ଶ୍ରୀଶାନ୍ତଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ; ସ୍ପଟ୍ ଫିକ୍ସିଂ ପ୍ରସ୍ତାବ କଥା ବିସିସିଆଇକୁ ଜଣାଇଲ ନାହିଁ କାହିଁକି?

0

ନୂଆଦିଲ୍ଲୀ : ୨୦୧୩ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ସଂସ୍କରଣରେ ଯଦି ତାଙ୍କୁ ସ୍ପଟ୍ ଫିକ୍ସିଂ କରିବାକୁ ପ୍ରସ୍ତାବ ମିଳିଥିଲା; ତେବେ ସେ ତୁରନ୍ତ ବିସିସିଆଇକୁ ଏହା କାହିଁକି ଜଣାଇଲେ ନାହିଁ? ପୂର୍ବତନ ଭାରତୀୟ କ୍ରିକେଟର ଶାନ୍ତାକୁମାରନ୍ ଶ୍ରୀଶାନ୍ତଙ୍କୁ ଏହି ପ୍ରଶ୍ନ ବୁଧବାର ପଚାରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ। ଏହାସହ ସୁପ୍ରିମକୋର୍ଟ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସ୍ପଟ୍ ଫିକ୍ସିଂ ମାମଲାରେ ଶ୍ରୀଶାନ୍ତଙ୍କ ଆଚରଣ ଆଦୌ ସଠିକ୍ ନଥିଲା। ସ୍ପଟ୍ ଫିକ୍ସିଂ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଶ୍ରୀଶାନ୍ତ କ୍ରିକେଟରୁ ଆଜୀବନ ବାସନ୍ଦ ହୋଇଛନ୍ତି।
ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍. ଜୋସେଫ୍‌ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ସମ୍ମୁଖରେ ଗୁରୁବାର ଶ୍ରୀଶାନ୍ତ ଯୁକ୍ତି ବାଢ଼ିଥିଲେ ଯେ ଅନୈତିକ କାର୍ଯ୍ୟରେ ତାଙ୍କ ସମ୍ପୃକ୍ତି ନେଇ କୌଣସି ସଠିକ୍ ପ୍ରମାଣ ନାହିଁ। ତେଣୁ ତାଙ୍କ ଉପରେ ବିସିସିଆଇ ଲଗାଇଥିବା ଆଜୀବନ ବାସନ୍ଦ ଅତ୍ୟନ୍ତ କଠୋର। ସୂଚନାଯୋଗ୍ୟ; ୨୦୧୫ରେ ଏକ ନିମ୍ନ ଅଦାଲତ ଶ୍ରୀଶାନ୍ତଙ୍କ ଉପରୁ ଆଜୀବନ ବାସନ୍ଦାଦେଶ ଉଠାଇ ଦେଇଥିଲେ। ତେବେ ୨୦୧୭ ଅକ୍ଟୋବରରେ କେରଳ ହାଇକୋର୍ଟ ଶ୍ରୀଶାନ୍ତଙ୍କ ଉପରେ ଆଜୀବନ ବାସନ୍ଦାଦେଶ ବଜାୟ ରଖିଥିଲେ। ଗୁରୁବାର ଶ୍ରୀଶାନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଲ୍‌ମାନ ଖୁର୍ସିଦ୍ ସୁପ୍ରିମକୋର୍ଟରେ ଏହି ପୂର୍ବତନ ପେସ୍ ବୋଲରଙ୍କ ପକ୍ଷ ରଖିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ ୨୦୧୩ ଆଇପିଏଲ୍‌ରେ ମେ’ରେ ମୋହାଲିରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ସ୍ପଟ୍ ଫିକ୍ସିଂ ହେବା ଏବଂ ଶ୍ରୀଶାନ୍ତ ଏପରି କରିବା ଲାଗି କାହାଠାରୁ ଅର୍ଥ ଗ୍ରହଣ କରିବାର କୌଣସି ପ୍ରମାଣ ନାହିଁ। ତେବେ ସୁପ୍ରିମକୋର୍ଟଙ୍କ ପୀଠ ପ୍ରଶ୍ନ କରିଥିଲେ- ଯଦି ତୁମକୁ କେହି ସ୍ପଟ୍ ଫିକ୍ସିଂ କରିବାକୁ ପ୍ରସ୍ତାବ ଦେଇଥିଲେ; ତୁରନ୍ତ ତୁମେ (ଶ୍ରୀଶାନ୍ତ) ଏହା ବିସିସିଆଇକୁ ଜଣାଇଲ ନାହିଁ କାହିଁକି? ଏହାର ଜବାବରେ ଖୁର୍ସିଦ୍ କହିଥିଲେ; ଯଦି ବା ଶ୍ରୀଶାନ୍ତ ସ୍ପଟ୍ ଫିକ୍ସିଂ କରିବାକୁ ପ୍ରସ୍ତାବ ବିଷୟରେ ବିସିସିଆଇକୁ ଜଣାଇ ନଥିଲେ; ଏହାର ଅର୍ଥ ନୁହେଁ ଯେ ତାଙ୍କୁ ଆଜୀବନ ବାସନ୍ଦ କରାଯିବ। ଏହି ଅପରାଧ ପାଇଁ ସର୍ବାଧିକ ୫ ବର୍ଷ ବାସନ୍ଦ ଦଣ୍ଡ ଠିକ୍। ପରେ ବିଚାରପତି କହିଥିଲେ, ସେ ଯାହାହେଉ; ପୂରା ମାମଲାରୁ ଜଣାପଡ଼ୁଛି ଯେ ଶ୍ରୀଶାନ୍ତ ସବୁକିଛି ଠିକ୍ କରିନଥିଲେ; ଯାହା ନିଃସନ୍ଦେହରେ କୁହା ଯାଇପାରେ। ସଲ୍‌ମାନ ଖୁର୍ସିଦ୍ ଏହା ମଧ୍ୟ ଯୁକ୍ତି ବାଢ଼ିଥିଲେ ଯେ ସ୍ପଟ୍ ଫିକ୍ସିଂରେ ଏକ ନିର୍ଦିଷ୍ଟ ଓଭର​‌େ​‌ର ଶ୍ରୀଶାନ୍ତଙ୍କୁ ୧୪ ରନ୍ ଦେବାର ଥିଲା। ତେବେ ବିଶ୍ବର ଦୁଇ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍ ଆଡାମ୍ ଗିଲ୍‌ଖ୍ରିଷ୍ଟ ଓ ସନ୍ ମାର୍ଶ କ୍ରିଜ୍‌ରେ ଥିଲେ ହେଁ ସେହି ଓଭର​‌େ​‌ର ଶ୍ରୀଶାନ୍ତ ମାତ୍ର ୧୩ ରନ୍ ଦେଇଥିଲେ। ଖୁର୍ସିଦ୍ ଏହା ମଧ୍ୟ ଦର୍ଶାଇଥିଲେ ଯେ ମ୍ୟାଚ୍‌ ଫିକ୍ସିଂରେ ସମ୍ପୃକ୍ତ ଥିବା କଥା ସ୍ବୀକାର କରିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ହାନ୍‌ସି କ୍ରୋନ୍ୟେଙ୍କୁ ଛାଡ଼ି କୌଣସି କ୍ରିକେଟରଙ୍କୁ ଆଜୀବନ ବାସନ୍ଦ କରା ଯାଇନାହିଁ। ତେଣୁ ଶ୍ରୀଶାନ୍ତଙ୍କ ପାଇଁ ଏଭଳି ଦଣ୍ଡ ଅତ୍ୟନ୍ତ କଠୋର। ତେଣୁ ଆଜୀବନ ବାସନ୍ଦହୋଇ ନିନ୍ଦିତ ହେବା ଅପେକ୍ଷା ଶ୍ରୀଶାନ୍ତ ସମ୍ମାନ ଫେରି ପାଇବାକୁ ଚାହାନ୍ତି। ଜଣେ ଭଲ କ୍ରିକେଟରଙ୍କ ଜୀବନ ନଷ୍ଟହେବାକୁ ଯାଉଛି। ପୁଣି ରେକର୍ଡ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପରୁ ସ୍ପଟ୍ କିମ୍ବା ମ୍ୟାଚ୍‌ ଫିକ୍ସିଂର କୌଣସି ପ୍ରମାଣ ମିଳୁନାହିଁ।

Leave A Reply