ଶ୍ରୀଲଙ୍କା ବୋମା ବିସ୍ଫୋରଣର ବଡ଼ ଖୁଲାସା, ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ ତାରିଖରେ ଚର୍ଚ୍ଚ ଏବଂ ହୋଟେଲରେ ହୋଇଥିବା ସିରିଜ ବିସ୍ଫୋରଣର ଏକ ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଯେର୍ଉଥିରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଉଚ୍ଚାୟୁକ୍ତ ଥିବା ଲେଖାଅଛି। ଶ୍ରୀଲଙ୍କାର ପାର୍ଲିଆମେଣ୍ଟ ସିଲେକ୍ସନ କମିଟି(ପିଏସସି) ବୁଧବାର ଏହି ଯାଞ୍ଚ ରିପୋର୍ଟ ଜାରି କରିଛି।
ପାର୍ଲିଆମେଣ୍ଟ ସିଲେକ୍ସନ କମିଟି(ପିଏସସି) ପକ୍ଷରୁ ୧୬୪୯ପୃଷ୍ଠାର ଏକ ରିପୋର୍ଟ ଜାରି କରାଯାଇଛି। ଯେଉଁଥିରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଉଚ୍ଚାୟୁକ୍ତ ଥିବା ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ ତାରିଖରେ ତିନୋଟି ଚର୍ଚ୍ଚ ଏବଂ ପାଞ୍ଚୋଟି ହୋଟେଲରେ ସିରିଜ ବିସ୍ଫୋରଣ ଘଟିଥିଲା। ଏଥିରେ ୧୧ଭାରତୀୟଙ୍କ ସମେତ ୨୭୭ଜଣ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପୁଲିସ ୮୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଗୋଇନ୍ଦା ବିଫଳତା ଯୋଗୁ ଏହି ବିସ୍ଫୋରଣ ଘଟିଥିବାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ଦେଶର ଗୋଇନ୍ଦା ମୁଖ୍ୟ ଶିଶିର ମେଣ୍ଡିସଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ବିସ୍ଫୋରଣର ବହୁ ପୂର୍ବରୁ ଭାରତ ପକ୍ଷରୁ ପର୍ୟ୍ୟାୟକ୍ରମେ ୫ ଥର ଶ୍ରୀଲଙ୍କା ଗୋଇନ୍ଦା ସଂସ୍ଥାକୁ ଅବଗତ କରାଯାଇଥିଲେ ମଧ୍ୟ ଶ୍ରୀଲଙ୍କାର ପୁଲିସ ବିଭାଗ ଏବଂ ଗୋଇନ୍ଦା ବିଭାଗ ତାହାକୁ ଗୁରୁତ୍ଵ ଦେଇ ନ ଥିଲେ। ଘଟଣା ପରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ ଏବଂ ନ୍ୟାଶନାଲ ତୋହିଦ ଜମାତ(ଏନଟିଜେ) ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ।

Comments are closed.