ଶ୍ରୀଲଙ୍କାରେ ଶାସକ ଦଳର ବିପୁଳ ବିଜୟ

କଲମ୍ବୋ : ଶ୍ରୀଲଙ୍କା ସଂସଦୀୟ ନିର୍ବାଚନରେ ଆଶାନୁଯାୟୀ, ଶାସକ ଦଳ ଶ୍ରୀଲଙ୍କା ପୋଡୁଜନ ପେରାମୁନା ଓ ଏହାର ମେଣ୍ଟ ଦଳର ବିପୁଳ ବିଜୟ ଘଟିଛି। ଦୁଇ ଦିନ ପୂର୍ବେ ଅନୁଷ୍ଠିତ ନିର୍ବାଚନ ଫଳାଫଳ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷିତ ହୋଇଛି। ଦୁଇ-ତୃତୀୟାଂଶ ଆସନରେ ବିଜୟ ସହ ମୋଟ ୨୨୫ ଆସନ ବିଶିଷ୍ଟ ସଂସଦରେ ଶାସକ ଦଳର ପ୍ରାର୍ଥୀମାନେ ୧୫୦ ଆସନରେ ଦଖଲ କରିଛନ୍ତି। ଏହି ନିର୍ବାଚନରେ ବିଶେଷ ଭାବେ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ଓ ବଡ଼ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ହାତମୁଠା ବଳିଷ୍ଠ ହୋଇଛି। ଏହାଦ୍ବାରା ରାଷ୍ଟ୍ରପତିଙ୍କୁ ପୂର୍ଣ୍ଣ କ୍ଷମତା ମିଳିଛି ଓ ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ ସହିତ ଦଳର ରାଜନୈତିକ, ଅର୍ଥନୈତିକ ଓ ସାମରିକ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେବେ। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜପକ୍ଷ ଭାଇମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସେମାନଙ୍କ ନେତୃତ୍ବରେ ଭାରତ ସହିତ ସମ୍ପର୍କ ଅଧିକ ନିବିଡ଼ ହେବ ବୋଲି ମୋଦୀ ଆଶ ବ୍ୟକ୍ତ କରିଛନ୍ତି।

Comments are closed.