ଶ୍ରୀଲଙ୍କାର ୭୨ତମ ସ୍ବାଧୀନତା ଦିବସ ପାଳିତ : ତାମିଲ ଭାଷାରେ ଜାତୀୟ ସଙ୍ଗୀତ ଗାନ ବନ୍ଦ

କଲମ୍ବୋ : ଶ୍ରୀଲଙ୍କା ସ୍ବାଧୀନତା ଦିବସ ଉତ୍ସବରେ ପ୍ରଥମକରି ତାମିଲ ଭାଷାରେ ଗାନ କରାଯାଉଥିବା ଜାତୀୟ ସଙ୍ଗୀତ ବାଦ ପଡ଼ିଛି। ଦେଶର ତାମିଲ ରାଜନୀତିଜ୍ଞମାନେ ସାମ୍ବିଧାନିକ ବିଧିବ୍ୟବସ୍ଥା ଦୃଷ୍ଟିରୁ ଓ ଦେଶରେ ବହୁ ତାମିଲ ବାସ କରୁଥିବାରୁ ଏହାକୁ ବଜାୟ ରଖିବା ପାଇଁ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷଙ୍କୁ ନିବେଦନ କରିଥିଲେ ମଧ୍ୟ ଏହା ରକ୍ଷା ହୋଇ ନାହିଁ। ଶ୍ରୀଲଙ୍କାରେ ତାମିଲ ହେଉଛି ଦ୍ବିତୀୟ ରାଜଭାଷା। ସ୍ବାଧୀନତା ଦିବସରେ ଉଭୟ ସିଂହଳୀ ଓ ତାମିଲ ଭାଷାରେ ଜାତୀୟ ସଙ୍ଗୀତ ଗାନ କରାଯିବାର ପରମ୍ପରା ରହିଆସିଛି। ରାଜପକ୍ଷ କହିଛନ୍ତି ଯେ ସେ ହେଉଛନ୍ତି ଦଳ-ମତ ନିର୍ବିଶେଷରେ ସବୁ ଭାଷାଭାଷୀ ଓ ସମ୍ପ୍ରଦାୟଙ୍କ ରାଷ୍ଟ୍ରପତି। ସେ ସବୁି ସମ୍ପ୍ରଦାୟଙ୍କୁ ସମାନ ଦୃଷ୍ଟିଭଙ୍ଗୀରେ ଦେଖନ୍ତି। ଗତ ବର୍ଷ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ତାମିଲମାନେ ରାଜପକ୍ଷଙ୍କ ବିରୋଧରେ ମତଦାନ କରିଥିବା କୁହାଯାଏ; କାରଣ ସେ ସେନା ମୁଖ୍ୟ ଥିବାବେଳେ ତାମିଲ ବିଦ୍ରୋହୀଙ୍କୁ ଦମନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୂର୍ବ ସରକାର ଅମଳରେ ରାଜପକ୍ଷଙ୍କ ଦଳର ସଦସ୍ୟମାନେ ତାମିଲ ଭାଷାରେ ଜାତୀୟ ସଙ୍ଗୀତ ଗାନକୁ ବିରୋଧ କରୁଥିଲେ। ମଙ୍ଗଳବାର ଶ୍ରୀଲଙ୍କାର ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଏହି ଉତ୍ସବରେ ଲୋକେ ଉଭୟ ସିଂହଳୀ ଓ ତାମିଲ ଭାଷାରେ ଜାତୀୟ ସଙ୍ଗୀତ ଗାନ କରିଛନ୍ତି।

Comments are closed.