ମାର୍ଚ୍ଚ ସୁଦ୍ଧା ୩୬ କୋଟି ଭାରତୀୟଙ୍କୁ ଦିଆଯିବ ସ୍ପୁଟନିକ-୫ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀର ଏକାଧିକ ଲହର ଆସିବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଦେଶରେ ଟିକାକରଣକୁ ତ୍ବରିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଆଗାମୀ ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶରେ ୩୬ କୋଟି ଭାରତୀୟଙ୍କୁ ସ୍ପୁଟନିକ-୫ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ମଧ୍ୟରେ ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ। ଗତ ୧ ତାରିଖରେ ଭାରତ ୧୫ ଲକ୍ଷ ପାନ (ଡୋଜ୍‌) ସ୍ପୁଟନିକ-୫ ଟିକା ରୁଷଠାରୁ ଆଣିଛି। ଚଳିତ ମାସରେ ଆଉ ୧୫ ଲକ୍ଷ ଟିକା ଆସିବ। ମେ, ଜୁନ, ଜୁଲାଇ ୩ ମାସ ମଧ୍ୟରେ ରୁଷଠାରୁ ଭାରତ ୧ କୋଟି ୮୦ ଲକ୍ଷ ଟିକା ଆଣିବ। ସେଥିରୁ ମେ ମାସରେ ୩୦ ଲକ୍ଷ, ଜୁନରେ ୫୦ ଲକ୍ଷ ଏବଂ ଜୁଲାଇରେ ୧ କୋଟି ଟିକା ଆସିବ। ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) ଭାରତରେ ୮୫ କୋଟି ଟିକା ଉତ୍ପାଦନ କରିବା ଲାଗି ଦେଶର ୫ଟି କମ୍ପାନୀ ସହିତ ଚୁକ୍ତି କରିଛି।

ଏହି ଟିକା କେବଳ ଭାରତରେ ଉତ୍ପାଦନ ହେବ ନାହିଁ, ବରଂ ଅନ୍ୟ ଦେଶଗୁଡ଼ିକୁ ରପ୍ତାନି ମଧ୍ୟ କରାଯିବ। ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯିବା ପରେ ୩ୟ ଟିକା ଭାବେ ରୁଷର ସ୍ପୁଟନିକ-୫ର ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ସୂଚନା ଅନୁସାରେ, ବିଶ୍ବବ୍ୟାପୀ ୬୦ରୁ ଅଧିକ ଦେଶ ସ୍ପୁଟନିକ-୫ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ବିଶ୍ବବ୍ୟାପୀ ୨ କୋଟି ଲୋକଙ୍କୁ ଏହି ଟିକା ଦିଆଗଲାଣି।

Comments are closed.