ଶ୍ରୀଶାନ୍ତଙ୍କ ବାସନ୍ଦ ଅବଧି ସରିଲା; ଖେଳିବାକୁ ପ୍ରସ୍ତୁତ

କୋଚି: ଗତ କିଛିମାସ ହେଲା ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ପେସ୍‍ ବୋଲର ଶାନ୍ତାକୁମାରନ୍‍ ଶ୍ରୀଶାନ୍ତ ଏହି ଦିନକୁ ଅପେକ୍ଷା କରିଥିଲେ- ୨୦୨୦ ସେପ୍ଟେମ୍ବର ୧୩। ଏହିଦିନ ଶ୍ରୀଶାନ୍ତଙ୍କ କ୍ରିକେଟ୍‍ ଖେଳିବା ଉପରେ ବିସିସିଆଇ ଲଗାଇଥିବା ୭ ବର୍ଷର ବାସନ୍ଦ ଅବଧି ସମାପ୍ତ ହୋଇଯାଇଛି। ସୋମବାରଠାରୁ ଶ୍ରୀଶାନ୍ତ ସମସ୍ତ ପ୍ରକାର କ୍ରିକେଟ୍‍ ଖେଳିପାରିବେ। ଆଇପିଏଲ୍‍ରେ ସ୍ପଟ୍‍ ଫିକ୍ସିଂ କରିବା କାରଣରୁ ଅନ୍ୟ ୨ ଜଣ କ୍ରିକେଟରଙ୍କ ସହ ଶ୍ରୀଶାନ୍ତ କ୍ରିକେଟ୍‍ ଖେଳିବାରୁ ବାସନ୍ଦ ହୋଇଥିଲେ। ରବିବାର ବାସନ୍ଦର ଅବଧି ଶେଷହେବା ପରେ ଆଶ୍ୱସ୍ତ ଶ୍ରୀଶାନ୍ତ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି- ମୋତେ ସ୍ୱାଧୀନତା ମିଳିଯାଇଛି; କ୍ରିକେଟ୍‍ ଖେଳିବାର ସ୍ୱାଧୀନତା। ଶ୍ରୀଶାନ୍ତଙ୍କୁ ସମସ୍ତ ପ୍ରକାର କ୍ରିକେଟ୍‍ ଖେଳିବାର ଅନୁମତି ମିଳିଥିଲେ ହେଁ ଚଳିତବର୍ଷ ଏହା ତାଙ୍କ ପାଇଁ ସମ୍ଭବ ହୋଇନପାରେ। ଦେଶରେ ମହାମାରୀ କରୋନାର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ୨୦୨୦-୨୧ ସିଜିନ୍‍ରେ ଘରୋଇ କ୍ରିକେଟ୍‍ ଖେଳାଯିବାର ସମ୍ଭାବନା କମ୍‍। ଘରୋଇ କ୍ରିକେଟ୍‍ ଖେଳିବା ଛଡ଼ା ଶ୍ରୀଶାନ୍ତଙ୍କ ପାଖରେ ବିକଳ୍ପ ନାହିଁ। କାରଣ ସମସ୍ତ ପ୍ରକାର କ୍ରିକେଟ୍‍ରୁ ଅବସର ଘୋଷଣା ନକଲେ ଆଇପିଏଲ୍‍ ଢାଞ୍ଚାରେ ବିଦେଶରେ ଆୟୋଜନ ହେଉଥିବା ଲିଗ୍‍ରେ ମଧ୍ୟ ଶ୍ରୀଶାନ୍ତ ଖେଳିପାରିବେ ନାହିଁ। ତଥାପି ଆଶା ହରାଇନାହାନ୍ତି ୩୭ ବର୍ଷ ବୟସ୍କ ଶ୍ରୀଶାନ୍ତ। ତାଙ୍କ ଅନୁସାରେ, ତାଙ୍କଠାରେ ଆହୁରି ୫-୬ ବର୍ଷର କ୍ରିକେଟ୍‍ ବାକିଅଛି। ଗଣମାଧ୍ୟମକୁ ଶ୍ରୀଶାନ୍ତ କହିଛନ୍ତି- ଦୀର୍ଘଦିନ ଅପେକ୍ଷା କରିବା ପରେ ମୋତେ ପୁଣି ଖେଳିବାର ସୁଯୋଗ ମିଳିଛି। ହେଲେ ବର୍ତ୍ତମାନ ଦେଶର କୌଣସି ସ୍ଥାନରେ କ୍ରିକେଟ୍‍ ମ୍ୟାଚ୍‍ ହେବା ଭଳି ପରିସ୍ଥିତି ନାହିଁ। ଏହାକୁ ଦେଖି ଚଳିତ ସପ୍ତାହରେ କୋଚିରେ ଏକ ଆଞ୍ଚଳିକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଯୋଜନା କରିଥିଲି। ତେବେ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଏହାକୁ ବାତିଲ କରିଦେଇଛୁ।

Comments are closed.