ଶ୍ରୀଲଙ୍କାର ବିଜୟ ଅଭିଯାନ ଆରମ୍ଭ

ଦୁବାଇ : ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡ ଖେଳୁଥିବା ପୂର୍ବତନ ଚମ୍ପିଆନ୍‌ ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌ରେ ଜିତି ଅଭିଯାନ ଆରମ୍ଭ କରିଛି। ସୋମବାର ଗ୍ରୁପ୍ ‘ଏ’ର ୨ୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୭ ୱିକେଟରେ ନାମିବ୍ୟାକୁ ପରାସ୍ତ କରିଛି। ଏହି ମୁକାବିଲା ଜିତି ଶ୍ରୀଲଙ୍କା ୨ ପଏଣ୍ଟ ପାଇଛି। କ୍ରେଗ୍ ୱିଲିୟମ୍‌ସ ଓ ଜେରାର୍ଡ ଏରାସ୍‌ମସଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ନାମିବ୍ୟା ୧୯.୩ ଓଭରରେ ୯୬ ରନ୍‌କରି ଅଲ୍ଆଉଟ ହୋଇଥିଲା। ୯୭ ରନ୍‌ ଲକ୍ଷ୍ୟରେ ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗିଥିଲେ ହେଁ ଅଭିକ୍ଷା ଫର୍ଣ୍ଣାଣ୍ଡୋ ଓ ଧନୁକା ରାଜପକ୍ଷଙ୍କ ଲଢ଼ୁଆ ଇନିଂସ ବଳରେ ୧୩.୩ ଓଭରରେ ୩ ୱିକେଟ ହରାଇ ଶ୍ରୀଲଙ୍କା ଜିତିଥିଲା ।
ଶ୍ରୀଲଙ୍କା ଇନିଂସରେ ପାଥୁମ୍ ନିଶଙ୍କା ୫, କୁଶଳ ପରେରା ୧୧ ଓ ଦିନେଶ ଚାନ୍ଦିମାଲ ୫ ରନ୍‌କରି ଆଉଟ ହୋଇଥିଲେ। ୨୬ ରନ୍‌ରେ ଶ୍ରୀଲଙ୍କା ୩ଟି ୱିକେଟ ହରାଇବା ପରେ ଅଭିକ୍ଷା ଫର୍ଣ୍ଣାଣ୍ଡୋ ଓ ଧନୁକା ରାଜପକ୍ଷ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୭୪ ରନ୍‌ ଯୋଗକରି ଦଳକୁ ଜିତାଇଥିଲେ। ଫର୍ଣ୍ଣାଣ୍ଡୋ ୨୮ ବଲ୍‌ରୁ ୨ଟି ଛକା ସହ ୩୦ ଏବଂ ରାଜପକ୍ଷ ବିସ୍ଫୋରକ ବ୍ୟାଟିଂକରି ୨୭ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୨ ରନ୍‌କରି ଅପରାଜିତ ଥିଲେ। ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂ ନେବା ପରେ ନାମିବ୍ୟା ୨୯ ରନ୍‌ରେ ୨ଟି ୱିକେଟ ହରାଇଥିଲା। ପରେ କ୍ରେଗ୍ ୱିଲିୟମ୍‌ସ ଓ ଜେରାର୍ଡ ଏରାସ୍‌ମସ ୩ୟ ୱିକେଟ ପାଇଁ ୩୯ ରନ୍‌ ଯୋଡ଼ିଥିଲେ। ଅଧିନାୟକ ଏରାସ୍‌ମସ ୧୯ ବଲ୍‌ରୁ ୨ଟି ଚୌକା ସହ ୨୦ ରନ୍ କରିଥିଲେ। କ୍ରେଗ୍ ୱିଲିୟମ୍‌ସ ୩୬ ବଲ୍‌ରୁ ୨ଟି ଛକା ସହ ୨୯ ରନ୍‌ କରିଥିଲେ। ପରେ ଜେ.ଜେ. ସ୍ମିଟ୍‌ ୧୨ ରନ୍‌କରି ଅପରାଜିତ ଥିବା ବେଳେ ଅନ୍ୟ ସମସ୍ତେ ବିଫଳ ହୋଇଥିଲେ। ୨୮ ରନ୍‌ରେ ନାମିବ୍ୟା ​‌େ​‌ଶଷ ୮ଟି ୱିକେଟ ହରାଇଥିଲା। ମାହିଶ୍‌ ତୀକ୍ଷଣ ୩ଟି ଏବଂ ଲାହିରୁ କୁମାର ଓ ୱାନିନ୍ଦୁ ହସରଙ୍ଗା ୨ଟି ଲେଖାଏଁ ୱିକେଟ ନେଇଥିଲେ। ମାହିଶ୍‌ ତୀକ୍ଷଣ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.