ଶ୍ରୀଲଙ୍କା : ଶପଥ ନେଲେ ୨୮କ୍ୟାବିନେଟ ମନ୍ତ୍ରୀ

0

କଲମ୍ବୋ : ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମ ସିଂଘେଙ୍କ ମନ୍ତ୍ରିମଣ୍ଡଳ ଗୁରୁବାର ଶପଥ ନେଇଛି । ୨୮ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଗୁରୁବାର ସକାଳେ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୂଚନାଯୋଗ୍ୟ ୟୁନାଇଟେଡ୍‍ ନେସନାଲ୍‍ ପାର୍ଟି (ୟୁଏନ୍‍ପି) ନେତା ରନିଲ ବିକ୍ରମ ସିଂଘେ ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେଇଛି । ୨୬ ଅକ୍ଟୋବର ପୂର୍ବରୁ ବିକ୍ରମ ସିଂଘେଙ୍କ ମନ୍ତ୍ରିମଣ୍ଡଳରେ ଯେଉଁମାନେ ସଦସ୍ୟ ଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ ନିଜ ନିଜର ବିଭାଗ ଫେରିପାଇଛନ୍ତି । ତିଲକ ମରପନ୍ନା ବୈଦେଶିକ ମନ୍ତ୍ରୀ ଏବଂ ମଙ୍ଗଳା ସମରାବୀରା ଅର୍ଥମନ୍ତ୍ରଣାଳୟ ଫେରି ପାଇଥିବା ବେଳେ ବିକ୍ରମ ସିଂଘେ ଜାତୀୟ ନୀତି, ଅର୍ଥନୈତିକ ବ୍ୟାପାର, ପୁନର୍ବାସ ଓ ଥଇଥାନ ଏବଂ ଉତ୍ତରାଞ୍ଚଳ ଉନ୍ନୟନ ବିଭାଗ ନିଜ ପାଖରେ ରଖିଛନ୍ତି । ଆଇନ ଓ ନ୍ୟାୟ ବିଭାଗରେ କାହାକୁ ନିଯୁକ୍ତ କରାଯାଇ ନାହିଁ।

Leave A Reply