MEllora 950×100

ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ; ଦୋଷ ସ୍ବୀକାର କଲା ଅଫତାବ

ନୂଆଦିଲ୍ଲୀ : ପ୍ରେମିକା ତଥା ନିଜ ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ୱାକରକୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତି ପ୍ରେମିକ ଅଫତାବ ପୁନାୱାଲା। ଶ୍ରଦ୍ଧାକୁ ହତ୍ୟା କରିବା ପରେ ତାର ମୃତଦେହକୁ ଖଣ୍ଡଖଣ୍ଡ କରି ଏଣେତେଣେ ଫିଙ୍ଗିଥିବା କଥା ଅଫତାବ ପଲିଗ୍ରାଫ ଟେଷ୍ଟ ସମୟରେ ସ୍ବୀକାର କରିଥିବା ଏଫଏସ୍ଏଲ୍‌ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ରିପୋର୍ଟ ଅନୁଯାୟୀ ପଲିଗ୍ରାଫ ଟେଷ୍ଟ ସମୟରେ ଅଫତାବ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଛି। ଏହା ସହିତ ସେ ସ୍ବୀକାର କରିଛି ଯେ ଶ୍ରଦ୍ଧାଙ୍କ ବ୍ୟତୀତ ଅନେକ ଝିଅଙ୍କ ସହିତ ତାର ପ୍ରେମ ସମ୍ପର୍କ ରହିଥିଲା। ରୋହିଣୀସ୍ଥିତ ଫରେନସିକ୍ ସାଇନ୍ସ ଲାବୋରଟୋରୀ (ଏଫଏସ୍‌ଏଲ୍‌)ରେ ମଙ୍ଗଳବାର ଅଫତାବର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ପଲିଗ୍ରାଫ ଟେଷ୍ଟ ସମୟରେ ସ୍ବୀକାର କରିଥିବା ଦୋଷ ଅଦାଲତରେ ଗ୍ରହଣୀୟ ନୁହେଁ। ତେବେ ପୁଲିସ ଅଫତାବ ବୟାନର ସତ୍ୟତା ସମ୍ପର୍କରେ ଜାଣିବା ଲାଗି ଏହି ଟେଷ୍ଟ କରିଥିଲା। କାରଣ ପୁଲିସ ଜେରା ବେଳେ ଅଫତାବ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲା। ତେବେ ଅଫତାବର ଏହି ବୟାନରେ ସତ୍ୟତା ଅଛି ନା ସେ ତଦନ୍ତକୁ ପ୍ରଭାବିତ କରୁଛନ୍ତି ଚାହୁଁଛି ତାହା ଜାଣିବା ଲାଗି ପୁଲିସ ପଲିଗ୍ରାଫ ଟେଷ୍ଟ କରିଥିଲା। ଗୁରୁବାର ଅଫତାବର ନାର୍କୋ ଆନାଲିସିସ୍ ଟେଷ୍ଟ କରାଯିବ। ରୋହିଣୀସ୍ଥିତ ବାବାସାହେବ ଆମ୍ବେଦକର ହସ୍ପିଟାଲରେ ଏଫଏସ୍‌ଏଲ୍‌ ଟିମ୍ ଅଫତାବର ନାର୍କୋ ଟେଷ୍ଟ କରିବେ। ଏହି ସମୟରେ ଜଣେ ଡାକ୍ତର ଉପସ୍ଥିତ ରହିବେ। ୩-୪ଦିନ ଧରି ଏହି ଟେଷ୍ଟ କରାଯିବ।
ପୁଲିସ କହିବା ଅନୁଯାୟୀ ଅଫତାବର ୧୫ରୁ ୨୦ଜଣ ଝିଅଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଅଫତାବର ଜଣେ ନୂଆ ପ୍ରେମିକାଙ୍କୁ ପୁଲିସ ଜେରା କରିଛି। ପ୍ରେମିକା ଜଣଙ୍କ କହିଛନ୍ତି ଯେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା ପରେ ସେ ଅଫତାବର ଘରକୁ ଯିବା ଆସିବା କରିଥିଲେ। ମାତ୍ର ଘରେ ମୃତଦେହ ଥିବା ସମ୍ପର୍କରେ ସେ ଜାଣି ନଥିଲେ। ଏପରିକି ହତ୍ୟାକାଣ୍ଡ ଘଟାଇବା ପରବର୍ତ୍ତୀ ସମୟରେ ଅଫତାବ ମନରେ କୌଣସି ଭୟ କିମ୍ବା ଅନୁଶୋଚନା ନଥିଲା। ଗତ ମେ ୧୮ରେ ଅଫତାବ ତାର ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିଥିଲା। ହତ୍ୟା ଅପରାଧ ଲୁଚାଇବା ଲାଗି ଅଫତାବ ତାର ମୃତଦେହ ୩୫ ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଥିଲା। ପରେ ଏହାକୁ ରାତିରେ ପଲିଥିନରେ ଭର୍ତ୍ତି କରି ଦିଲ୍ଲୀର ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା। ନଭେମ୍ବର ୧୧ରେ ପୁଲିସ ଅଫତାବକୁ ଗିରଫ କରିବା ସହିତ ହତ୍ୟାର ରହସ୍ୟ ଉନ୍ମୋଚନ କରିଥିଲା।

Comments are closed.