ସ୍ଥିତି ସୁଧାରିବାକୁ ଦରକାର ୩୦୦କୋଟି ଡଲାର: ସାବରୀ

କଲମ୍ବୋ: ଦେବାଳିଆ ସ୍ଥିତିରୁ ଉଦ୍ଧାର ପାଇଁ ଶ୍ରୀଲଙ୍କାକୁ ଅବିଳମ୍ବେ ବୈଦେଶିକ ସୂତ୍ରରୁ ୩୦୦ କୋଟି ଡଲାର ସହାୟତା ଆବଶ୍ୟକ। ଏହି ଅର୍ଥ ମିଳିଲେ ଅନ୍ତତଃ ଆଗାମୀ ୬ ମାସ ମଧ୍ୟରେ ଦେଶର ସ୍ଥିତି ସୁଧୁରିପାରେ। ଶନିବାର ଏଭଳି ମନ୍ତବ୍ୟ ରଖିଛନ୍ତି ଶ୍ରୀଲଙ୍କା ଅର୍ଥ ମନ୍ତ୍ରୀ ଅଲୀ ସାବରୀ। ଏହାଦ୍ବାରା ତୈଳ, ଔଷଧ, ଖାଦ୍ୟ ଓ ଜରୁରୀ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ ସୁଧୁରିବା ଆଶା ରହିଛି ବୋଲି ସେ କହିଛନ୍ତି। ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ସାବରୀ ଗଣମାଧ୍ୟମକୁ ପ୍ରଥମ ଥର ସମ୍ବୋଧନବେଳେ କହିଛନ୍ତିି ଯେ ଏହି ଅର୍ଥ ସଂଗ୍ରହ କାଠିକର ପାଠ; ତଥାପି ଏ ସମ୍ପର୍କରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ସହ ଆଲୋଚନା କରାଯିବ। ଏ ନେଇ ଦେଶର ଅଧିକାରୀମାନେ ପ୍ରସ୍ତୁତ ହେଉଛନ୍ତି ଏବଂ ଆସନ୍ତା ୧୮ରେ ଆଲୋଚନା ଆରମ୍ଭ ହେବ ବୋଲି ସାବରୀ କହିଛନ୍ତି। ଶ୍ରୀଲଙ୍କା ସରକାର ଆନ୍ତର୍ଜାତିକ ସଭରେନ୍‌ ବଣ୍ଡ ବ୍ୟବସ୍ଥାର ପୁନର୍ଗଠନ କରିବା ସହ ଦେୟ ବ୍ୟବସ୍ଥା ନେଇ ପ୍ରତିଶ୍ରୁତିବଦ୍ଧତା ପାଳନ କରିବେ। ଏତଦ୍‌ ବ୍ୟତୀତ ସରକାର କିଛି କଠୋର ଆର୍ଥିକ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ସେ କହିଛନ୍ତି। ଚଳିତ ସପ୍ତାହ ସୁଦ୍ଧା ଶ୍ରୀଲଙ୍କାର ଋଣ ପରିମାଣ ୭୦୦କୋଟି ଡଲାର ଥିବା ସେ କହିଛନ୍ତି।

ସ୍ଥିତି ସୁଧାରିବା ପାଇଁ ଯୋଗାଣ ବ୍ୟବସ୍ଥାକୁ ପ୍ରଥମେ ସ୍ବାଭାବିକ କରିବାକୁ ପଡ଼ିବ; ଯାହାଦ୍ବାରା ଲୋକଙ୍କ ସମସ୍ୟାର ସମାଧାନ ହେବ। ସେମାନେ ଆଉ ପ୍ରତିକ୍ରିୟାଶୀଳ ହେବେ ନାହିଁ ବୋଲି ସାବରୀ କହିଛନ୍ତି। ଲୋକେ ପ୍ରତିକ୍ରିୟାଶୀଳ ହେବା ସ୍ବାଭାବିକ; କିନ୍ତୁ ହିଂସାକାଣ୍ଡ ନ ଘଟିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଅପରପକ୍ଷରେ ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ ଅବ୍ୟାହତ ରହିଛି। ଜନତା ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି।

Comments are closed.