ବାହାର ରାଜ୍ୟରୁ ଓଡ଼ିଶା ଆସିଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ୍‌ରେ ଏସ୍‌ଆର୍‌ସି ଦର୍ଶାଇଛନ୍ତି ଯେ ବାହାର ରାଜ୍ୟରୁ ଓଡ଼ିଶା ଆସିବାକୁ ହେଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ହେବ। ଯଦି କେହି ବସ, ରେଳ ବା ବିମାନରେ ଓଡ଼ିଶା ଆସୁଛନ୍ତି ସେମାନଙ୍କ ପାଇଁ କୋଭିଡ୍‌ ନେ​ଗେଟିଭ୍‌ ରିପୋର୍ଟ ଜରୁରୀ। ଓଡ଼ିଶା ଆସିବାର ୭୨ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ତେବେ ଦୁଇ ଡୋଜ୍‌ ଟିକା ନେଇଥିଲେ ଓଡ଼ିଶା ପ୍ରଦେଶକୁ ପ୍ରବେଶ ଅନୁମତି ମିଳିବ। ନେଗେଟିଭ୍‌ ରିପୋର୍ଟ ନ ଥିଲେ ୭ ଦିନ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ୧୬ଟି ଜିଲ୍ଲାରେ ଆବଶ୍ୟକତା ଭିତ୍ତିରେ ଟିଏମସି ସ୍ଥାପନ ଓ ପରିଚାଳନା ଲାଗି ନିର୍ଦେଶ ଦିଆଯାଇଛି। ଅସ୍ଥାୟୀ ମେଡ଼ିକାଲ୍‌ ସେଣ୍ଟର ବା ଟିଏମ୍‌ସି କରିବାକୁ ଜିଲାପାଳମାନଙ୍କୁ ନିର୍ଦେଶ। ଶିଳ୍ପ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ନିଜସ୍ବ ସଂଗରୋଧ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଆଜି ଦେଶ ଓ ରାଜ୍ୟରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବାହାର ରାଜ୍ୟରୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ଓଡ଼ିଶା ଆସୁଥିବା ଲୋକଙ୍କ ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତି ୭୨ ଘଣ୍ଟା ପୂର୍ବରୁ ଟେଷ୍ଟ ହୋଇଥିବା କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟ୍‌ ଦେଖାଇବାକୁ ପଡ଼ିବ। ଯଦି ଏହି ଦୁଇଟି ମଧ୍ୟରୁ କେଉଁଟି ବି ନଥିବ ତାହେଲେ ସେମାନଙ୍କୁ ୭ ଦିନ ଲାଗି ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଲାଗି କ୍ୱାରେଣ୍ଟାଇନ୍ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ।
ସମସ୍ତ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ୍ କଟକଣା ମାନିବା ସହ ନିଜସ୍ୱ ସଂଗରୋଧ କେନ୍ଦ୍ର ବ୍ୟବସ୍ଥା କରିବେ । କୋଭିଡ୍ ପଜିଟିଭ୍ ବାହାରିଲେ ସେମାନଙ୍କ ପାଇଁ ସମ୍ପୃକ୍ତ ସଂସ୍ଥାକୁ ଖର୍ଚ୍ଚ କରିବାକୁ ପଡ଼ିବ। କୌଣସି ସଂସ୍ଥା କୋଭିଡ୍ ନିୟମ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଜିଲାପାଳ ଓ ମହାନଗର ନିଗମ କମିଶନ ଏନେଇ ନିୟମିତ ଶିଳ୍ପ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ସହ ଆଲୋଚନା ଜାରି ରଖିବେ। ସେମାନେ ଯେଭଳି ନିଶ୍ଚିତ ଭାବେ କୋଭିଡ୍ କଟକଣା ମାନିବେ, ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରକ୍ଷା କରିବେ, ଥର୍ମାଲ୍ ସ୍କାନିଂ ଓ ବାରମ୍ବାର ସାବୁନରେ ହାତ ଧୋଇବେ ସେଥିପ୍ରତି ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ଗ୍ରହଣ କରିବେ।

Comments are closed.