ଧନୁ ସଂକ୍ରାନ୍ତି ବେଳକୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ଦ୍ବାର; ପ୍ରସ୍ତୁତି ଚାଲିଛି ମାର୍ଗଦର୍ଶିକା

ରାଜ୍ୟରେ ୮ ମାସ ହେଲା ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ । ଶ୍ରୀମନ୍ଦିରରେ ମଧ୍ୟ ସମାନ ସ୍ଥିତି । ମନ୍ଦିର ଖୋଲିବାକୁ ରାଜ୍ୟରେ ଦାବି ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ମଧ୍ୟବେଳକୁ ଶ୍ରୀମନ୍ଦିର ଖୋଲାଯିବା ଲାଗି ବିଚାରବିମର୍ଷ ଚାଲିଛି । ଏଥିପାଇଁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ଏବଂ ତାହା ସରକାରଙ୍କ ଦ୍ବାରା ଅନୁମୋଦନ ଲାଭ ପରେ କାର୍ଯ୍ୟକାରୀ କରାଯାଇପାରେ ବୋଲି ସୂଚନା ମିିଳିଛି ।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଭିଡ଼ ମାର୍ଗଦର୍ଶିକାକୁ ପାଳନ କରି ଭକ୍ତମାନେ ଯେପରି ସୁବିଧାରେ ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏକ ନିର୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରାଯାଉଛି । ଏକ ସମୟରେ ଅର୍ଥାତ ଘଣ୍ଟାକୁ  କେତେ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିବେ, କେଉଁପଟେ ଭକ୍ତମାନେ ମନ୍ଦିର ଭିତରକୁ ଯିବେ, କେଉଁପଟେ ପ୍ରସ୍ଥାନ କରିବେ ଏ ସମ୍ପର୍କରେ ବିଚାର ବିମର୍ଶ କରାଯାଉଛି ବୋଲି ଜଣା ପଡ଼ିଛି । ଯଦି ସବୁକିଛି ଠିକ୍ ଚାଲେ ତେବେ ନାଗାର୍ଜୁନ ବେଶ ଓ କାର୍ତିକ ବ୍ରତ ଶେଷ ପରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇପାରେ ।

ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କୁ ଭକ୍ତଙ୍କ ଦର୍ଶନ ନିମନ୍ତେ ବିଧାନସଭାରେ ମଧ୍ୟ ଚର୍ଚା ହୋଇଛି । ବିଜେପି ବିଧାୟକ ମୋହନ ମାଝି ଏ ସମ୍ପର୍କରେ ପ୍ରଶ୍ନ କରିବା ସହ ଶ୍ରୀମନ୍ଦିର ଖୋଲିବାକୁ ଦାବି କରିଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ମଧ୍ୟ ଅନୁରୂପ ଦାବି କରିଛନ୍ତି ।

Comments are closed.