ବାଲେଶ୍ୱର, ବଲାଙ୍ଗିର ମେଡିକାଲ କଲେଜକୁ ସବୁଜ ସଙ୍କେତ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜ ଆରମ୍ଭ ହେବାକୁ ନେଇ ସରକାରଙ୍କ ଆଶା ପୂରଣ ହେବାକୁ ଯାଉଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମ୍‍ସିଆଇ) ପକ୍ଷରୁ ପରିଦର୍ଶନ ବିଳମ୍ବ ସଂକ୍ରାନ୍ତରେ ହସ୍ତକ୍ଷେପ କରିବା ପରେ ଏମ୍‍ସିଆଇ ଟିମ୍‍ ପରିଦର୍ଶନରେ ଆସିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଆସନ୍ତା ସୋମବାର ଏମ୍‍ସିଆଇ ଟିମ୍‍ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜର ଭିତ୍ତିଭୂମି ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଷ୍ଟାଫ୍‍ ନିଯୁକ୍ତି ସମ୍ପର୍କରେ ପରିଦର୍ଶନ କରିିବେ। ଏହି ଦୁଇଟି ମେଡିକାଲ କଲେଜର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ସଂପୂର୍ଣ୍ଣ କରାଯାଇଛି। ତେଣୁ ବାଲେଶ୍ୱର ଓ ବଲାଙ୍ଗିରବାସୀଙ୍କ ବହୁଦିନର ଆଶା ପୂରଣ ହେବାକୁ ଯାଥିବାବେଳେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଆସନ୍ତା ଶିକ୍ଷାବର୍ଷରେ ନାମଲେଖା ନେଇ ଅନିଶ୍ଚିତତା ଲାଗି ରହିଛି।
ସୂଚନାଯୋଗ୍ୟ ଯେ ଚଳିତମାସ ୧୩ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଓ ଏମ୍‍ସିଆଇକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପତ୍ର ଲେଖି ଏହି ତିନୋଟି ମେଡିକାଲ କଲେଜର ପରିଦର୍ଶନ ଲାଗି ଅନୁରୋଧ କରିଥିଲେ। ଏହାକୁ ନେଇ ଏମ୍‍ସିଆଇ ପକ୍ଷରୁ ଉକ୍ତ ଦୁଇଟି ମେଡିକାଲ କଲେଜର ପରିଦର୍ଶନ ଲାଗି ସବୁଜ ସଙ୍କେତ ଦିଆଯାଇଥିବାବେଳେ ବାରିପଦା ପ୍ରସଙ୍ଗରେ ଚୁପ୍‍ ରହିଛନ୍ତି। ଯଦି ଚଳିତମାସ ୩୦ସୁଦ୍ଧା ଏମ୍‍ସିଆଇ ପକ୍ଷରୁ ବାରିପଦା ମେଡିକାଲ କଲେଜ ପରିଦର୍ଶନ ତଥା ତା’ର ଅନୁମତି ଲାଗି କୌଣସି ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାଯାଇଛି। ତେବେ ଆଦିବାସୀବହୁଳ ମୟୂରଭଞ୍ଜ ଜିଲା ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାପାଇଁ ରାଜ୍ୟ ସରକାର ବାରିପଦାଠାରେ ୨୦୧୭-୧୮ ବର୍ଷରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ଇତିମଧ୍ୟରେ ଗୋଟିଏ ବର୍ଷ ପାଠ୍ୟକ୍ରମ ଶେଷ ହେବାକୁ ଯାଉଥିବାବେଳେ ମେଡିକାଲ କଲେଜରେ ନାମଲେଖା ଓ ଦ୍ୱିତୀୟବର୍ଷର ନବୀକରଣ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତେ୍ୱ ଏମ୍‍ସିଆଇ ଟିମ୍‍ ବାରିପଦା ମେଡିକାଲ କଲେଜକୁ ପରିଦର୍ଶନରେ ଆସୁ ନଥିବାରୁ ଏନେଇ ସରକାରଙ୍କ ମୁଣ୍ଡ ବଥା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଓଭରସାଇଟ୍‍ କମିଟି ଗତବର୍ଷ ପିଆରଏମ ମେଡିକାଲ କଲେଜକୁ ରାଜ୍ୟ ସରକାରଙ୍କ ଆବେଦନକ୍ରମେ ମେ’ ୧୪ ତାରିଖରେ ବାରିପଦା ମେଡିକାଲ କଲେଜରେ ୧୭-୧୮ ଶିକ୍ଷାବର୍ଷରେ ୧୦୦ଛାତ୍ରଛାତ୍ରୀଙ୍କ ନାମଲେଖା ନିମନ୍ତେ ସର୍ତ୍ତମୂଳକ ଅନୁମତି ପତ୍ର ଦେଇଥିଲେ। ସର୍ତ୍ତମୂଳକ ଅନୁମତି ଦେଇଥିଲେ। ସେଥିରେ କଲେଜ ସମସ୍ତ ସର୍ତ୍ତାବଳୀ ପୂରଣ କରିଛି କି ନାହିଁ ଏଥି ନେଇ ଅନୁଧ୍ୟାନ କରି ଏମସିଆଇ ଟିମ ଚୂଡ଼ାନ୍ତ ରିପୋର୍ଟ ଦେଇ ନାହାନ୍ତି । ଆସନ୍ତା ମେ ୬ରେ ମେଡିକାଲ ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଜୁନ୍‍ ୬ରେ ଫଳ ପ୍ରକାଶ ପାଇ ସେହି ମାସ ୨୫ ତାରିଖରୁ ପ୍ରଥମ ପର୍ପ୍ୟାୟ ଷ୍ଟେଟ କାଉନସେଲିଂ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ବାରିପଦା ପାଇଁ ଏଲ୍‍ଓପି ଅପରିହାର୍ଯ୍ୟ ହୋଇପଡିଛି।

Leave A Reply