ମୁଣ୍ଡଳିରେ ୧୦ଲକ୍ଷ କ୍ୟୁସେକରୁ ବେଶି ବଢିବନି –ଏସଆରସି

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଛି। ଆଉ ଭୟଭୀତ ହେବାର ନାହିଁ । ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହ କାଲି ସକାଳ ଯାଏ ବଳବତ୍ତର ରହିବ। କାଲି ସକାଳ ପରେ ମୁଣ୍ଡଳିରେ ଜଳ ପ୍ରବାହ ଧିରେଧିରେ କମିବାକୁ ଲାଗିବ ବୋଲି ଏସଆରସି ପକ୍ଷରୁ କୁହାଯାଇଛି।
ଗତକାଲି ସାଢେ ୯ଲକ୍ଷ କ୍ୟୁସେକ ଆସୁଥିଲା , ଆଜି ୭ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି। କାଲି ଖଇମାଳରେ ପ୍ରବାହ ୧୦ ଲକ୍ଷ କ୍ୟୁସେକ ଆଜି ମୁଣ୍ଡଳିରେ ଯାଉଛି। ଆଶା କରାଯାଉଛି ଯେ, ମୁଣ୍ଡଳିରେ ସେହି ୧୦ଲକ୍ଷ କ୍ୟୁସେକ ରହିବ ଆଉ ବଢିବନି। ମୁଣ୍ଡଳିରେ ଜଳ ପ୍ରବାହ ଧିରେ ଧିରେ କମିବାକୁ ଲାଗିବ। ଏହାର ୮ ଘଣ୍ଟା ପରେ କେନ୍ଦ୍ରାପଡା ଓ ୧୦ ଘଣ୍ଟା ପରେ ପୁରୀରେ କମିବ। ଏହାଦ୍ବାରା ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ପ୍ରାଭାବିତ ହେବା ସମ୍ଭାବନା ରହିଛି। ସେଥିପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ ସଜାଗ ରହିଛନ୍ତି। ଏଥି ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି। ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ ହେଲେ ଦୟା ଓ ଭାର୍ଗବୀ ନଦୀରେ ସମସ୍ୟା ଉପୁଜେ। ଉଭୟ ନଦୀ ଯୋଗୁଁ କଣାସ ଡେଲାଙ୍ଗରବହୁ ଗାଁ ଜଳମଗ୍ନ ହୋଇଛି। ଦୟା ନଦୀରେ ୨ଟି ଓ ରାଜୁଆ ନଦୀରେ ଗୋଟିଏ ଘାଇ ହୋଇଛି। ପାଣି କମିବା ମାତ୍ରେ ତୁରନ୍ତ ଘାଇ ମରାମାତି ବ୍ୟବସ୍ଥା କରାଯିବ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଭିନ୍ନ ନଦୀରେ ୩୨ଟି ଘାଇ ହୋଇଛି। ସେଥି ମଧ୍ୟରୁ ସର୍ବାଧିକ ୨୪ଟି ଘାଇ କେବଳ ଯାଜପୁର ଜିଲାରେ ହୋଇଛି । ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ହୋଇଛି। ଏ ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।