ଆସାଲଙ୍କା, ରାଜପକ୍ଷଙ୍କ ଅର୍ଦ୍ଧଶତକ ; ଶ୍ରୀଲଙ୍କା ବିଜୟୀ

ଶାରଜା : ‌ଚରିତ ଆସାଲଙ୍କା ଓ ଭାନୁକା ରାଜପକ୍ଷଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ରବିବାର ବାଂଲାଦେଶକୁ ୫ ୱିକେଟରେ ଶ୍ରୀଲଙ୍କା ପରାସ୍ତ କରିଛି । ଗ୍ରୁପ୍-୧ର ଏହି ମ୍ୟାଚ୍‌ରେ ମହମ୍ମଦ ନଇମ୍‌ ଓ ମୁସ୍‌ଫିକୁର ରହିମ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୪ ୱିକେଟରେ ୧୭୧ ରନ୍‌ କରିଥିଲା । ପରେ ଚରିତ ଆସାଲଙ୍କା ଓ ଭାନୁକା ରାଜପକ୍ଷ ଆକ୍ରମଣାତ୍ମକ ଅର୍ଦ୍ଧଶତକ ହାସଲ କରିବାରୁ ୧୮.୫ ଓଭରରେ ୫ ୱିକେଟ ହରାଇ ଶ୍ରୀଲଙ୍କା ବିଜୟୀ ହୋଇଥିଲା। ପ୍ରଥମ ରାଉଣ୍ଡ ଖେଳି ଉଭୟ ବାଂଲାଦେଶ ଓ ଶ୍ରୀଲଙ୍କା ସୁପର-୧୨ରେ ପହଞ୍ଚିଥିଲେ। ଏହି ମ୍ୟାଚ୍‌ ଜିତି ୨ ପଏଣ୍ଟ ପାଇ ଶ୍ରୀଲଙ୍କା ତା’ର ଅଭିଯାନ ଆରମ୍ଭ କରିଛି।
ଏହି ୨ ଏସୀୟ ଦଳଙ୍କ ମୁକାବିଲାରେ ୧୭୨ ରନ୍‌ର ପିଛାକରି ଶ୍ରୀଲଙ୍କା ସହଳ କୁଶଳ ପରେରା (୧)ଙ୍କ ୱିକେଟ ହରାଇଥିଲା। ପରେ ଓପ୍‌ନର ପାଥୁମ୍ ନିଶଙ୍କା ଓ ଚରିତ ଆସାଲଙ୍କା ୨ୟ ୱିକେଟ ପାଇଁ ୬୯ ରନ୍‌ ଯୋଡ଼ିଥିଲେ। ନିଶଙ୍କା ୨୧ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍‌ କରିଥିଲେ। ଏହାପରେ ଶ୍ରୀଲଙ୍କା ଜଲ୍‌ଦି ଆଉ ୨ଟି ୱିକେଟ ହରାଇଥିଲା। ଅଭିକ୍ଷା ଫର୍ଣ୍ଣାଣ୍ଡୋ ୦ ଓ ୱାନିନ୍ଦୁ ହସରଙ୍ଗା ୬ ରନ୍‌କରି ଆଉଟ ହୋଇଥିଲେ। ୮ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଶ୍ରୀଲଙ୍କା ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ ଚରିତ ଆସାଲଙ୍କା ଓ ଭାନୁକା ରାଜପକ୍ଷ। ଦୁହେଁ ୫ମ ୱିକେଟ ପାଇଁ ୫୨ ବଲ୍‌ରୁ ୮୬ ରନ୍‌ ଯୋଗକରି ଦଳର ବିଜୟ ନିଶ୍ଚିତ କରିଥିଲେ। ରାଜପକ୍ଷ ୩୧ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୩ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଆଉଟ ହୋଇଥିଲେ। ଚରିତ ଆସାଲଙ୍କା ଆକ୍ରମଣାତ୍ମକ ଇନିଂସ ଖେଳି ୪୯ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୮୦ ରନ୍‌କରି ଅପରାଜିତ ରହିଥିଲେ। ନାସୁମ୍ ଅହମ୍ମଦ ଓ ସାକିବ୍ ଅଲ୍‌ ହାସନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଚରିତ ଆସାଲଙ୍କା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଓପ୍‌ନିଂ ଯୋଡ଼ିରେ ୪୦ ରନ୍‌ କରିବା ପରେ ଲିଟନ୍ ଦାସ ୧୬ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍‌କରି ଆଉଟ ହୋଇଥିଲେ। ସାକିବ୍ ଅଲ୍‌ ହାସନ୍ ୨ଟି ଚୌକା ସହ ୧୦ ରନ୍‌ କରି ପାରିଥିଲେ। ୫୬ ରନ୍‌ରେ ବାଂଲାଦେଶ ୨ଟି ୱିକେଟ ହରାଇବା ପରେ ମହମ୍ମଦ ନଇମ୍‌ ଓ ମୁସ୍‌ଫିକୁର ରହିମ୍‌ ଲଢ଼ୁଆ ବ୍ୟାଟିଂକରି ୩ୟ ୱିକେଟ ପାଇଁ ଦ୍ରୁତ ୭୩ ରନ୍‌ ଯୋଡ଼ିଥିଲେ। ନଇମ୍ ୫୨ ବଲ୍‌ରୁ ୬ଟି ଚୌକା ସହ ୬୨ ରନ୍‌ କରିଥିଲେ। ଅଭିଜ୍ଞ ମୁସ୍‌ଫିକୁର ରହିମ୍‌ ବିସ୍ଫୋରକ ବ୍ୟାଟିଂକରି ୩୭ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୭ ରନ୍‌କରି ଅପରାଜିତ ଥିଲେ। ଅଧିନାୟକ ମହମ୍ମଦୁଲ୍ଲା ୧୦ ରନ୍‌କରି ଅପରାଜିତ ଥିଲେ।

Comments are closed.