ବାତ୍ୟା ସମୟରେ ଜନସାଧାରଣ ବାହାରେ ବୁଲାବୁଲି କରନ୍ତୁ ନାହିଁ: ସ୍ବତନ୍ତ୍ର ରିଲିଫ କମିଶନର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସୂଚନା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଗତ ଛଅ ଘଣ୍ଟା ମଧ୍ୟରେ ଅବପାତ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅତିକ୍ରମ କରି ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଗତି କରି ଏକ ତୀବ୍ର ଅବପାତର ରୂପ ଧାରଣ କରିଛି ଏବଂ ଭାରତୀୟ ସମୟ ଅନୁଯାୟୀ ଡିସେମ୍ବର ୩ ତାରିଖ ସକାଳ ୫.୩୦ରେ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ସକ୍ରିୟ ରହିଛି ଏବଂ ବଙ୍ଗୋପସାଗର ନିକଟରେ ୧୩.୪ଂ ଉତ୍ତର ଅକ୍ଷାଂଶ ଏବଂ ୮୬.୪ଂ ପୂର୍ବ ଦ୍ରାଘିମାରେ ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୫୮୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ଓଡ଼ିଶାର ଗୋପାଳପୁରଠାରୁ ୬୭୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ପାରାଦୀପଠାରୁ ୭୬୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ ରହିଛି। ଆଶା କରାଯାଉଛି ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ତୀବ୍ର ବାତ୍ୟା ଝଡ଼ର ରୂପ ନେବାର ସମ୍ଭାବନା ରହିଛି। ଆସନ୍ତାକାଲି ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ହୋଇ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବାର ଆଶା କରାଯାଉଛି। ଏହା ପରେ ଉତ୍ତରପଶ୍ଚିମ ଦିଗରେ ପୁନର୍ବାର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳକୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଘଣ୍ଟା ପ୍ରତି ୮୦-୯୦ କିମି ଦ୍ରୁତ ଗତିରେ ୧୦୦ କିମି ପର୍ଯ୍ୟନ୍ତ ଗତି କରିବାର ସମ୍ଭାବନା ଅଛି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳମାନଙ୍କୁ ଉପକୂଳବର୍ତ୍ତୀ ତଥା ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପବନର ବେଗ ୮୦ରୁ ୯୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏଥି ପାଇଁ ବିଦୁ୍ୟତ ସରବରାହ ବ୍ୟାହାତ ହୋଇପାରେ। ତେଣୁ ଦୁଇଦିନ ପାଇଁ ପାନୀୟ ଜଳ ସାଇତି ରଖିବା ଆବଶ୍ୟକ। ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଦିଗରେ ସରକାର ଦୃଷ୍ଟି ରଖିଛନ୍ତି। ବଜାରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବାବେଳେ ଜନସାଧାରଣ ଆତଙ୍କିତ ହୋଇ ଏସବୁ ଅଯଥାରେ କିଣାକିଣି କରନ୍ତୁ ନାହିଁ।
ବାତ୍ୟା ସମୟରେ ଜନସାଧାରଣ ବାହାରେ ବୁଲାବୁଲି କରନ୍ତୁ ନାହିଁ। ସମୁଦ୍ରକୂଳବର୍ତ୍ତୀ ସ୍ଥାନକୁ ଯାଆନ୍ତୁ ନାହିଁ। ସେହିପରି ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି। ବିଡ଼ିଓ, ତହସିଲଦାର ଏବଂ ପୁଲିସ ଆଇଆଇସିମାନଙ୍କୁ ଲୋକଙ୍କୁ ତଳିିଆ ଅଞ୍ଚଳରୁ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିନିମନ୍ତେ ପଞ୍ଚାୟତିରାଜ ବିଭାଗ, ଏସ୍‌ଏଚ୍‌ଜି ଏବଂ ସ୍ଥାନୀୟ ଏନ୍‌ଜିଓ ସହାୟତା କରିବେ। ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକସ୍ଥଳେ ସରକାରୀ ଛାତ ଘର କିମ୍ବା ଘରୋଇ ଛାତଘରକୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଇପାରିବ। ଜୀବନ ବଞ୍ଚାଇବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରକାଶ କରିଛନ୍ତି।

Comments are closed.