର ୪୩ ବଲ୍‍୍‍ରୁ ୨ଟି ଛକା ଓ ୭ଟି ଚୌକା ସହ ୬୩ ରନ୍‍କରି ନ୍ୟୁଜିଲାଣ୍ଡର ସାଥୀ ଲେଗ୍‍ସ୍ପିନର ଇସ୍‍ ସୋଢ଼ିଙ୍କ ବଲ୍‍ରେ କଟ୍‍ ବିହାଇଣ୍ଡ ହୋଇଥିଲେ। ହେଲ୍‍୍‍ସଙ୍କ ପରି ସୋଢ଼ି ମଧ୍ୟ ଚଳିତ ଆଇପିଏଲ୍‍ରେ ପ୍ରଥମ ମ୍ୟାଚ୍‍ ଖେଳିଥିଲେ। ହାଇଦରାବାଦ ଏହାପରେ ନିୟମିତ ୱିକେଟ ହରାଇବାରୁ ଏହାର ରନ୍‍ଗତି ମଧ୍ୟ ଧିମେଇ ଯାଇଥିଲା। ମନୀଷ ପାଣ୍ଡେ ୧୫ ବଲ୍‍ରୁ ୧୬ ରନ୍‍ କରିଥିବା ବେଳେ ସାକିବ୍‍ ଅଲ୍‍ ହାସନ୍‍ ୬ ଓ ୟୁସୁଫ୍‍୍‍ ପଠାନ୍‍ ୨ ରନ୍‍ କରିଥିଲେ। ଋଦ୍ଧିମାନ ଶାହା ୭ ବଲ୍‍ରୁ ୧୧ ରନ୍‍ କରିଥିଲେ। କ୍ରମାଗତ ୨ୟ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଆନ୍‍ ପେସ୍‍ ବୋଲର ଜୋଫ୍ରା ଆର୍ଚର ରାଜସ୍ଥାନ ପାଇଁ ୩ଟି ୱିକେଟ ନେଇଥିଲେ। ଅଫ୍‍ସ୍ପିନର କୃଷ୍ଣପ୍ପା ଗୌତମ ୨ଟି ୱିକେଟ ପାଇଥିଲେ।

Leave A Reply