ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର, ୨୩ରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ

ପୁରୀ: ଆସନ୍ତା ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର। ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୬ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କିନ୍ତୁ ପ୍ରଥମ ୫ ଦିନ କେବଳ ପୁରୀବାସୀ ଜଗା ଦର୍ଶନ କରିପାରିବେ।

୨୧ ଏବଂ ୨୨ ତାରିଖ ସଟଡାଉନ ଥିବାରୁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଅଗଷ୍ଟ ୨୩ ତାରିଖ ଠାରୁ ରାଜ୍ୟର ଅନ୍ୟ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଦର୍ଶନାର୍ଥୀମାନେ ସକାଳ ୭ ଟାରୁ ରାତି ୮ ଟା ଯାଏଁ ଦର୍ଶନ କରିପାରିବେ। ସିଂହଦ୍ୱାର ଦେଇ ଦର୍ଶନାର୍ଥୀ ପ୍ରବେଶ କରିବେ ଓ ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଦର୍ଶନାର୍ଥୀ କରୋନା ଟିକାର ୨ଟି ଡୋଜ୍‌ ନେଇଥିବା ଆବଶ୍ୟକ। ଟିକା ନେଇ ନଥିଲେ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ଆବଶ୍ୟକ। ଏହି କଟକଣା ୪ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବା ପରେ ପରବର୍ତ୍ତୀ ସମୟରେ କରୋନାର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।

Comments are closed.