ସ୍ପୁଟନିକ ଭି ଅଧିକ ପ୍ରଭାବୀ; ବୟସ୍କଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଆବଶ୍ୟକ ପଡୁନାହିଁ

ନୂଆଦିଲ୍ଲୀ: ସ୍ପୁଟନିକ ଭି କୋଭିଡ-୧୯ ଟିକା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ସମାନ ଅଥବା ତାହାଠାରୁ ଅଧିକ ପ୍ରଭାବୀ ପରିଲକ୍ଷିତ ହୋଇଛି ଏବଂ ଏହି ଟିକା ନେଇଥିବା ବୟସ୍କ ବ୍ୟକ୍ତିମାନେ କୋଭିଡ ୧୯ରେ ସଂକ୍ରମିତ ହେଲେ ସେମାନେ ଗୁରୁତର ହେଉନାହାନ୍ତି କିମ୍ବା ସେମାନଙ୍କୁ ହାସପାତାଳରେ ଭର୍ତ୍ତି କରିବା ଆବଶ୍ୟକ ପଡୁନାହିଁ ବୋଲି ରୁଷୀୟ ଏହି ସ୍ପୁଟନିକ ଭି ପ୍ରସ୍ତୁତିରେ ପୁଞ୍ଜିନିବେଶକ କରିଥିବା ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ପକ୍ଷରୁ କୁହାଯାଇଛି।
ସାନ ମାରିନୋରେ ମାର୍ଚ୍ଚ ୪ରୁ ଏପ୍ରିଲ ୮ ମଧ୍ୟରେ ଗୋଟିଏ ଅଥବା ଦୁଇ ପାନ ସ୍ପୁଟନିକ ଭି ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଏହାର ଫଳାଫଳ ଏକ ଚିକିତ୍ସା ପତ୍ରିକା ଦି ଲାନ୍‍ସେଟରେ ପ୍ରକାଶିତ ହୋଇଛି। ସେଥିରେ କୁହାଯାଇଛି ଯେ ୬୦ ଅଥବା ତାହାଠାରୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ ସ୍ପୁଟନିକ ଭି ଟିକା ଅଧିକ ପ୍ରଭାବୀ ପରିଲକ୍ଷିତ ହେଉଛି। ଉଭୟ ପାନ ଦିଆଯିବା ପରେ ଏହି ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ପଡିନଥିଲା କିମ୍ବା ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ଘଟିନଥିବା ମଧ୍ୟ ଜଣାଯାଇଛି। ଟିକା ନେଇଥିବା କିଛି ଲୋକଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା, ଯାହା ଦିନେରୁ ସର୍ବାଧିକ ଦୁଇଦିନ ମଧ୍ୟରେ ଦୂର ହୋଇଯାଇଥିଲା।

Comments are closed.