ଚାରିଟି ପଞ୍ଚାୟତର ୩୭ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର

0

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଟି ପଞ୍ଚାୟତ ପାଇଁ ୧କୋଟି ୪୯ଲକ୍ଷ ଟଙ୍କାର ୩୭ଟି ପକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଜଗତସିଂହପୁର ଜିଲାର ଗୋଡ଼ା, କଟକ ଜିଲାର ତରଡ଼ିଙ୍ଗ, ଗଜପତି ଜିଲାର ଚନ୍ଦ୍ରଗିରି ଓ କଳାହାଣ୍ଡି ଜିଲାର ବେହେରା ଗ୍ରାମ ପଞ୍ଚାୟତର ଭିତ୍ତିଭୂମି ବିକାଶ ପାଇଁ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିବା ସହ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର୍ର ଏବଂ ଭଲଭାବରେ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ବୁଧବାର ଭିଡିଓ କନଫରେନ୍ସ ଦ୍ୱାରା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପରୋକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ। ସେମାନଙ୍କ ଠାରୁ ଗାଁର ଭିତ୍ତିଭୂମି ବିକାଶ ସମ୍ପର୍କିତ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ମୁଖ୍ୟମନ୍ତ୍ରୀ ୩୭ଟି ପ୍ରକଳ୍ପକୁ ତୁରନ୍ତ ମଞ୍ଜୁର କରିଛନ୍ତି। ଗୋଡ଼ା ପଞ୍ଚାୟତ ପାଇଁ ୩୫ଲକ୍ଷ ଟଙ୍କାର ୧୩ଟି ପ୍ରକଳ୍ପ, ତରଡ଼ିଙ୍ଗ ପାଇଁ ୩୫ଲକ୍ଷ ଟଙ୍କାର ୯ଟି, ଚନ୍ଦ୍ରଗିରି ପାଇଁ ୩୫ଲକ୍ଷ ଟଙ୍କାର ୭ଟି ଏବଂ ବେହେରା ପଞ୍ଚାୟତ ପାଇଁ ୩୫ଲକ୍ଷ ଟଙ୍କାର ୮ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି। ଗାଁର ବିକାଶ ଦିଗରେଁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉଦ୍ୟମ ପାଇଁ ଜନସାଧାରଣ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇଦିନ ବିଭିନ୍ନ ପଞ୍ଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି। ସଂପୃକ୍ତ ସରପଞ୍ଚମାନଙ୍କ ପ୍ରସ୍ତାବକୁ ବିଚାରକୁ ନେଇ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ଦେଉଛନ୍ତି।
ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଏବଂ ସଂପୃକ୍ତ ଜିଲାର ଜିଲାପାଳମାନେ ଯୋଗଦେଇଥିଲେ।

Leave A Reply