ସଂସଦ ପାଲଟିଲା ରଣକ୍ଷେତ୍ର, ବିକ୍ରମସିଂଘେ ଏବଂ ରାଜପାକ୍ଷେ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ

0

କଲମ୍ବୋ : ଶ୍ରୀଲଙ୍କା ରାଜନୀତି ସଂକଟ ଜଟିଳ ହେବାରେ ଲାଗିଛି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ଶିରୀସେନାଙ୍କ ଦ୍ୱାରା ନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ବୁଧବାର ସଂସଦରେ ଆସ୍ଥା ଭୋଟରେ ପରାଜିତ ହେବା ପରେ ଗୁରୁବାର ପଦ ଛାଡ଼ିବାକୁ ମନା କରିଦେଇଛନ୍ତି। ବାଚନିକ ଭୋଟରେ ତାଙ୍କୁ ପଦରୁ ହଟାଇବା ପାଇଁ ବାଚସ୍ପତିଙ୍କ ନିକଟରେ ଅଧିକାର ନାହିଁ ବୋଲି ସେ କହିଛନ୍ତି। ଏହାକୁ ନେଇ ଗୁରୁବାର ଶ୍ରୀଲଙ୍କା ସଂସଦରେ ବିରୋଧ ଓ ଶାସକ ଦଳର ସାଂସଦମାନଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଶାସକ ଓ ବିରୋଧୀ ଦଳର ସାଂସଦମାନେ ପରସ୍ପରକୁ ବିଧା, ଗୋଇଠା ଓ ଚାପୁଡ଼ା ମାରିଛନ୍ତି। ରାଜପାକ୍ଷେ ବାଚସ୍ପତିଙ୍କ କଥାକୁ କାଟି କହିଛନ୍ତି ଯେ କୌଣସି ବିଶେଷ ମାମଲାର ନିଷ୍ପତ୍ତି ବାଚନିକ ଭୋଟରେ ହୋଇପାରିବ ନାହିଁ। ବାଚସ୍ପତି ପକ୍ଷପାତିତା କରୁଛନ୍ତି ଓ ନିଜ ଦଳ ୟୁନାଇଟେଡ ନ୍ୟାଶନାଲ ପାର୍ଟି ପାଇଁ କାର୍ଯ୍ୟ କରୁଛନ୍ତି। ଏହାବାଦ୍‍ ବାଚସ୍ପତିଙ୍କ ପାଖରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତି କିମ୍ବା ହଟାଇବାର ଅଧିକାର ନାହିଁ।
ଅପରପକ୍ଷରେ ବାଚସ୍ପତି କାରୁ ଜୟସୂର୍ଯ୍ୟା କହିଛନ୍ତି ଯେ ଏବେ ଦେଶରେ କୌଣସି ସରକାର ନାହିଁ। ବର୍ତ୍ତମାନ ଦେଶରେ କେହି ପ୍ରଧାନମନ୍ତ୍ରୀ ନାହାନ୍ତି। ୟୁନାଇଟେଡ ନ୍ୟାସନାଲ ପାର୍ଟି ସଦସ୍ୟ ଲକ୍ଷ୍ମଣ କିରିଏଲାଙ୍କ ଦ୍ୱାରା ଆଗତ ମହତ୍ତ୍ୱପୂର୍ଣ୍ଣ ଅନାସ୍ଥା ପ୍ରସ୍ଥାବ ସପକ୍ଷରେ ପାର୍ଲାମେଣ୍ଟର ୨୨୫ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ମତ ଦେଇଥିଲେ। ଏହି କ୍ରମରେ ରାଜପାକ୍ଷେ ନିଜ ପଦ ହରାଛନ୍ତି।
ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ସତ୍ତ୍ବେ ବିକ୍ରମସିଂହେ ପୁନର୍ବାର କ୍ଷମତାକୁ ଫେରିବା ନିଶ୍ଚିତ ହୋଇନାହିଁ। ପାର୍ଲାମେଣ୍ଟରେ ତାଙ୍କ ଦଳ ସର୍ବବୃହତ୍‍ ହୋଇଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ହାତରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତି କ୍ଷମତା ରହିଛି।
ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୬ରେ ରାଷ୍ଟ୍ରପତି ନାଟକୀୟ ଭାବେ ରନିଲ ବିକ୍ରମସିଂହେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ରାଜପାକ୍ଷେଙ୍କୁ ଅବସ୍ଥାପିତ କରିଥିଲେ। ସେବେଠାରୁ ଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି। ବିରୋଧୀ ଦଳ ସଂସଦରେ ଆସ୍ଥା ଭୋଟ ଲୋଡ଼ିବାକୁ ଦାବି କରୁଥିଲାବେଳେ ନୂଆ ସରକାର ଏଥିରେ ହାରିଯିବାର ଭୟ ଥିବାରୁ ନଭେମ୍ବର ୯ରେ ରାଷ୍ଟ୍ରପତି ପାର୍ଲାମେଣ୍ଟ ଭଙ୍ଗ କରିଥିଲେ। ଏହି ନିଷ୍ପତ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିବା ସହ ନିର୍ବାଚନ ପ୍ରସ୍ତୁତି ଉପରେ ରୋକ ଲଗାଇଥିଲେ।

Leave A Reply