ତୁଳୀ ଓ ନିହଣର ଜୀବନ୍ତ କଳାକୃତି ପ୍ରଦର୍ଶନ

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ‘ଶ୍ରୀଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ନିକଟରେ ୧୦୦ ଜଣ ଶିଳ୍ପୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିବା ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଚିତ୍ରକଳା ଶିବିରର କଳାକୃତିଗୁଡ଼ିକୁ ନେଇ ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଏକ ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀର ଶୀର୍ଷକ ‘ଶ୍ରୀଗୁଣ୍ଡିଚା’ ରହିଥିବାବେଳେ ଏଥିରେ ଜଗନ୍ନାଥଙ୍କ କାହାଣୀ ଓ ରଥଯାତ୍ରା ସମ୍ବଳିତ ୧୦୦ଟି ଚିତ୍ର, ଭାସ୍କର୍ଯ୍ୟ ଓ ମୁଦ୍ରଣ କଳା ପ୍ରଦର୍ଶିତ ହୋଇଛି । ଓଡ଼ିଶା ଲଳିତ କଳା ଏକାଡେମୀର ଫେସ୍‌ବୁକ୍‌ ଓ ୟୁଟୁ୍ୟବ୍‌ରେ ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି।


ଏହି ପ୍ରଦର୍ଶନୀକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିବା ଅବସରରେ କୋଭିଡ୍‌-୧୯ ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ଶିଳ୍ପୀମାନଙ୍କୁ ଚଳଚଞ୍ଚଳ କରିବା ସହ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ଲଳିତ କଳା ଏକାଡେମୀର ପ୍ରୟାସକୁ ପ୍ରଶଂସା କରିଥିଲେ । ଉତ୍କଳର କଳା-ସଂସ୍କୃତିର ନିଦର୍ଶନ ତଥା ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଶିଳ୍ପୀମାନଙ୍କ କଳାକୃତି ଓଡ଼ିଶାରେ ଆଦୃତ ହେବା ସହ ଭାରତ ତଥା ବିଦେଶରେ ଏହି କଳାକୃତି ମାଧ୍ୟମରେ ଶ୍ରୀଜଗନ୍ନାଥ ଧର୍ମର ବହୁଳ ପ୍ରଚାରପ୍ରସାର ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀଜଗନ୍ନାଥଙ୍କର ଅପାର କରୁଣା ମାନବ ଜାତିକୁ ମହାମାରୀରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ କୋଭିଡ୍‌ ସମୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଭର୍ଚୁଆଲ୍‌ ମାଧ୍ୟମରେ ପ୍ରଦର୍ଶିତ ‘ଶ୍ରୀଜଗନ୍ନାଥ ଓ ରଥାଯାତ୍ରା’ ଶୀର୍ଷକ ବିଷୟ ଉପରେ ଆଧାରିତ ଚିତ୍ରକଳାଗୁଡ଼ିକ ବେଶ୍‌ ପ୍ରଶଂସୀୟ ହୋଇଥିବାବେଳେ ଏହା ମାଧ୍ୟମରେ ଜନସାଧାରଣ ଓ କଳାନୁରାଗୀମାନେ ଦେଖିବାର ସୁଯୋଗ ପାଇପାରିବେ ବୋଲିି ମତପ୍ରକାଶ କରିଥିଲେ ।


ଏକାଡେମୀର ସଭାପତି ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକ ଏହି ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜୁନ ୩୦ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ୧୦୦ ଜଣ ଶିଳ୍ପୀ ଘରେ ରହି ଭର୍ଚୁଆଲ୍‌ ମାଧ୍ୟମରେ ଏକ ଶିବିରରେ ଅଂଶଗ୍ରହଣ କରି ଅଙ୍କନ ତଥା ନିର୍ମାଣ କରିଥିବା କଳାକୃତିଗୁଡ଼ିକ ଏହି ଭର୍ଚୁଆଲ ପ୍ରଦର୍ଶନୀରେ ସ୍ଥାନିତ କରାଯାଇଥିବା ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ଉପସଭାପତି ଶ୍ରୀନିବାସ ପଢ଼ିହାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓଏସଡି ମନସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.