ଧାୱନ-କିଷନ୍‌ଙ୍କ ଅର୍ଦ୍ଧଶତକ; ଭାରତର ସହଜ ବିଜୟ

କଲମ୍ବୋ: ସହଜ ବିଜୟ ସହ ଭାରତୀୟ କ୍ରିକେଟ୍ ଦଳ ତା’ର ଶ୍ରୀଲଙ୍କା ଗସ୍ତ ଆରମ୍ଭ କରିଛି। ରବିବାର ଏଠାରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କାକୁ ୭ ୱିକେଟରେ ଭାରତ ପରାସ୍ତ କରିଛି। ଉପର ଅର୍ଡରର କିଛି ଉପଯୋଗୀ ଯୋଗଦାନ ଓ ଚାମିକା କରୁଣାରତ୍ନେଙ୍କ ସାହସିକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୫୦ ଓଭରରେ ୯ ୱିକେଟରେ ୨୬୨ ରନ୍ କରିଥିଲା। ପରେ ଅଧିନାୟକ ଶିଖର ଧାୱନ୍ ଓ ଈଶାନ୍ କିଷନ୍‌ଙ୍କ ଅର୍ଦ୍ଧଶତକ ବଳରେ ୮୦ଟି ବଲ୍‌ ବାକିଥାଇ ୩ ୱିକେଟ ହରାଇ ଭାରତ ବିଜୟୀ ହୋଇଥିଲା। ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ୨ୟ ଦିନିକିଆ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ।

ଭାରତ ବିସ୍ଫୋରକ ଢଙ୍ଗରେ ୨୬୩ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଆରମ୍ଭରୁ ଓପ୍‌ନର ପୃଥ୍ବୀ ସ’ଙ୍କ ବ୍ୟାଟ୍‌ ଗର୍ଜିଥିବା ବେଳେ ଭାରତ ଓଭର ପିଛା ୧୦ ରନ୍‌ରୁ ଅଧିକ ହାରରେ ସ୍କୋର୍ କରିଥିଲା। ମାତ୍ର ୩୨ ବଲ୍‌ରୁ ୫୮ ରନ୍‌ର ଭାଗିଦାରୀ ପରେ ପୃଥ୍ବୀ ଆଉଟ ହୋଇଥିଲେ। ମୁମ୍ବଇର ଏହି ଓପ୍‌ନର ବିସ୍ଫୋରକ ବ୍ୟାଟିଂକରି ମାତ୍ର ୨୪ ବଲ୍‌ରୁ ୯ଟି ଚୌକା ସହ ୪୩ ରନ୍‌ କରିଥିଲେ। ପଦାର୍ପଣ ଦିନିକିଆରେ ପ୍ରଥମ ବଲ୍‌ରେ ଛକାମାରି ଇନିଂସ ଆରମ୍ଭ କରିଥିଲେ ଇଶାନ୍ କିଷନ୍। ୩୩ ବଲ୍‌ରୁ ବାମହାତି କିଷନ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବାମହାତି ଧାୱନ୍ ଓ କିଷନ୍ ୨ୟ ୱିକେଟ ପାଇଁ ଦ୍ରୁତ ୮୫ ରନ୍ ଯୋଡ଼ିଥିଲେ। ଇଶାନ୍ କିଷନ୍ ୪୨ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୫୯ ରନ୍‌ କରିଥିଲେ।

ପରେ ଧାୱନ୍ ଓ ମନୀଷ ପାଣ୍ଡେ ସହଜରେ ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୭୨ ରନ୍‌ ଯୋଡ଼ିଥିଲେ। ପାଣ୍ଡେ ୪୦ ବଲ୍‌ରୁ ୨୬ ରନ୍‌କରି ବିଦାୟ ନେଇଥିଲେ। ପରେ ଧାୱନ୍ ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଦିନିିକିଆ ପଦାର୍ପଣ କରିଥିବା ଭାରତର ୨ୟ ଖେଳାଳି ସୂର୍ଯ୍ୟକୁମାର କିଛି ଆକର୍ଷଣୀୟ ସଟ୍‌ ଖେଳି ୨୦ ବଲ୍‌ରୁ ୫ଟି ଚୌକା ସହ ୩୧ ରନ୍‌କରି ଅପରାଜିତ ଥିଲେ। ଶିଖର ଧାୱନ ୯୫ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୮୬ ରନ୍‌କରି ଅପରାଜିତ ଥିଲେ। ଧନଞ୍ଜୟ ଡି ସିଲ୍‌ଭା ୨ଟି ୱିକେଟ ନେଇଥିଲେ। ପୃଥ୍ବୀ ସ’ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ଶ୍ରୀଲଙ୍କା ଦଳ ବ୍ୟାଟିଂ ନେଇଥିଲା। ଏହାର ଓପ୍‌ନିଂ ଯୋଡ଼ି ଭଲ ବ୍ୟାଟିଂକରି ୯ ଓଭରରେ ୪୯ ରନ୍‌ର ଭାଗିଦାରୀ କରିଥିଲେ। ୟୁଜବେନ୍ଦ୍ର ଚହଲ ତାଙ୍କ ପ୍ରଥମ ବଲ୍‌ରେ ଅଭିକ୍ଷା ଫର୍ଣ୍ଣାଣ୍ଡୋଙ୍କୁ ଆଉଟ୍‌ କରି ଦେଇଥିଲେ। ଫର୍ଣ୍ଣାଣ୍ଡୋ ୩୫ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୩ ରନ୍ କରିଥିଲେ। ପରେ ଅନ୍ୟ ସ୍ପିନର କୁଲଦୀପ ଯାଦବ କ୍ରମାଗତ ୨ଟି ୱିକେଟ ନେଇଥିଲେ। ଓପ୍‌ନର ମିନୋଦ ଭାନୁକା ୩ଟି ଚୌକା ସହ ୨୭ ରନ୍ କରିଥିଲେ। ଭାନୁକା ରାଜପକ୍ଷ ୨୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍ କରିଥିଲେ।

ଧନଞ୍ଜୟ ଡି ସିଲ୍‌ଭା ମାତ୍ର ୧୪ ରନ୍ କରି ପାରିଥିଲେ। ୧୧୭ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ଚରିତ ଆସାଲାଙ୍କା ଓ ଅଧିନାୟକ ଦାସୁନ୍ ଶନକ ୫ମ ୱିକେଟ ପାଇଁ ୪୯ ରନ୍‌ ଯୋଡ଼ିଥିଲେ। ଆସାଲଙ୍କା ଧୈର୍ଯ୍ୟପୂର୍ଣ୍ଣ ୩୮ ରନ୍‌ କରିଥିଲେ। ଶନକ ୫୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୯ ରନ୍ କରିଥିଲେ। ୮ନଂ ବ୍ୟାଟ୍‌ସମ୍ୟାନ୍ ଚାମିକା କରୁଣାରତ୍ନେ ୩୫ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ଦ୍ରୁତ ୪୩ ରନ୍‌କରି ଅପରାଜିତ ଥିଲେ। ଶେଷ ୨ ଓଭରରୁ ଶ୍ରୀଲଙ୍କା ୩୨ ରନ୍ କରିଥିଲା। ଦୀପକ ଚହର, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.